ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ୪୭ତମ ବୈଠକରେ ସୋମବାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ବିଦ୍ୟୁତ, ଶିକ୍ଷା, ନିଯୁକ୍ତି ଓ ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ବିଦ୍ୟୁତ କ୍ଷେତ୍ରରେ ବଡ଼ ନିବେଶ

ରାଜ୍ୟ ଇତିହାସରେ ବିଦ୍ୟୁତ କ୍ଷେତ୍ର ପାଇଁ ସବୁଠାରୁ ବଡ଼ ନିବେଶ ଭାବେ ୧୫,୯୪୮.୭୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ ମିଳିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ୭୬୫ କେଭି ନେଟୱାର୍କ ବିକଶିତ କରାଯିବ । ଏହାସହ ଖୁଣ୍ଟୁଣୀ, ଡୁବୁରୀ ଓ କୋଲାବିରାରେ ୩ଟି ନୂଆ ଗ୍ରିଡ୍ ସବ୍‌ଷ୍ଟେସନ୍ ନିର୍ମାଣ ହେବ । ରାଜ୍ୟରେ ୪୦୦ କେଭି ନେଟୱାର୍କ ୫ଟିରୁ ବୃଦ୍ଧି ପାଇ ୧୩ଟି ହେବାକୁ ଥିବାବେଳେ ୨୨୦ କେଭି ନେଟୱାର୍କ ୪୮ରୁ ୭୫କୁ ବୃଦ୍ଧି କରାଯିବ। ହୀରାକୁଦ ଓ ଇନ୍ଦ୍ରାବତୀରେ ଫ୍ଲୋଟିଂ ସୋଲାର ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ନେଟୱାର୍କ ସହିତ AI ଆଧାରିତ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ।

ଶ୍ରୀଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ

ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନାକୁ ନେଇ ମଧ୍ୟ କ୍ୟାବିନେଟ୍ ବଡ ନିଷ୍ପତ୍ତି ନେଇଛି। ଶ୍ରୀଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ, ୨୦୨୬ ଲାଗୁ କରିବାକୁ ଅନୁମୋଦନ ମିଳିଛି। ଏହା ସହ ୨୦୦୩ ଓ ୨୦୧୯ର ୟୁନିଫର୍ମ ପଲିସିକୁ ବାତିଲ କରାଯାଇଛି। ନୂଆ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଅନଲାଇନ୍ ପୋର୍ଟାଲ, GIS ମ୍ୟାପିଂ ଏବଂ ଭୂଲେଖ ସହ ସଂଯୋଗ ଭଳି ବ୍ୟବସ୍ଥା ରହିବ। BMV/ALSS ମଧ୍ୟରୁ ଯେଉଁ ହାର ଅଧିକ ହେବ, ସେହି ହାରରେ ସେଟଲମେଣ୍ଟ କରାଯିବ। ଜମି କାରବାରରେ ଜାଲିଆତି ରୋକିବା ପାଇଁ ମଧ୍ୟ କଡ଼ା ପ୍ରାବଧାନ ରହିବ।

ସରକାରୀ ସ୍କୁଲ ପାଇଁ ‘ପଞ୍ଚସଖା ଶିକ୍ଷା ସେତୁ’

ଶିକ୍ଷା କ୍ଷେତ୍ରରେ ମଧ୍ୟ ଆସିଛି ନୂଆ ଯୋଜନା। ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନାକୁ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ଅଧୀନରେ ସରକାରୀ ସ୍କୁଲଗୁଡ଼ିକ ପାଇଁ ଦାନ କରାଗଲେ ସରକାର ତାହାର ଦୁଇଗୁଣା ଅର୍ଥ ମ୍ୟାଚିଂ ଗ୍ରାଣ୍ଟ ଭାବେ ଦେବେ। ଅର୍ଥାତ୍, ଦାତା ୧ ଟଙ୍କା ଦାନ କଲେ ସରକାର ୨ ଟଙ୍କା ଦେବ। ତେବେ ସରକାରୀ ମ୍ୟାଚିଂ ଗ୍ରାଣ୍ଟର ସର୍ବାଧିକ ସୀମା ୫୦ ଲକ୍ଷ ଟଙ୍କା ରହିବ। ଏହି ଯୋଜନାରେ ୫ ବର୍ଷରେ ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚ ହେବ।

Also Read: ସ୍ବଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬: BMCର ଦୁଇ ଓ୍ବାର୍ଡକୁ ମିଳିଲା ପୁରସ୍କାର

ନିଯୁକ୍ତି ପ୍ରକ୍ରିୟାରେ ବଡ଼ ସଂସ୍କାର

ୟୁନିଫର୍ମ ନିଯୁକ୍ତି ବ୍ୟବସ୍ଥାରେ ମଧ୍ୟ ସଂସ୍କାର ଅଣାଯାଇଛି। OUSSSC ନିୟମ, ୨୦୨୫ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି। ପୋଲିସ, ଜେଲ, ଅବକାରୀ ଓ ଜଙ୍ଗଲ ବିଭାଗର ସମସ୍ତ ଗ୍ରୁପ୍-ସି ପଦବୀ ପାଇଁ ଗୋଟିଏ ପରୀକ୍ଷା କରାଯିବ। ଏହି ପରୀକ୍ଷାର ନାମ Combined Recruitment Examination (CRE) ରଖାଯାଇଛି। ଏହା ଦ୍ୱାରା ବିଭିନ୍ନ ବିଭାଗର ଗ୍ରୁପ୍-ସି ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ ଓ ସମନ୍ୱିତ କରିବା ଲକ୍ଷ୍ୟ ରହିଛି।

ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟରେ ପଦକ୍ଷେପ

ସ୍ୱାସ୍ଥ୍ୟ, ଗୃହ, ସାଧାରଣ ପ୍ରଶାସନ, କୃଷି, ସମବାୟ ସମେତ ୧୨ରୁ ଅଧିକ ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି। ଭିତ୍ତିଭୂମି ବିକାଶ, ଶିକ୍ଷା, ନିଯୁକ୍ତି ଓ ପ୍ରଶାସନିକ ସଂସ୍କାରକୁ ଗୁରୁତ୍ୱ ଦେଇ ନିଆଯାଇଥିବା ଏହି ନିଷ୍ପତ୍ତିଗୁଡ଼ିକ ‘ବିକଶିତ ଓଡ଼ିଶା ୨୦୩୬’ ଲକ୍ଷ୍ୟ ଦିଗରେ ଏକ ବଡ ପଦକ୍ଷେପ ବୋଲି ସରକାର ପକ୍ଷରୁ କୁହାଯାଇଛି।