ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ଆପଲର ଭାରତୀୟ ସପ୍ଲାୟର କମ୍ପାନୀ 'ଟାଟା ଇଲେକ୍ଟ୍ରୋନିକ୍ସ'ରୁ ଡାଟା ଚୋରି କରିଥିବା ରାନସମୱେୟାର ଗ୍ରୁପ୍ ଡାର୍କ ୱେବରେ କିଛି ଫାଇଲ୍ ପୋଷ୍ଟ କରିଛି। ଏହି ଫାଇଲଗୁଡ଼ିକରେ ଆପଲର ଆଗାମୀ iPhone 18 Pro ମଡେଲର ସପ୍ଲାୟର ଏବଂ ପାର୍ଟସର ସମ୍ବେଦନଶୀଳ ତାଲିକା ସହିତ ଫଟୋ ରହିଥିବା ଜଣାପଡ଼ିଛି।

ଆପଲ୍ ସାରା ବିଶ୍ୱର ବିଭିନ୍ନ ଯୋଗାଣକାରୀଙ୍କ ସହାୟତାରେ ଆଇଫୋନ୍ ତିଆରି କରେ। ଏହି ଲିକ ଆପଲର ବ୍ୟବସାୟକୁ ବିପଦରେ ପକାଇଛି। ଏହାଛଡ଼ା, ଟାଟା ସହ ଆପଲର ସମ୍ପର୍କକୁ ମଧ୍ୟ ଏହା ପ୍ରଭାବିତ କରିପାରେ, କାରଣ ଆପଲ୍ ଏହି ଯୋଗାଣକାରୀ ବ୍ୟବସ୍ଥାକୁ ଅତ୍ୟନ୍ତ ଗୋପନୀୟ ରଖିଥାଏ। ଏହି ତଥ୍ୟ ଲିକ ହେବା ଦ୍ୱାରା ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ, ନକଲି ଉତ୍ପାଦ ପ୍ରସ୍ତୁତକାରୀ ଏବଂ ଅନ୍ୟ ବିକ୍ରେତାମାନେ ଜାଣିପାରିବେ ଯେ କେଉଁ ପାର୍ଟସ୍ କିଏ ତିଆରି କରୁଛି।

ଟାଟା ବର୍ତ୍ତମାନ ଆଇଫୋନ୍ ପାର୍ଟସ୍ ଯୋଗାଣ କରିବା ସହିତ ଏହାକୁ ଆସେମ୍ବଲ୍ (ଯୋଡ଼ିବା) ମଧ୍ୟ କରୁଛି। ଚୀନ୍ ବାହାରେ ଆପଲ୍ର ଅନ୍ୟତମ ପ୍ରମୁଖ ଉତ୍ପାଦନ ଭାବେ ଉଭା ହୋଇଛି। ହେଲେ ଏହି ଡାଟା ଲିକ୍ ଉଭୟ କମ୍ପାନୀ ମଧ୍ୟରେ ଫାଟ ସୃଷ୍ଟି କରିପାରେ।

ରିପୋର୍ଟ ଅନୁଯାୟୀ, ଆପଲ୍ ସେପ୍ଟେମ୍ବର ମାସରେ ଆଇଫୋନ୍ ୧୮ ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ରିଲିଜ୍ କରିବାର ଯୋଜନା ରଖିଛି। ତେଣୁ ବର୍ତ୍ତମାନ ସମୟରେ ଏଭଳି ସମ୍ବେଦନଶୀଳ ଡାଟା ଲିକ୍ ହେବା ଆପଲ୍ ପାଇଁ ନିଶ୍ଚିତ ପକ୍ଷେ ଚିନ୍ତାର ବିଷୟ। ଗତ ସପ୍ତାହରେ ମେମୋରୀ ଏବଂ ଷ୍ଟୋରେଜ୍ ଚିପର ମୂଲ୍ୟ ବୃଦ୍ଧି ହେତୁ ଆପଲ୍ ଆଇପ୍ୟାଡ୍ ଏବଂ ମ୍ୟାକବୁକ୍ ର ଦାମ୍ ବଢ଼ାଇଥିଲା ଏବଂ ବିଶ୍ଳେଷକମାନେ ଆଶା କରୁଛନ୍ତି ଯେ ଆଗାମୀ ମାସଗୁଡ଼ିକରେ ଆପଲ୍ ଆଇଫୋନର ଦାମ୍ ମଧ୍ୟ ବଢ଼ାଇପାରେ।

