ନୂଆଦିଲ୍ଲୀ, ୨୭/୦୮ : ନେପାଳରେ ଅଚାନକ ବନ୍ୟା ଆସିବା ନୂଆ ନୁହେଁ। ଭୌଗୋଳିକ ଦୃଷ୍ଟିରୁ ଦେଖିଲେ ଏଠାରେ ଅଚାନକ ବନ୍ୟା ଆସିବା ନିଶ୍ଚିତ । କାରଣ ନେପାଳର ନଦୀଗୁଡିକ ହିମାଳ ଅଞ୍ଚଳରୁ ବାହାରି ସଂକୀର୍ଣ୍ଣ ପଥରେ ଜନବସତିର ନିକଟତର ଦେଇ ପ୍ରବାହିତ ହେଉଛି । ବର୍ଷା ସମୟରେ ହିମାଳୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ନଦୀରେ ଜଳସ୍ତର ବଢ଼ି ଯାଇଥାଏ। ବେଳେ ବେଳେ ଭୂସ୍ଖଳନ ଯୋଗୁ ନଦୀର ଜଳସ୍ରୋତ ଅଟକି ପରବର୍ତ୍ତୀ ସମୟରେ ଏହି ଜଳ ତଳିଆ ଅଞ୍ଚଳକୁ ହଠାl ମାଡିଆସେ। ଯାହାଫଳରେ ଘରଦ୍ଵାର ଠାରୁ ଆରମ୍ଭ କରି ପୋଲ, ରାସ୍ତା ଯାହା ଏହାର ସମ୍ମୁଖକୁ ଆସିଲା ସବୁକିଛି ଭସାଇ ନିଏ।

ବେଳେ ବେଳେ ହିମାଳୟରେ ଥିବା ବରଫ ହ୍ରଦରେ ହଠାତ ପାଣି ବଢ଼ିଗଲା ପରେ ତାହା ଭୁଶୁଡି ପଡିବା ସହ ପ୍ରବଳ ବେଗରେ ପାଣି ମାଡ଼ିଆସି ବନ୍ୟା ପରିସ୍ଥିତି ସୃଷ୍ଟି କରେ। ପୂର୍ବରୁ ଏଭଳି ପ୍ରଳୟ ଘଟି ନେପାଳରେ ବହୁ ଧନଜୀବନ ହାନି ହୋଇଛି ।

Also Read :-ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଦମ୍ପତି ନିଖୋଜ ! ସୂଚନା ଦେବା ପାଇଁ ଜାରି ହେଲା ନମ୍ବର

୨୦୨୫:

ଗତବର୍ଷ ଜୁଲାଇ ୮ ତାରିଖରେ ରସୁସ୍ୱା ଜିଲ୍ଲାର ଭୋଟେକୋଶୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ତିବତ ଅଞ୍ଚଳରେ ଥିବା ଏକ ବରଫ ହ୍ରଦରୁ ହଠାତ ପାଣି ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୧୧ ଜଣ ନିଖୋଜ ହୋଇଯାଇଥିଲେ।

୨୦୨୪:

ପ୍ରବଳ ବର୍ଷା ଯୋଗୁ ୨୦୨୪ ସେପ୍ଟେମ୍ବର ୨୭-୨୮ରେ ନେପାଳରେ ଆସିଥିଲା ଭୟାବହ ବନ୍ୟା । ଏଥିରେ ୨୧ଟି ଜିଲ୍ଲା ପ୍ରଭାବିତ ହୋଇଥିଲା। ଏହି ବନ୍ୟାରେ ୨୫୦ ଜଣ ପ୍ରାଣ ହରାଇଥିଲା ବେଳେ ୧୮୦ରୁ ଅଧିକ ଆହତ ହୋଇଥିଲେ ।

୨୦୨୩:

ନେପାଳର କୋଶୀ ପ୍ରଦେଶ ଅନ୍ତର୍ଗତ ଶଙ୍ଖୁ ୱାସଭା, ତାପେଲଜଙ୍ଗ, ପଞ୍ଚଥର ଓ ଇଲମ ଅଞ୍ଚଳରେ ୨୦୨୩ ଜୁନରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ଷତି ହୋଇଥିଲା। ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ବନ୍ୟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଅନେକ ଆହତ ହୋଇଥିଲେ। ସେହିଭଳି ୨୫ରୁ ଅଧିକ ଲୋକ ନିଖୋଜ ଥିଲେ।

୨୦୨୨:

ନେପାଳର ପଶ୍ଚିମାଞ୍ଚଳରେ ଥିବା କର୍ଣାଲୀ ନଦୀ ଅବବାହିକାରେ ୨୦୨୨ ଅକ୍ଟୋବରରେ ବନ୍ୟା ଓ ଭୂସ୍ଖଳନ ଘଟିଥିଲା। ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୮୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। ଏଥିସହ ରାସ୍ତା, ବ୍ରିଜ, ଜଳବିଦ୍ୟୁତ କେନ୍ଦ୍ର ଓ ବ୍ରିଜ ଆଦି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା।

୨୦୨୧:

ସିନ୍ଧୁପାଲ ଚୌକ ଜିଲ୍ଲାର ମେଲାମଚି ନଦୀରେ ୨୦୨୧ ଜୁନରେ ଆସିଥିଲା ପ୍ରଳୟଙ୍କରୀ ବନ୍ୟା । ଏହି ନଦୀର ଜଳସ୍ରୋତ ଏତେ ପ୍ରଖର ଥିଲା ଯେ ବାଲି, ମାଟି, କାଦୁଅକୁ ପ୍ରାୟ ୭୦ କି.ମି. ତଳକୁ ବୋହି ନେଇଥିଲା। ଏଥିରେ ୩୦୦ ଘର ଓ ୨୦ ବ୍ରିଜ ଭାଙ୍ଗିଥିଲା ।