ନୂଆଦିଲ୍ଲୀ ୨୩।୩: ପଶ୍ଚିମ ଏସିୟାରେ ଜାରି ଯୁଦ୍ଧ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମଇଏ) ସୋମବାର ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିଦେଶ ମନ୍ତ୍ରାଳୟଙ୍କ ଅନୁସାରେ ଇସ୍ରାଏଲରେ ଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଜଣେ ଭାରତୀୟ ନାଗରିକ ଆହତ ହୋଇଥିବାର ଖବର ଆସିଥିଲା। ତେବେ ସେ ଏବେ ସୁରକ୍ଷିତ ଥିବା ଓ ଭାରତୀୟ ଦୂତାବାସ ଲଗାତାର ପରିସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି।

ତେବେ ସମଗ୍ର ପଶ୍ଚିମ ଏସିୟା ପରିସ୍ଥିତି ଏବେବି ଜଟିଳ ରହିଛି। ଏମଇଏ ଅନୁସାରେ ଏପର୍ଯ୍ୟନ୍ତ ସଂଘର୍ଷରେ ୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ସେହିପରି ଜଣେ ଆହତ ହୋଇଥିବା ବେଳେ ଆଉ ଜଣେ ଏବେବି ନିଖୋଜ ଅଛନ୍ତି। ଏହି ସବୁ ଘଟଣା ଅଲଗା ଅଲଗା ଦେଶରେ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିପଦ ପୁରା କ୍ଷେତ୍ରରେ ରହିଛି। ଏହା ପୂର୍ବରୁ ରିୟାଦରେ ଡ୍ରୋନ ଓ ମିଜାଇଲ ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା। ବିଦେଶ ମନ୍ତ୍ରାଳୟ ଅଧିକାରୀ ଅସୀମ ମହାଜନ ଏହି ଘଟଣା ପୁଷ୍ଟି କରିଥିବା ବେଳେ ସରକାର ଏବେ ପୀଡ଼ିତ ପରିବାରଙ୍କ ସମ୍ପର୍କରେ ଥିବା କହିଛନ୍ତି।

ଏହା ଛଡା ଓମାନ, ୟୁଏଇ ଓ ଇରାକ୍ ଭଳି ଦେଶମାନଙ୍କରେ ଅନେକ ଭାରତୀୟ ଶ୍ରମିକ ଓ ନାବିକ ଆହତ ହୋଇଛନ୍ତି। ଖାସ କରି ସାମୁଦ୍ରିକ ଆକ୍ରମଣରେ ଭାରତୀୟ ନାବିକ ପ୍ରଭାବିତ ହେଉଛନ୍ତି। ଏଣୁ ପରିସ୍ଥିତି ଅଧିକ ଚିନ୍ତାଜନକ ହୋଇଛି। ସରକାର କହିଛନ୍ତି ଯେ ନିକଟରେ ଏକ ଆମେରିକୀୟ ତୈଳ ଟ୍ୟାଙ୍କର ‘ସେଫ୍ ସି ଭିଷ୍ଣୁ’ ଉପରେ ଆକ୍ରମଣ ପରେ ଏହାର ୧୫ ଭାରତୀୟ ଚାଳକଦଳ ସଦସ୍ୟଙ୍କୁ ସୁରକ୍ଷିତ ଭାରତ ଆଣିବା ପାଇଁ ଯୋଜନା କରାଯାଉଛି। ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।

ଏହି ସଂକଟରେ ଭାରତ ସରକାର ଏକ ବଡ଼ ଧରଣର ଉଦ୍ଧାର ଅଭିଯାନ ଚଳାଇଛନ୍ତି। ଏହି କ୍ରମରେ ଏ ପର୍ଯ୍ୟନ୍ତ ପ୍ରାୟ ୩ଲକ୍ଷ ଭାରତୀୟ ନାଗରିକ ପଶ୍ଚିମ ଏସିୟାରୁ ଫେରି ଆସିଛନ୍ତି। ଏହା ଛଡା ଇରାନରୁ ୯୧୩ ଜଣ ଭାରତୀୟଙ୍କୁ ଆର୍ମେନିୟା ଓ ଆଜରବୈଜାନ ରାସ୍ତାରେ ସୁରକ୍ଷିତ ବାହାରକୁ ଅଣାଯାଇଛି। ଏମାନଙ୍କ ମଧ୍ୟରୁ ଅନେକ ଭାରତ ଫେରିସାରିଲେଣି। ସରକାରଙ୍କ କହିବା କଥା ହେଉଛି ପଶ୍ଚିମ ଏସିୟାରେ ପାଖାପାଖି ୧ କୋଟି ଭାରତୀୟ ରହୁଛନ୍ତି। ଏଣୁ ସେମାନଙ୍କ ସୁରକ୍ଷା ସବୁଠୁ ବଡ଼ ପ୍ରାଥମିକତା। ଏହି କାରଣରୁ ଭାରତ ଲଗାତାର କ୍ଷେତ୍ରର ଦେଶଙ୍କ ସହ ସମ୍ପର୍କରେ ଥିବା ବେଳେ ପରିସ୍ଥିତି ଉପରେ ନଜର ରଖାଯାଇଛି।

Also read..
ବଢ଼ିବ ଲୋକସଭା ଆସନ ସଂଖ୍ୟା, ମହିଳାଙ୍କ ପାଇଁ ରହିବ ୨୭୩ ସିଟ୍ !