ଇସଲାମାବାଦ: ନିଜ ଦେଶରେ ବୃଦ୍ଧି ପାଉଥିବା ହିଂସା, ଆଭ୍ୟନ୍ତରୀଣ ଅସ୍ଥିରତା ଏବଂ ମାନବାଧିକାର ଉଲ୍ଲଂଘନ ଭଳି ଗମ୍ଭୀର ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ପୁଣି ଥରେ ଭାରତ ବିରୋଧରେ ବିଷ ଉଗାରିଛି। ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସିନ୍ଧୁ ଜଳ ଚୁକ୍ତିକୁ (Indus Waters Treaty) ନେଇ ଭାରତକୁ ଧମକ ଦେଇଛନ୍ତି।

୨୦୨୫ ଏପ୍ରିଲ୍ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମ୍‌ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଭାରତ ସରକାରଙ୍କ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ବନ୍ଦ ନକରିଛି, ସେପର୍ଯ୍ୟନ୍ତ ଏହି ଚୁକ୍ତି କାର୍ଯ୍ୟକାରୀ ହୋଇପାରିବ ନାହିଁ। ଭାରତ ସ୍ପଷ୍ଟ କରିଛି ଯେ, ଯେଉଁ ପରିସ୍ଥିତିରେ ଏହି ଚୁକ୍ତି ହୋଇଥିଲା, ତାହା ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି।

ସ୍ୱାଧୀନତା ଦିବସ ସନ୍ଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହବାଜ ସରିଫ ଭାରତର ଏହି ନିଷ୍ପତ୍ତିକୁ ବେଆଇନ ବୋଲି ଅଭିଯୋଗ କରିବା ସହ ଭାରତକୁ "ଶାନ୍ତିର ଶତ୍ରୁ" ବୋଲି କହିଛନ୍ତି। ପାକିସ୍ତାନର ପ୍ରତ୍ୟେକ ବୁନ୍ଦା ପାଣି ଆମ ପାଇଁ 'ରେଡ୍ ଲାଇନ୍' (ସୀମାରେଖା)। ଜଳ ପ୍ରସଙ୍ଗରେ କୌଣସି ବୁଝାମଣା କରାଯିବ ନାହିଁ। ଯଦି ଭାରତ ସଠିକ୍ ମାର୍ଗକୁ ନଆସେ, ତେବେ ଆମେ ଏହାର ସିଧାସଳଖ ଜବାବ ଦେବୁ ବୋଲି ଫମ୍ପା ଧମକ ଦେଇଛନ୍ତି ଶାହବାଜ।

ଭାରତ ବିରୋଧରେ ବଡ଼ ବଡ଼ ଦାବି କରୁଥିବା ପାକିସ୍ତାନ ନିଜ ଦେଶ ଭିତରେ ଅନେକ ଗୁରୁତର ସଙ୍କଟର ସାମ୍ନା କରୁଛି । ବଲୋଚିସ୍ତାନର ନେତା ଓ ସାଧାରଣ ନାଗରିକମାନେ ପାକିସ୍ତାନର ସ୍ୱାଧୀନତା ଦିବସ (ଅଗଷ୍ଟ ୧୪) କୁ 'କଳା ଦିବସ' ଭାବରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ବଲୋଚ ନେତା ମୀର ୟାର ବଲୋଚ ଏବଂ ମାନବାଧିକାର କର୍ମୀ ଡକ୍ଟର ମାହରଙ୍ଗ ବଲୋଚ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନୀ ସେନା ବଲୋଚିସ୍ତାନର ସୁରାବ୍ ଅଞ୍ଚଳରେ ବିମାନ ଆକ୍ରମଣ କରି ୨୦ରୁ ଅଧିକ ନିରୀହ ସାଧାରଣ ନାଗରିକ ଓ ଶିଶୁଙ୍କୁ ହତ୍ୟା କରିଛି।

ସେପଟେ ଖାଇବର ପଖ୍‌ତୁନ୍‌ଖ୍ୱାରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ହିଂସା, ପାକିସ୍ତାନ ଅଧିକୃତ କାଶ୍ମୀରରେ ଚାଲିଥିବା ଜନଆନ୍ଦୋଳନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଗିରଫଦାରୀକୁ ନେଇ ସୃଷ୍ଟ ରାଜନୈତିକ ଅସ୍ଥିରତା ପାକିସ୍ତାନ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି।