ନୂଆଦିଲ୍ଲୀ: ଗୁରୁଗ୍ରାମର ଗଲ୍ଫ କୋର୍ସ ରୋଡ୍‌ରେ ଜଣେ ମହିଳା ବାଇକରଙ୍କୁ ଏକ ଦ୍ରୁତଗାମୀ କାର୍ ପଛରୁ ଧକ୍କା ଦେବା ଫଳରେ ସେ ଗୁରୁତର ହୋଇଛନ୍ତି। ଏହି ପୂରା ଘଟଣାର ଭିଡିଓ ବାଇକରଙ୍କ କ୍ୟାମେରାରେ କଏଦ ହୋଇଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହତ ମହିଳା ବାଇକର ସିଆ ନିଜ ସାଥୀ ବାଇକରମାନଙ୍କ ସହ ରବିବାର ରାଇଡିଂରେ ବାହାରିଥିଲେ। ସେହି ସମୟରେ ଏକ ସେଡାନ କାର୍ ତାଙ୍କୁ ପିଛା କରିବା ସହ ବେପରୁଆ ଭାବରେ ଗାଡ଼ି ଚଲାଉଥିଲା। ସିଆଙ୍କ କହିବା ଅନୁଯାୟୀ, କାରରେ ଥିବା ବ୍ୟକ୍ତିମାନେ ମଦ୍ୟପାନ କରିଥିବା ପରି ମନେହେଉଥିଲା। ସେ କାର୍ ଚାଳକଙ୍କୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ କହିଥିଲେ, କିନ୍ତୁ ଚାଳକଜଣକ ତାଙ୍କୁ ଗାଡ଼ି ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ।

ବିପଦକୁ ଏଡ଼ାଇବା ପାଇଁ ସିଆ ଗାଡ଼ି ଆଗକୁ ନେବାକୁ ଚେଷ୍ଟା କରିଥିଲେ ଏବଂ ଅନ୍ୟ ଜଣେ ରାଇଡର୍ ତାଙ୍କୁ ସୁରକ୍ଷା ଦେବା ପାଇଁ ପଛରେ ଗାଡ଼ି ଚଳାଉଥିଲେ। ମାତ୍ର କାରଟି ଅଚାନକ ମୋଡ଼ି ହୋଇ ସିଆଙ୍କ ବାଇକ୍‌କୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ସିଆ ଛିଟିକି ପଡ଼ିଥିଲେ ଏବଂ ତାଙ୍କ ବାଇକଟି ରାସ୍ତାରେ  ଘଷି ହୋଇ ଜଳି ଯାଇଥିଲା ।

ଦୁର୍ଘଟଣା ପରେ କାରଟି ସେଠାରୁ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲା। ଅନ୍ୟ ଜଣେ ରାଇଡର୍ କାରଟିକୁ ପିଛା କରି ଟ୍ରାଫିକ୍ ସିଗନାଲରେ ରୋକିବାକୁ ଚେଷ୍ଟା କରିଥିଲେ ବି ଚାଳକଜଣକ ଗାଡ଼ି ନେଇ ଚାଲିଯାଇଥିଲା। ସିଆଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ଭିଡିଓ ଭାଇରାଲ ହେବା ପରେ ଗୁରୁଗ୍ରାମ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି।

ସେପଟେ କାରର ମାଲିକ (ସେ ସେନାରେ କାର୍ଯ୍ୟରତ) ପୋଲିସକୁ ଜଣାଇଛନ୍ତି ଯେ, ସେ ସହର ବାହାରେ ଅଛନ୍ତି। ତାଙ୍କର ଜଣେ ସ୍କୁଲ ବନ୍ଧୁ ଗାଡ଼ିଟିକୁ ନେଇଥିଲେ ଏବଂ ସେହି ବନ୍ଧୁଜଣକ ଅନ୍ୟ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଗାଡ଼ି ଚଲାଇବାକୁ ଦେଇଥିଲେ। ବର୍ତ୍ତମାନ ଗାଡ଼ି ଓ ସେହି ଚାଳକଙ୍କ ବିଷୟରେ କୌଣସି ସୂଚନା ନାହିଁ।