ନୂଆଦିଲ୍ଲୀ: ସିବିଏସଇ (CBSE)ର ଡିଜିଟାଲ୍ ମୂଲ୍ୟାଙ୍କନ ବ୍ୟବସ୍ଥା ବା 'ଅନ୍-ସ୍କ୍ରିନ୍ ମାର୍କିଂ' (OSM) ପୋର୍ଟାଲ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ବୋର୍ଡର ଅଧ୍ୟକ୍ଷ (Chairman) ଏବଂ ସଚିବଙ୍କୁ ବଦଳି କରିବା ସହ ସମଗ୍ର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସିବିଏସଇ ପରୀକ୍ଷା ଖାତା ମୂଲ୍ୟାଙ୍କନ ଏବଂ ଫଳାଫଳ ପରବର୍ତ୍ତୀ ପ୍ରକ୍ରିୟାରେ ଦେଖାଦେଇଥିବା ତ୍ରୁଟି ଯୋଗୁଁ ଦେଶବ୍ୟାପୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ସରକାର ଦୁଇ ପ୍ରମୁଖ ଆଇଏଏସ୍ ଅଧିକାରୀଙ୍କୁ ପଦବୀରୁ ହଟାଇ ଦେଇଛନ୍ତି ।

ସିବିଏସଇ ଅଧ୍ୟକ୍ଷ ଭାବରେ ରାହୁଲ ସିଂହ ବୋର୍ଡର ସମସ୍ତ କାର୍ଯ୍ୟ ଏବଂ ପରୀକ୍ଷା ସଂସ୍କାରର ଦାୟିତ୍ୱ ତୁଲାଉଥିଲେ ।  ସିବିଏସଇ ସଚିବ ଭାବରେ ହିମାଂଶୁ ଗୁପ୍ତା  ପ୍ରଶାସନ, ଅର୍ଥ ଏବଂ Affiliations ବିଭାଗର ଦାୟିତ୍ବ ସମ୍ଭାଳୁଥିଲେ।

କାହିଁକି ବିବାଦ ଘେରକୁ ଆସିଲା CBSE ?
ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହି ବିବାଦର ସୂତ୍ରପାତ ହୋଇଥିଲା। ଛାତ୍ରଛାତ୍ରୀମାନେ ଯେତେବେଳେ ସେମାନଙ୍କର ସ୍କାନ୍ ହୋଇଥିବା ଉତ୍ତର ଖାତା ଡିଜିଟାଲ୍ ମାଧ୍ୟମରେ ଦେଖିବାକୁ ଚେଷ୍ଟା କଲେ, ସେତେବେଳେ ଅନେକ ସମସ୍ୟା ସାମ୍ନାକୁ ଆସିଥିଲା । 

ଅନେକ ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ ଯେ, ୱେବସାଇଟ୍‌ରେ ଖାତାର ପୃଷ୍ଠାଗୁଡ଼ିକ ଅସ୍ପଷ୍ଟ (Blurred) ଦେଖାଯାଉଥିଲା, କେତେକ ଅଂଶ ଗାୟବ ଥିଲା ଏବଂ ଅନଲାଇନ୍ ପୋର୍ଟାଲ୍ ବ୍ୟବହାର କରିବାରେ ବହୁତ ଅସୁବିଧା ହେଉଥିଲା। ଡିଜିଟାଲ୍ ମୂଲ୍ୟାଙ୍କନ ପାଇଁ ଯେଉଁ 'ଅନ୍-ସ୍କ୍ରିନ୍ ମାର୍କିଂ' (OSM) ପ୍ଲାଟଫର୍ମ ବ୍ୟବହାର କରାଯାଉଥିଲା, ତାହାର ଚୁକ୍ତି କେଉଁ ଆଧାରରେ ଏବଂ କେଉଁ ସଂସ୍ଥାକୁ ଦିଆଯାଇଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଥିଲା।