ନୂଆଦିଲ୍ଲୀ, ୦୪/୦୬ : ଦିଲ୍ଲୀର ମାଲବ୍ୟ ନଗରରେ ଥିବା ଫ୍ଲୋରିସ୍ ଷ୍ଟେ ରେଷ୍ଟୁରାଣ୍ଟରେ ବୁଧବାର ଭୟଙ୍କର ନିଆଁ ଲାଗିଥିଲା । ଏଥିରେ ୨୧ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ସବୁଠାରୁ ଦୁଃଖର କଥା ଯେ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୮ ଜଣ ଜଳି ଯାଇଛନ୍ତି ।

ଜଳିଗଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଚଙ୍କ ପରିବାର

ରିପୋର୍ଟ ଅନୁସାରେ, ବିବେକ ଅଗ୍ରଓ୍ୱାଲ ନାମକ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଗୁରଗ୍ରାମର ସେକ୍ଟର୍ ୪୬ରେ ରୁହନ୍ତି । ସେ ନିଜ ପିତାଙ୍କୁ ଦେଖା କରିବାକୁ ଦିଲ୍ଲୀ ଆସିଥିଲେ । ପତ୍ନୀ ଏବଂ ଦୁଇ ଝିଅଙ୍କୁ ସମେତ ଅନ୍ୟ ୪ ସମ୍ପର୍କୀୟଙ୍କୁ ନେଇ ସେ ଦିଲ୍ଲୀ ଆସିଥିଲେ । ତେବେ ଫ୍ଲୋରିସ୍ ଷ୍ଟେରେ ସେ ଦୁଇଟି ରୁମ୍ ବୁକ୍ କରିଥିଲେ । ତେବେ ସେମାନେ ରେଷ୍ଟୁରାଣ୍ଟରେ ଜଳଖିଆ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ସମସ୍ତ ୮ ଜଣ ସଦସ୍ୟ ଏଥିରେ ପୋଡିଯାଇ ପ୍ରାଣ ହରାଇଛନ୍ତି ।

Also Read :- ହସ୍ପିଟାଲର ICUରେ ନିଆଁ : ତିନି ରୋଗୀ ମୃତ, ୨୦ ଗୁରୁତର

ସବୁଠାରୁ ଦୁଃଖର କଥା ହେଲା ଯେ, ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଛନ୍ତି । କେବଳ ବିବେକଙ୍କ ପିତା ରାଧେଶ୍ୟାମ୍ ଅଗ୍ରଓ୍ୱାଲ ହିଁ ରହିଯାଇଛନ୍ତି । ସେ ରେଷ୍ଟୁରାଣ୍ଟରେ ନଥିଲେ । ତାଙ୍କର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସମସ୍ତଙ୍କ ମୃତ୍ୟୁ ଖବର ଶୁଣି ସେ ମଧ୍ୟ ବ୍ୟଥିତ ହୋଇ ପଡିଛନ୍ତି ।

ବିବେକଙ୍କ ମୃତ୍ୟୁ ଖବର ଶୁଣି ଅନ୍ୟ ସମ୍ପର୍କୀୟମାନେ ହସ୍ପିଟାଲ ଆସିଥିଲେ । ସେମାନେ ମୃତଦେହ ନେବାକୁ ଜିଦ୍ ଧରିଥିଲେ । ହେଲେ ଡିଏନଏ ଟେଷ୍ଟ୍ ପରେ ହିଁ ମୃତଦେହ ପ୍ରଦାନ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ବୁଧବାର ଦିଲ୍ଲୀର ଫ୍ଲୋରିସ୍ ଷ୍ଟେ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୨୧ ଜଣ ପ୍ରାଣ ହରାଇଛନ୍ତି । ସକାଳ ୮ଟା ୩୦ ମିନିଟରେ ପ୍ରଥମେ ନିଆଁ ଲାଗିଥିବା ଖବର ଆସିଥିଲା । ଘଟଣାରେ ରେଷ୍ଟୁରାଣ୍ଟର ମାଲିକଙ୍କୁ ପୋଲିସ ଗିରଫ କରିଥିବା ବେଳେ ତଦନ୍ତ ଜାରି ରହିଛି ।