India's Wedding Economy: ବାଜିବ ସାହାନାଇ, ଉଠିବ ବାହାଘର ରୋଷଣୀ। ହସିବେ ବର-କନ୍ୟା, ଆଉ ମାଲାମାଲ ହେବେ ବ୍ୟବସାୟୀ! ଆସନ୍ତା ବିବାହ ଋତୁରେ ଦେଶରେ ହେବାକୁ ଯାଉଛି ବିବାହର ମହାକୁମ୍ଭ। ନଭେମ୍ବର ୨୧ରୁ ଡିସେମ୍ବର ୧୫। ମାତ୍ର ୨୫ ଦିନରେ ଦେଶରେ ହେବ ୫୨ ଲକ୍ଷ ବିବାହ। ଏହି ଆକଳନ କରିଛି ବ୍ୟବସାୟୀ ସଂଗଠନ CAIT। ଅର୍ଥାତ୍ ପ୍ରତିଦିନ ହେବ ହାରାହାରି ୨ ଲକ୍ଷରୁ ଅଧିକ ବାହାଘର। ଆଉ ଏହି ବାହାଘରରୁ ହେବ ପ୍ରାୟ ୭ ଲକ୍ଷ ୫ ହଜାର କୋଟି ଟଙ୍କାର କାରବାର। ଅର୍ଥାତ୍ ବାହାଘର କେବଳ ଦୁଇଟି ମନର ମିଳନ ନୁହେଁ, ଏହା ଦେଶର ଅର୍ଥନୀତି ପାଇଁ ମଧ୍ୟ ଏକ ବଡ଼ ବୁଷ୍ଟର୍ ହେବାକୁ ଯାଉଛି।

CAITର ଆକଳନ ଏବେ ବ୍ୟବସାୟ ଜଗତରେ ନୂଆ ଉତ୍ସାହ ଭରିଛି। କେବଳ ବର-କନ୍ୟା ନୁହନ୍ତି, ଏହି ବାହାଘର ଋତୁକୁ ଅପେକ୍ଷା କରିଛନ୍ତି ଗହଣା ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଲୁଗା ଦୋକାନୀ, ହୋଟେଲ ମାଲିକ, କ୍ୟାଟରିଂ ସଂସ୍ଥା ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ। ବିବାହକୁ ନେଇ ବଜାରରେ ହେବ କୋଟି କୋଟି ଟଙ୍କାର କାରବାର। କେଉଁ କ୍ଷେତ୍ରରେ କେତେ କାରବାର ହେବ ଆସନ୍ତୁ ଜାଣିବା।

ଏହି ବିବାହ ଋତୁରେ ସବୁଠୁ ଅଧିକ ଫାଇଦା ହେବ ସୁନା ଓ ଗହଣା ବଜାରର। ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ଗହଣା ବ୍ୟବସାୟ ହେବା ନେଇ ଆକଳନ କରାଯାଇଛି। ସେହିପରି ବର-କନ୍ୟାଙ୍କ ପୋଷାକ କିଣାରେ ଖର୍ଚ୍ଚ ହେବ ୯୦ ହଜାର କୋଟି ଟଙ୍କା। ଭୋଜି ପାଇଁ କ୍ୟାଟରିଂ ସେବାରେ ୭୫ ହଜାର କୋଟି ଏବଂ ମଣ୍ଡପ, ବ୍ୟାଙ୍କ୍ୱେଟ୍ ହଲ୍ ଓ ହୋଟେଲରେ ୬୦ ହଜାର କୋଟି ଟଙ୍କାର କାରବାର ହେବ। ଉପହାର ଓ ବିବାହ ସାମଗ୍ରୀ, ଗ୍ରୋସରି ଏବଂ ଖାଦ୍ୟ ସାମଗ୍ରୀ କ୍ଷେତ୍ରରୁ ୩୭,୫୦୦ କୋଟି ଟଙ୍କା ଲେଖାଏଁ ବ୍ୟବସାୟ ହେବା ନେଇ ଆକଳନ କରାଯାଇଛି।

