ଭୁବନେଶ୍ବର: ସ୍ଥାନୀୟ ଅଞ୍ଚଳରେ ବଙ୍ଗଳାଟି ଥିଲା ‘ଭୂତ ବଙ୍ଗଳା’ ନାଁରେ କୁପରିଚିତ। ସ୍ଥାନୀୟ ଅଞ୍ଚଳରେ ଏହି ବଙ୍ଗଳାକୁ ନେଇ ଅନେକ କଥା ରହିଛି। ହେଲେ ଏହି ବଙ୍ଗଳାରେ ଘଟିଛି ଏକ ଭୟଙ୍କର ଏବଂ ଜଘନ୍ୟ ହତ୍ୟାକାଣ୍ଡ। ଯାହାକୁ ଶୁଣିଲେ ଛାତି ଥରି ଉଠିବ । ଘଟଣା ଘଟିଛି ଭୁବନେଶ୍ବର ପାଇକରାପୁର ଗ୍ରାମର।

ସୂଚନା ଅନୁସାରେ, ଗ୍ରାମରେ ଥିବା ଉକ୍ତ ପରିତ୍ୟକ୍ତ କୋଠାର ଦେଖାଶୁଣା କରୁଥିଲେ ଦିବାକାର ଭୋଇ ଓ ତାଙ୍କ ପୁଅ ବ୍ରଜକିଶୋର ଭୋଇ ଓରଫ୍ ବାପି। ହେଲେ ‘ଭୂତ ବଙ୍ଗଳା’ର ଭୟ ରହିଥିବାରୁ ଉଭୟଙ୍କର ପିରିଚିତ ମହନୀ ଦାସ, ବଳରାମ ଭୋଇ ଓରଫ ବିନୁ, ବିଷ୍ଣୁ ବେହେରା ଓରଫ ହନୁ, ଲିପୁ ଓରଫ ସନ୍ଦୀପ ଭୋଇ ଏବଂ ବ୍ରଜକିଶୋର ରାତିରେ ସେହି କୋଠାରେ ଶୋଉଥିଲେ ।

କିନ୍ତୁ ଗତ ଅଗଷ୍ଟ ୧ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସମସ୍ତେ ଶୋଇଥିବା ବେଳେ, ବ୍ରଜକିଶୋର ଏକ ମୋଟା ବାଉଁଶ ଲାଠି ଧରି ବଙ୍ଗଳାକୁ ପ୍ରବେଶ କରିଥିଲା। ଆଉ ଗାଳିଗୁଲଜ କରିବା ସହ ସମସ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ମହନୀ ଦାସ ଗୁରୁତର ଆହତ ହୋଇଥିଲେ। ଆଉ ଘଟଣାକୁ ଦେଖି ଭୟଭୀତ ହୋଇ ବିନୁ ଓ ହନୁ ସେଠାରୁ ପଳାଇ ଯାଇଥିଲେ। ଏମିତିରେ ମହନୀ ଦାସଙ୍କ ମୃତ୍ୟୁ ହୋଇଥିବା ଭାବି ଅଭିଯୁକ୍ତ ବାପି ଭୋଇ ମଧ୍ୟ ଘଟଣାସ୍ଥଳରୁ ପଳାଇଯାଇଥିଲା।

ତଦନ୍ତ ସମୟରେ ଜଣାପଡ଼ିଛି ଯେ, ଘଟଣା ପରେ ଅଭିଯୁକ୍ତ ବାପି ତାଙ୍କ ବନ୍ଧୁ ମାନସ କୁମାର ଭୋଇଙ୍କୁ ଫୋନ୍ କରିଥିଲେ। ସେ ମାନସଙ୍କୁ କହିଥିଲେ ଯେ, ମହନୀ ଦାସକୁ ଭୂତ ଛାତରୁ ଠେଲି ଦେଇଛି। ଆଉ ସେ ଛାତରୁ ଖସିପଡ଼ି ଗୁରୁତର ଆହତ ହୋଇଛି । ଏହାପରେ ବାପି ଓ ମାନସ ଆହତ ମହନୀଙ୍କୁ ପ୍ରଥମେ ସମ୍ ହସ୍ପିଟାଲ୍ ଏବଂ ପରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ନେଇଥିଲେ। ପ୍ରକୃତ ଘଟଣାକୁ ଲୁଚାଇବା ଉଦ୍ଦେଶ୍ୟରେ ବାପି ଭୋଇ ଡାକ୍ତରଙ୍କୁ ମଧ୍ୟ ମିଥ୍ୟା ସୂଚନା ଦେଇଥିଲେ ଯେ, ମହନୀ ଦାସ ଛାତରୁ ଖସିପଡ଼ି ଆହତ ହୋଇଛନ୍ତି ।

ଅନପଟେ ଏମ୍ସରେ ଚିକିତ୍ସାଧୀନ ଥିବାବେଳେ ବାପି ଭୋଇ, ମହନୀଙ୍କ ପତ୍ନୀ ଓ ତାଙ୍କ ପରିବାରକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ମହନୀ ଦାସକୁ ଭୂତ ଛାତରୁ ଠେଲି ଦେଇଥିବାରୁ ସେ ଗୁରୁତର ଆହତ ହୋଇଛି ଏବଂ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା କହିଥିଲା । ଏହା କହିବା ପରେ ବାପି ଭୋଇ ସେହି ଅଞ୍ଚଳରୁ ପଳାଇ ଯାଇଥିଲେ।

Also Read: କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ସେଠୀ ମୃତ୍ୟୁ ମାମଲାରେ ଟ୍ବିଷ୍ଟ, ସନ୍ଦେହ ବଢ଼ାଇଲା ପୋଷ୍ଟ ମର୍ଟମ ରିପୋର୍ଟ

ପରଦିନ ସକାଳେ ମହନୀଙ୍କ ପତ୍ନୀ ଘଟଣା ବାବଦରେ ପ୍ରତ୍ୟକ୍ଷଦର୍ଶୀ ହନୁ ଓ ବିନୁଙ୍କୁ ପଚାରିଥିଲେ । ସେମାନେ କହିଥିଲେ ଯେ, ମହନୀ ଦାସ ଛାତରୁ ଖସିପଡ଼ିନଥିଲେ ବରଂ ବାପି ଭୋଇ ତାଙ୍କୁ ଏକ ବାଉଁଶ ଲାଠିରେ ଆକ୍ରମଣ କରିଥିଲେ । ପରେ ମହନୀ ଦାସଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକସ୍ଥିତ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମହନୀ ଦାସଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ଏହି ମାମଲାର ତଦନ୍ତ କରିବା କ୍ରମେ ଅଭିଯୁକ୍ତ ବ୍ରଜକିଶୋର ଭୋଇ ଓରଫ ବାପିଙ୍କୁ ଗିରଫ କରିଛି। ପଚରାଉଚରା ବେଳେ, ସେ ନିଜର ଦୋଷ ସ୍ଵୀକାର କରିଥିବା ଜଣାପଡ଼ିଛି।