ରଏଟର୍ସ ପୂର୍ବରୁ ରିପୋର୍ଟ କରିଥିଲା ଯେ 'ୱାର୍ଲ୍ଡ ଲିକ୍ସ' ନାମକ ଗ୍ରୁପ୍ ଟାଟା ଇଲେକ୍ଟ୍ରୋନିକ୍ସରୁ ୨୦୦,୦୦୦ ରୁ ଅଧିକ ଫାଇଲ୍ ଡାର୍କ ୱେବରେ ଲିକ କରିଛି। ଏଥିରେ ପୁରୁଣା ଆଇଫୋନ୍ ଏବଂ ଟେସଲାର କିଛି ପାର୍ଟସର ଡିଜାଇନ୍ କାଗଜପତ୍ର ମଧ୍ୟ ରହିଛି। ଏମାନେ ସମସ୍ତେ ଟାଟାର ଗ୍ରାହକ। ଏଥିରେ ତାଇୱାନ ସେମିକଣ୍ଡକ୍ଟର ମାନୁଫ୍ୟାକ୍ଚରିଂ କୋ (TSMC) ଏବଂ କ୍ୱାଲକମ୍ (Qualcomm) ର ଦସ୍ତାବିଜ ମଧ୍ୟ ସାମିଲ ଅଛି, ଯେଉଁମାନେ ଆଇଫୋନରେ ବ୍ୟବହୃତ ପାର୍ଟସ୍ ତିଆରି କରନ୍ତି।

ଲିକ୍ ଡକ୍ୟୁମେଣ୍ଟରେ ରହିଛି ଆପଲର ଗୁମର

ରଏଟର୍ସ ରିପୋର୍ଟ ଅନୁସାରେ, ଲିକ ହୋଇଥିବା ନୂଆ ଡକ୍ୟୁମେଣ୍ଟରେ ଅତି କମରେ ୬ଟି ଫାଇଲ୍ ଅଛି ଯାହା ଆଇଫୋନ୍ ୧୮ ପ୍ରୋ ମଡେଲର ଅନେକ ପାର୍ଟସକୁ କେଉଁ କମ୍ପାନୀ ଯୋଗାଉଛନ୍ତି ଏହାର ତଥ୍ୟ ରହିଛି। ଏଥିରେ ମେନ୍ ସର୍କିଟ୍ ବୋର୍ଡର ଚିପ୍, ବ୍ୟାଟେରୀ ଏବଂ କ୍ୟାମେରାର ପାର୍ଟସ୍ ସମ୍ବନ୍ଧୀୟ ବିବରଣୀ ରହିଛି। ଆପଲ୍ ପାଇଁ ଏସବୁ ଖୁ୍ ସମ୍ବେଦନଶୀଳ ବିବରଣୀ। ଡାର୍କ ୱେବରେ ଏହି ଦସ୍ତାବିଜ ସବୁ ଶେୟାର ହେଉଥିବାରୁ କମ୍ପାନୀ ଚିନ୍ତିତ ଅଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଥିବା ରୟଟର୍ସ କହିଛି। କାରଣ ଲିକ୍ ହୋଇଥିବା ଡକ୍ୟୁମେଣ୍ଟରେ ଲଞ୍ଚ ହୋଇ ନଥିବା ଆପଲର ସ୍ମାର୍ଟଫୋନଗୁଡ଼ିକ ରହିଛି। ଯାହା ଆଇଫୋନ୍ ପାର୍ଟସ୍ ଏବଂ ଯୋଗାଣକାରୀଙ୍କ ମଧ୍ୟରେ ସମ୍ପର୍କକୁ ସ୍ପଷ୍ଟ କରୁଛି। ଏହି ଥତ୍ୟ ଆପଲ୍ କେବେ ବି ସାର୍ବଜନୀନ କରେ ନାହିଁ। ତେଣୁ କମ୍ପାନୀ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ।

ଆଇଫୋନ୍ ୧୮ ପ୍ରୋ ଫାଇଲ୍ ଫୋଲ୍ଡର ଭିତରେ ଟାଟାର ଏକ ପ୍ଲାଣ୍ଟରେ ଆଇଫୋନର ଡ୍ରପ୍ ଟେଷ୍ଟ କରାଯାଉଥିବାର ଫଟୋ ରହିଛି, ଯାହା ୨୦୨୬ ମସିହାର ଆରମ୍ଭର ଫଟୋ। ସେଥିରେ ଏକ ସ୍ଲାବ-ଆକୃତିର, ଧୂସର ରଙ୍ଗର ହ୍ୟାଣ୍ଡସେଟ୍, ତିନୋଟି ପଛ କ୍ୟାମେରା ସେଟଅପ୍ ଏବଂ ଆପଲ୍ ଲୋଗୋ ଦେଖିବାକୁ ମିଳୁଛି।