ଭୁବନେଶ୍ୱର: ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ବର୍ଷା ଯୋଗୁଁ ଓଡ଼ିଶାର ଦୁଇ ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାର ଦମ୍ପତି ନେପାଳ ଯାଇଥିବା ବେଳେ ସେମାନଙ୍କର କୌଣସି ପତ୍ତା ମିଳୁନଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ କାଠମାଣ୍ଡୁ ଯାଇଥିଲେ। ନେପାଳର ରସୁୱା ଅଞ୍ଚଳରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ଉଭୟ ନିଖୋଜ ହୋଇଥିବା ଜଣାପଡ଼ିଛି। ଦମ୍ପତିଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ନେପାଳରେ ଫସିଥିବା କିମ୍ବା ନିଖୋଜ ଥିବା ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେବା ଓ ନେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଜରୁରୀ ନମ୍ବର ଜାରି କରାଯାଇଛି। ଲୋକେ ୦୧୧-୨୩୦୧୨୮୦୭, ୭୪୨୮୧୩୫୦୪୪ ଓ ୮୫୨୭୫୮୦୨୪୫ ନମ୍ବରରେ ଯୋଗାଯୋଗ କରିପାରିବେ।

ଏହାସହ ଓଡ଼ିଆଙ୍କ ସହାୟତା ଓ ସମନ୍ୱୟ ପାଇଁ ଓଡ଼ିଶା ପରିବାରର ନୋଡାଲ ଅଧିକାରୀ ପ୍ରିତିଶ ପଣ୍ଡାଙ୍କୁ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

also read- ସତ ହୋଇଗଲା ଭବିଷ୍ୟବାଣୀ ! ବହୁ ବର୍ଷ ପୂର୍ବରୁ ନେପାଳ କଥା କହିଦେଇଥିଲେ ଏହି ମହିଳା, ଆଗକୁ ଘଟିବ ଏମିତି...

ନେପାଳରେ ଥିବା ଓଡ଼ିଆଙ୍କ ସୁରକ୍ଷା ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ନିଖୋଜ ଦମ୍ପତିଙ୍କୁ ଖୋଜିବା ନେଇ ସମନ୍ୱୟ କରାଯାଉଛି। ଏଭଳି ସ୍ଥିତିରେ ନିଖୋଜ ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀଙ୍କ ସୁରକ୍ଷିତ ଫେରିବାକୁ ପରିବାର ଓ ସମ୍ପର୍କୀୟମାନେ ଆଶା ରଖିଛନ୍ତି।