କଟକ ୧୪।୫: ବାଲିଅନ୍ତାରେ GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ରକୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ଅଭିଯୁକ୍ତର ଘର କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଗଡ । ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି । ପୂର୍ବରୁ ଏହି ଘଟଣାରେ ୧୧ ଜଣ ଗ୍ରାମବାସୀ ଓ ଯୁଧିଷ୍ଠିର ଜେନା ଓରଫ ବଣ୍ଟିକୁ ଗିରଫ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ବାଉଁଶରେ ସୌମ୍ୟଙ୍କ ମୁଣ୍ଡ ଓ ଅନ୍ୟ ସମ୍ବେଦନଶୀଳ ଅଙ୍ଗକୁ ମାଡ଼ ମାରିଥିଲା । କମିଶନରେଟ୍ ପୋଲିସ ଏହି ଘଟଣାରେ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଆହୁରି ୧୨ ଜଣଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି । ତାଙ୍କୁ ଗିରଫ କରିବା ପାଇଁ ସବୁ ଉଦ୍ୟମ ଜାରି ରହିଛି । ପୂର୍ବରୁ ଥାନା ଓ କ୍ରାଇମସ୍ପଟ୍‌କୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ । ଏକାଧିକ ଲୋକଙ୍କ ବୟାନ ରେକର୍ଡ, ସାଇଣ୍ଟିଫିକ୍ ଏଭିଡେନ୍ସ ଜରିଆରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡିଲେ କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଆଉ ୧୨ ଜଣଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚକୁ କିଛି ତଥ୍ୟ ପ୍ରମାଣ ମିଳିଛି ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି କହିଛନ୍ତି।

ରଞ୍ଜିତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ରଞ୍ଜିତଙ୍କ ଗିରଫ ପରେ ମୋଟ୍ ଗିରଫ ସଂଖ୍ୟା ୧୩ରେ ପହଞ୍ଚିଛି । ୧୧ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏ ନେଇ ପ୍ରେସ ରିଲିଜ ଦ୍ବାରା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ଖିଅ ଖୋଲିବାକୁ ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣା ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତିଙ୍କୁ ଜେରା ଚଳାଇଛି । ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏସବୁ ଭିତରେ ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଘଟଣା ଦିନ ସୌମ୍ୟ କୁଆଡ଼େ ଯାଉଥିଲେ ? ଘରୁ କେତେବେଳେ ବାହାରିଥିଲେ ? ଘରୁ ଯିବା ବେଳେ ତାଙ୍କର ମାନସିକ ଅବସ୍ଥା କିଭଳି ଥିଲା ? ସୌମ୍ୟଙ୍କ ସାଙ୍ଗରେ ଆଉ କିଏ ଯାଇଥିଲେ ? ଘଟଣା ସମ୍ପର୍କରେ ପରିବାର ଲୋକେ କେମିତି ଜାଣିଲେ ? ସୌମ୍ୟଙ୍କ ପରିବାର ଲୋକଙ୍କ ପକ୍ଷରୁ ଏମିତି ଅନେକ ପ୍ରଶ୍ନ ଉତ୍ତର ଜାଣିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

ଏସବୁ ଭିତରେ କିନ୍ତୁ ଘଟଣା ଦିନ ପୋଲିସର ଆକ୍ସନକୁ ନେଇ କ୍ରାଇମବ୍ରାଞ୍ଚ ଆଗରେ ନିଜ ଅସନ୍ତୋଷ ଉଗାରିଥିଲେ ସୌମ୍ୟଙ୍କ ପରିବାର ଲୋକ । ସୌମ୍ୟଙ୍କ ବାପାଙ୍କ କହିବା କଥା ଭିଡ଼ ଭିତରେ ପାଖାପାଖି ୩୦ରୁ ୪୦ଜଣ ମୋ ପୁଅକୁ ଆକ୍ରମଣ କରୁଥିବା ଆମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଜୁଆଲରେ ଦେଖିବାକୁ ପାଉଛୁ । କିନ୍ତୁ ସେହି ଭିଡ଼ ଭିତରେ ପୋଲିସ ଥାଇ ମଧ୍ୟ ମୋ ପୁଅକୁ ବଞ୍ଚାଇବାକୁ କାହିଁକି ଚେଷ୍ଟା କରିନଥିଲେ । ଘଟଣାସ୍ଥଳରେ କିଛି ପୋଲିସ କର୍ମୀ ମଧ୍ୟ ସୌମ୍ୟଙ୍କ ହାତଗୋଡ଼ ବାନ୍ଧୁଥିବାରୁ ଦେଖିବାକୁ ମିଳୁଛି । ପୁଅର ହାତ ଗୋଡ଼ ବାନ୍ଧି ତାକୁ ପଶୁ ଭଳି ଗୋଟିଏ ମିନି ