ନୂଆଦିଲ୍ଲୀ: ଆମେରିକା ସହ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତ ଆସିବେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ। ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା ୧୮ ତମ ବ୍ରିକ୍ସ ସମ୍ମିଟ୍ରେ ଯୋଗ ଦେବାକୁ ସେ ଭାରତ ଆସିପାରନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ଏଏନ୍ଆଇର ରିପୋର୍ଟ ପ୍ରକାଶ କରିଛି।

ଭାରତ ୨୦୨୬ରେ BRICSର ଅଧ୍ୟକ୍ଷତା କରୁଛି ଏବଂ ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସର ଶିଖର ସମ୍ମିଳନୀ ଆୟୋଜନ କରିବ। ଭାରତର ଏହି ଅଧ୍ୟକ୍ଷତାର ମୁଖ୍ୟ ଥିମ୍ ରହିଛି—“ ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶ ପାଇଁ ନିର୍ମାଣ”। ଭାରତ ୨୦୨୬ ଜାନୁଆରୀ ୧ରୁ ବ୍ରାଜିଲଠାରୁ ବ୍ରିକ୍ସର ଅଧ୍ୟକ୍ଷତା ଗ୍ରହଣ କରିଛି।

ପେଜେଶକିଆନ୍ଙ୍କ ଭାରତ ଗସ୍ତ ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ, ୨୦୨୪ ଅକ୍ଟୋବରରେ ରୁଷିଆର କାଜାନରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେତେବେଳେ ଦୁଇ ନେତା ଦ୍ୱିପାକ୍ଷିକ ଓ ଆଞ୍ଚଳିକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ।

୨୦୨୪ରେ ଇରାନ ବ୍ରିକ୍ସର ପୂର୍ଣ୍ଣ ସଦସ୍ୟ ହୋଇଥିଲା। ଇରାନ ସହ ଇଜିପ୍ଟ, ଇଥିଓପିଆ ଓ ୟୁଏଇ ମଧ୍ୟ ସେହି ବର୍ଷ ଗୋଷ୍ଠୀରେ ସାମିଲ ହୋଇଥିଲେ। ୨୦୨୫ରେ ଇଣ୍ଡୋନେସିଆ ସଦସ୍ୟ ହେବା ପରେ BRICSର ପୂର୍ଣ୍ଣ ସଦସ୍ୟ ସଂଖ୍ୟା ୧୧ରେ ପହଞ୍ଚିଛି।

ଭାରତର ଭୂମିକାକୁ ପ୍ରଶଂସା କରିଥିଲେ ଇରାନୀ ବିଦେଶମନ୍ତ୍ରୀ

ଏହା ପୂର୍ବରୁ ଜୁନ୍ରେ ଇରାନୀ ବିଦେଶମନ୍ତ୍ରୀ ଅବ୍ବାସ ଆରାଘଚି ବ୍ରିକ୍ସ ବିଦେଶମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ସେତେବେଳେ ସେ ପଶ୍ଚିମ ଏସିଆରେ ଉତ୍ତେଜନା କମାଇବାରେ ଭାରତ ଅଧିକ ଭୂମିକା ନେଇପାରିବ ବୋଲି କହିଥିଲେ।

ଆରାଘଚିଙ୍କ ମତରେ, ବର୍ତ୍ତମାନର ସଙ୍କଟର କୌଣସି ସାମରିକ ସମାଧାନ ନାହିଁ। ଆଲୋଚନା ମାଧ୍ୟମରେ ସମାଧାନ ହିଁ ଏକମାତ୍ର ବାଟ ବୋଲି ସେ ମତ ଦେଇଥିଲେ। ଏଥିସହ ଭାରତ ପକ୍ଷରୁ କୌଣସି ଗଠନମୂଳକ ପଦକ୍ଷେପକୁ ତେହରାନ ସ୍ୱାଗତ କରିବ ବୋଲି ମଧ୍ୟ ସେ କହିଥିଲେ।

Also Read-ପାକିସ୍ତାନର ଫମ୍ପା ଧମକ: ଦେଶର ସ୍ବାଧୀନତା ଦିବସରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ?

ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା ସମୟରେ ଆରାଘଚି ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ଇରାନ ବନ୍ଧୁ ଦେଶଗୁଡ଼ିକର ବାଣିଜ୍ୟିକ ସୁରକ୍ଷା ପାଇଁ ଏକ ନିର୍ଭରଯୋଗ୍ୟ ଭାଗୀଦାର ବୋଲି ସେ ଦାବି କରିଥିଲେ। ଏପଟେ ଚାଲିଥିବା ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ପେଜେଶକିଆନ୍ଙ୍କ ଭାରତ ଗସ୍ତକୁ କୂଟନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତ ଓ ଇରାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସହ ଆଞ୍ଚଳିକ ସୁରକ୍ଷା ଓ ଶାନ୍ତି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି। ଭାରତର ୨୦୨୬ BRICS ଅଧ୍ୟକ୍ଷତାରେ ରେଜିଲିଏନ୍ସ, ଇନୋଭେସନ୍, ସହଯୋଗ ଓ ସସ୍ଟେନେବିଲିଟିକୁ ମୁଖ୍ୟ ପ୍ରାଥମିକତା ଦିଆଯାଇଛି।