ଇଲେକ୍ଟ୍ରୋନିକ୍ସ, ଶୁଖିଲା ଫଳ ଓ ମିଠା, ଆସବାବପତ୍ର ଏବଂ ଘରୋଇ ସାମଗ୍ରୀ କ୍ଷେତ୍ରରେ ମଧ୍ୟ ୩୦ ହଜାର କୋଟି ଟଙ୍କା ଲେଖାଏଁ କାରବାର ହୋଇପାରେ। ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ୱେଡିଂ ପ୍ଲାନିଂ ସହ ଫୁଲ ଓ ବିବାହ ସାଜସଜ୍ଜା କ୍ଷେତ୍ରରୁ ୩୭,୫୦୦ କୋଟି ଟଙ୍କା ଲେଖାଏଁ ବ୍ୟବସାୟ ହୋଇପାରେ। ଏହାବ୍ୟତୀତ ଯାତାୟାତ, ସଙ୍ଗୀତ ଓ ମନୋରଞ୍ଜନ ସେବାରୁ ୩୦ ହଜାର କୋଟି ଟଙ୍କା ଲେଖାଏଁ ଏବଂ ଫଟୋଗ୍ରାଫି, ଭିଡିଓଗ୍ରାଫି ଓ ବିୟୁଟି ସେବାରୁ ୨୨,୫୦୦ କୋଟି ଟଙ୍କା ଲେଖାଏଁ କାରବାର ହେବାର ଆକଳନ ରହିଛି।

ଏହି ବିବାହ ଋତୁରେ ଦିଲ୍ଲୀ-ଏନସିଆର୍ ରହିବ ସବୁଠୁ ଆଗରେ। ଏଠାରେ ପ୍ରାୟ ୫ ଲକ୍ଷ ବିବାହ ହେବା ସହ ୨.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି। ଚାନ୍ଦନୀ ଚୌକ୍, ସଦର ବଜାର, କରୋଲ ବାଗ୍, ଲାଜପତ ନଗର ଭଳି ବଜାରରେ ବଢ଼ିବ ଗ୍ରାହକଙ୍କ ଭିଡ଼। ଆଉ ଏହି ବିବାହ ଋତୁ କେବଳ ବ୍ୟବସାୟ ନୁହେଁ, ରୋଜଗାରର ମଧ୍ୟ ବଡ଼ ମାଧ୍ୟମ ହେବ। କ୍ୟାଟରିଂ, ସାଜସଜ୍ଜା, ଫଟୋଗ୍ରାଫି, ହୋଟେଲ, ପରିବହନ ଓ ବିୟୁଟି ସର୍ଭିସ୍ ଭଳି କ୍ଷେତ୍ରରେ ପ୍ରାୟ ୧ କୋଟି ୨୫ ଲକ୍ଷ ଅସ୍ଥାୟୀ ଓ ପାର୍ଟଟାଇମ୍ ନିଯୁକ୍ତି ସୃଷ୍ଟି ହେବା ନେଇ CAIT ଆକଳନ କରିଛି।

ବିବାହ ଖର୍ଚ୍ଚ ମଧ୍ୟ ଗ୍ରାହକଙ୍କ ବଜେଟ୍ ଅନୁସାରେ ଭିନ୍ନ ଭିନ୍ନ। ସାଧାରଣ ବିବାହ ପାଇଁ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଳାସପୂର୍ଣ୍ଣ ବିବାହରେ ଏହି ଖର୍ଚ୍ଚ ୪ରୁ ୫ କୋଟି କିମ୍ବା ତା'ଠାରୁ ଅଧିକ ହେଉଛି। CAITର ତଥ୍ୟ ଅନୁସାରେ, ୨୦୨୨ରେ ୩୨ ଲକ୍ଷ ବିବାହରୁ ୩.୭୫ ଲକ୍ଷ କୋଟି, ୨୦୨୩ରେ ୩୮ ଲକ୍ଷ ବିବାହରୁ ୪.୭୪ ଲକ୍ଷ କୋଟି, ୨୦୨୪ରେ ୪୮ ଲକ୍ଷ ବିବାହରୁ ୫.୯୦ ଲକ୍ଷ କୋଟି ଏବଂ ୨୦୨୫ରେ ୪୬ ଲକ୍ଷ ବିବାହରୁ ୬.୫୦ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା।

​​​​​​​

ଏଥର ୭.୫ ଲକ୍ଷ କୋଟିର ଟାର୍ଗେଟ୍। ଦେଖିବାକୁ ବାକି ରହିଲା, ବିବାହର ଏହି ମହାସିଜନ୍ ଦେଶର ବଜାରକୁ କେତେ ମାତ୍ରାରେ ଚମକାଉଛି। ତେବେ ମୋଟାମୋଟି କହିବାକୁ ଗଲେ, ଏଥର ବାହାଘରରେ କେବଳ ହେବନି ସମ୍ପର୍କର ମିଳନ, ବରଂ ଦେଶର ଅର୍ଥନୀତିକୁ ମିଳିବ ବଡ଼ ବଳ। ବାଜିବ ସାହାନାଇ, ଆଉ ବଢ଼ିବ ବ୍ୟବସାୟର ଗାଡ଼ି। ବ୍ୟୁରୋ ରିପୋର୍ଟ ନ୍ୟୁଜ -୭