ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ ଏହାର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ଏବଂ ସହଜ ସୁବିଧା ଆରମ୍ଭ କରାଯାଇଛି । ଏବେ ପିଏଫ୍ (PF) ଖାତାଧାରୀମାନେ କେବଳ ନିଜ ମୋବାଇଲ୍ରୁ ହ୍ବାଟ୍ସଆପରେ ଏକ 'Hello' ମେସେଜ୍ ପଠାଇ ନିଜର ପିଏଫ୍ ବାଲାନ୍ସ, କ୍ଲେମ୍ ଷ୍ଟାଟସ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ହାସଲ କରିପାରିବେ । ଏନେଇ EPFO ପକ୍ଷରୁ ଅଫିସିଆଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ଜରିଆରେ ସୂଚନା ଦେଇଛି । ବଡ଼ କଥା ହେଲା ଚ୍ୟାନେଲ୍ ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ୭୫ ହଜାରରୁ ଅଧିକ ଲୋକ ଏହା ସହିତ ଯୋଡ଼ି ହୋଇସାରିଛନ୍ତି ।

ହ୍ୱାଟସ୍ଆପ୍‌ରେ ମିଳିବ ଏହିସବୁ ପ୍ରମୁଖ ସୁବିଧା:

PF ବାଲାନ୍ସ ଯାଞ୍ଚ: ସଦସ୍ୟମାନେ ଘରେ ବସି ନିଜର ପ୍ରୋଭିଡେଣ୍ଟ ଫଣ୍ଡ (PF) ଖାତାରେ କେତେ ଟଙ୍କା ଅଛି ତାହା ଦେଖିପାରିବେ।

ଶେଷ ୫ଟି କାରବାର: ବାଲାନ୍ସ ସହିତ ଖାତାରେ ହୋଇଥିବା ଶେଷ ପାଞ୍ଚଟି କାରବାର ବା ଟ୍ରାଞ୍ଜାକ୍ସନର ବିବରଣୀ ମଧ୍ୟ ମିଳିବ।

କ୍ଲେମ୍ ଷ୍ଟାଟସ୍: ଯଦି ଆପଣ ଟଙ୍କା ଉଠାଇବା ପାଇଁ ଆବେଦନ କରିଛନ୍ତି, ତେବେ ତାହା କେଉଁ ପର୍ଯ୍ୟାୟରେ ଅଛି, ଏହି ପ୍ଲାଟଫର୍ମ ସାହାଯ୍ୟରେ ଜାଣିପାରିବେ।

୨୪ ଘଣ୍ଟା ସେବା: ଏହି ସେବା ଦିନରାତି ୨୪ ଘଣ୍ଟା ଉପଲବ୍ଧ ରହିବ, ଯେଉଁଥିରେ ଏକ ଅଟୋମେଟେଡ୍ ସିଷ୍ଟମ୍ (AI ଚାଟ୍ବଟ୍) ଗ୍ରାହକଙ୍କ ସାଧାରଣ ପ୍ରଶ୍ନର ଉତ୍ତର ଦେବ।

ତେବେ ଏହି ଡିଜିଟାଲ୍ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଏଫ୍ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ କମାଇବା। ସାଧାରଣ ପ୍ରଶ୍ନ କିମ୍ବା ଛୋଟ ଛୋଟ କାମ ପାଇଁ ଗ୍ରାହକମାନଙ୍କୁ ଆଉ ଅଫିସ୍ ଦୌଡ଼ିବାକୁ କିମ୍ବା କଷ୍ଟମର କେୟାର୍ କଲ୍ ସେଣ୍ଟର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସାରା ଦେଶରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ହ୍ୱାଟସ୍ଆପ୍ ବ୍ୟବହାର କରୁଥିବାରୁ EPFO ଏହି ମାଧ୍ୟମକୁ ବାଛିଛି।

Also Read: ମାତ୍ର ୨୫୦ ଟଙ୍କା ନିବେଶରେ ମାସକୁ ମିଳିବ ୫ ହଜାର ଟଙ୍କା ପେନସନ: ସରକାରଙ୍କର ଏହି ଯୋଜନାର ଉଠାନ୍ତୁ ଫାଇଦା, ସୁରକ୍ଷିତ ହେବ ବାର୍ଦ୍ଧକ୍ୟ

ଆଞ୍ଚଳିକ ଓ ଓଡ଼ିଆ ଭାଷାରେ ମଧ୍ୟ ମିଳିପାରେ ସୁବିଧା

କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ସୂଚନା ଅନୁସାରେ, ଏହି ହ୍ୱାଟସ୍ଆପ୍ ଭିତ୍ତିକ ସେବାରେ ସ୍ଥାନୀୟ ଏବଂ ଆଞ୍ଚଳିକ ଭାଷାର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହା ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତ ବିଶେଷ କରି ଓଡ଼ିଶାର ପିଏଫ୍ ଗ୍ରାହକମାନେ ମଧ୍ୟ ନିଜ ଭାଷାରେ ସହଜରେ ଏହି ସେବା ପାଇପାରିବେ।

ଆଗାମୀ ଦିନରେ ଏହି ବ୍ୟବସ୍ଥା ମାଧ୍ୟମରେ 'ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା' (PMVBRY) ସହ ଜଡ଼ିତ ସଦସ୍ୟଙ୍କ ଆଧାର ଏବଂ ଡିବିଟି (DBT) ସମସ୍ୟାର ସମାଧାନ ମଧ୍ୟ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।