ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିର ଅଧୀନରେ ଥିବା ଜମିର ସେଟଲମେଣ୍ଟକୁ ନେଇ ରାଜ୍ୟ କ୍ୟାବିନେଟ୍ ନେଇଛି ବଡ଼ ନିଷ୍ପତ୍ତି । ଦୀର୍ଘ ବର୍ଷ ଧରି ଦଖଲରେ ଥିବା ଜମିକୁ ନିର୍ଦ୍ଦିଷ୍ଟ ସର୍ତ୍ତ ଓ ଧାର୍ଯ୍ୟ ମୂଲ୍ୟ ଆଧାରରେ ସେଟଲମେଣ୍ଟ କରାଯିବ । ଏଥିପାଇଁ ଜମିର ପ୍ରକାର, ଦଖଲ ଅବଧି ଓ ଜମିର ପରିମାଣ ଅନୁସାରେ ଭିନ୍ନ ଭିନ୍ନ ନିୟମ ଧାର୍ଯ୍ୟ କରାଯାଇଛି।

ଦଖଲ ଅବଧି ଅନୁସାରେ ଧାର୍ଯ୍ୟ ହେବ ଜମିର ଦାମ

ବସ୍ତି ଜମି କ୍ଷେତ୍ରରେ ୨୦୧୯ ଫେବ୍ରୁଆରୀ ୨୮ ସୁଦ୍ଧା ଜମି ଦଖଲର ଅବଧିକୁ ଆଧାର କରି ଦାମ ନିର୍ଦ୍ଧାରଣ କରାଯିବ। ଏଥିରେ ବେଞ୍ଚମାର୍କ ଭାଲ୍ୟୁ (BMV) କିମ୍ବା ALSS ମଧ୍ୟରୁ ଯେଉଁଟି ଅଧିକ, ତାହାକୁ ଆଧାର କରାଯିବ।

୩୦ ବର୍ଷରୁ ଅଧିକ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ଜମି ମୂଲ୍ୟର ୧୦ ପ୍ରତିଶତ, ସେବକଙ୍କ ପାଇଁ ୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୭.୫ ପ୍ରତିଶତ ଦେବାକୁ ପଡ଼ିବ।

ସେହିପରି ୨୦ରୁ ୩୦ ବର୍ଷ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ୧୫ ପ୍ରତିଶତ, ସେବକଙ୍କ ପାଇଁ ୭.୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୧୦ ପ୍ରତିଶତ ଦେବାକୁ ପଡ଼ିବ।

ଅନ୍ୟପଟେ ୧୨ରୁ ୨୦ ବର୍ଷ ଦଖଲ ଥିଲେ ସାଧାରଣ ଲୋକଙ୍କ ପାଇଁ ୨୫ ପ୍ରତିଶତ, ସେବକଙ୍କ ପାଇଁ ୧୨.୫ ପ୍ରତିଶତ ଏବଂ ନିଯୋଗ ସେବକଙ୍କ ପାଇଁ ୧୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି।

ତେବେ ୦.୧୦୦ ଏକରରୁ ଅଧିକ ଏବଂ ୦.୨୫୦ ଏକର ପର୍ଯ୍ୟନ୍ତ ବସ୍ତି ଜମି ହେଲେ ପୁରା ବେଞ୍ଚମାର୍କ ଭାଲ୍ୟୁ ଦେବାକୁ ପଡ଼ିବ।

ଜମି ପରିମାଣ ଅନୁସାରେ ଅନୁମୋଦନ କ୍ଷମତା

ନୂଆ ନିୟମରେ ଜମିର ପରିମାଣ ଅନୁସାରେ ଅନୁମୋଦନ କ୍ଷମତା ମଧ୍ୟ ବଣ୍ଟନ କରାଯାଇଛି।

୦.୦୫୦ ଏକର ପର୍ଯ୍ୟନ୍ତ ବସ୍ତି ଜମି ଏବଂ ୧ ଏକର ପର୍ଯ୍ୟନ୍ତ କୃଷି ଜମି ପାଇଁ କଲେକ୍ଟର ଅନୁମୋଦନ ଦେଇପାରିବେ।

୦.୦୫୦ରୁ ୦.୧୦୦ ଏକର ବସ୍ତି ଜମି ଏବଂ ୧ରୁ ୨ ଏକର କୃଷି ଜମି ପାଇଁ RDCଙ୍କ ଅନୁମୋଦନ ଆବଶ୍ୟକ ହେବ।

୦.୧୦୦ରୁ ୦.୨୫୦ ଏକର ବସ୍ତି ଜମି ଏବଂ ୦.୨୫୦ ଏକର ପର୍ଯ୍ୟନ୍ତ ବାଣିଜ୍ୟିକ ଜମି ପାଇଁ ବିଧି ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଅନୁମୋଦନ ଦେବେ।

Also Read: ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ୧୨ ବିଭାଗର ୧୮ ପ୍ରସ୍ତାବକୁ ମଞ୍ଜୁରୀ

କୃଷି ଜମି ପାଇଁ ଅଲଗା ନିୟମ

କୃଷି ଜମି ସେଟଲମେଣ୍ଟ ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ ରହିଛି । ସେବକମାନେ ୧ ଏକର ପର୍ଯ୍ୟନ୍ତ କୃଷି ଜମି ପାଇଁ ବେଞ୍ଚମାର୍କ ଭାଲ୍ୟୁର ୫୦ ପ୍ରତିଶତ ଦେବେ। ଯଦି ଜମିର ପରିମାଣ ୧ରୁ ୨ ଏକର ମଧ୍ୟରେ ହୁଏ, ତେବେ ପୁରା ବେଞ୍ଚମାର୍କ ଭାଲ୍ୟୁ ଦେବାକୁ ପଡ଼ିବ।

ଶ୍ରୀମନ୍ଦିର ଜମିର ଦୀର୍ଘଦିନର ଦଖଲ ଓ ସେଟଲମେଣ୍ଟ ସମସ୍ୟାକୁ ଏକ ନିର୍ଦ୍ଦିଷ୍ଟ ନିୟମ ଓ ପ୍ରକ୍ରିୟା ମାଧ୍ୟମରେ ସମାଧାନ କରିବା ଦିଗରେ ଏହି ନିଷ୍ପତ୍ତିକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।