ନୂଆଦିଲ୍ଲୀ, ୦୪/୦୬ : ଦିଲ୍ଲୀ ମାଲବ୍ୟ ନଗରରେ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟଣା ଲୋକଙ୍କ ମନରୁ ଲିଭିନାହିଁ । ବୁଧବାର ଘଟିଥିବା ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ । ଏହି ଘଟଣାର ୨୪ ଘଣ୍ଟା ନପୁରୁଣୁ ବିହାରର ଏକ ହସ୍ପିଟାଲରେ ଭୟଙ୍କର ନିଆଁ ଲାଗିଛି ।

ରିପୋର୍ଟ ଅନୁସାରେ, ବିହାରର ମୁଜଫରପୁରରେ ଥିବା ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ତିନି ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଏହାସହ ଆହୁରି ଅନେକ ଆହତ ହୋଇଛନ୍ତି। ଉଦ୍ଧାର ହୋଇଥିବା ଅନେକ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଗୁରୁବାର ସକାଳେ ହିଁ ମୁଜଫରପୁର ବ୍ରହ୍ମପୁରାରେ ଥିବା ପ୍ରସାଦ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଫଳରେ ଆତଙ୍କ ଖେଳିଯାଇଥିଲା । ହସ୍ପିଟାଲର ପଞ୍ଚମ ମହଲାରେ ଥିବା ଆଇସିୟୁରେ ପ୍ରଥମେ ନିଆଁ ଲାଗିଥିଲା । ଏହାପରେ ହସ୍ପିଟାଲର ସାରା ବିଷାକ୍ତ ଧୂଆଁ ଖେଳିଯାଇଥିଲା ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଏବେସୁଦ୍ଧା ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ରହିଛନ୍ତି । ଏବେବି ଅଗ୍ନିଶମ ବିଭାଗର ୧୨ରୁ ଅଧିକ ଗାଡି ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । କିଛି କିଛି ରୋଗୀଙ୍କୁ ହସ୍ପିଚାଲର ଝରକା ଦେଇ ଉଦ୍ଧାର କରଯାଉଛି ।