ମୋରଡ଼ା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ସାନ ନଈ ସେତୁ ଉପରେ ତିନି ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ପୋଲ ସହ ଏହି ରାସ୍ତାରେ ଏବେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। କିନ୍ତୁ ରାସଗୋବିନ୍ଦପୁରରୁ ଅମର୍ଦା ଆଡ଼କୁ ଯାଉଥିବା ଜଣେ ଅମାନିଆ ପିକଅପ୍ ଚାଳକ, ବନ୍ୟା ଜଳକୁ ଖାତିର ନକରି ପିକଅପ୍ ନେଇ ପୋଲ ପାର୍ କରିବାକୁ ଚେଷ୍ଟା କରିବା ତାଙ୍କୁ ଭାରି ପଡ଼ିଛି।

କାରଣ ପୋଲ ଉପରେ ଏତେ ଉଚ୍ଚ କ୍ଷୀପ୍ର ବେଗରେ ବନ୍ୟା ଜଳ ପ୍ରବାହିତ ହେଉଥିଲା ଯେ, ବନ୍ୟା ପାଣିରେ ପିକଅପଟି କିଛି ବାଟ ଭାସି ଯାଇଥିଲା। ଏମିତିକି ଆଉ ଗାଡ଼ିଟି ଷ୍ଟାର୍ଟ ମଧ୍ୟ ହୋଇନଥିଲା। ଆଉ ପାଣିରେ ସଂପୂର୍ଣ୍ଣ ବୁଡ଼ିଯାଇଥିଲା। ଏହା ଦେଖି ଡ୍ରାଇଭର ଏବଂ ହେଲପର୍ ଗାଡ଼ି ଉପରକୁ ଚଢ଼ିଯାଇଥିଲେ, ଆଉ କିଛି ସମୟ ପାଇଁ ଫସିରହିଥିଲେ।

Also Read: ପାହାଡ଼ରୁ ମାଡ଼ି ଆସିଲା ନାଲି ପାଣି, ଘରୁ ବାହାରି ପାରିଲେନି ଲୋକେ

ହେଲେ ସୌଭାଗ୍ୟବଶତଃ ଅଗ୍ନିଶମ ବାହିନୀ କର୍ମଚାରୀ ଖବର ପାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପହଞ୍ଚିଥିଲେ। ରାସଗୋବିନ୍ଦପୁର ଅଗ୍ନିଶମ ଷ୍ଟେସନ ଅଫିସର ରବିନ୍ଦ୍ର କୁମାର ସେଠୀ, ଅଗ୍ନିଶମ କର୍ମଚାରୀ ଧନଞ୍ଜୟ ଜେନା, ରାଜେଶ୍ଵର ପାତ୍ର, ସୁବାସିତ ବରାଳ, କାର୍ତ୍ତିକ ଚନ୍ଦ୍ର ବେହେରା, ଜଗା ମାଝୀ, ହାବିଲଦାର ଅଭିଳାଷ ଦଳାଇ ପ୍ରମୁଖ ବୋଟ ଯୋଗେ ପିକଅପ୍ ଡ୍ରାଇଭର ଓ ହେଲପରଙ୍କୁ ପ୍ରାୟ ତିନି ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଉଭୟ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। କାରଣ ପୋଲ ଉପରେ ନଦୀର ଯେଉଁ ପ୍ରଖର ସ୍ରୋତ ରହିଥିଲା ତାହା ଖୁବ୍ ଭୟଙ୍କ ଥିଲା।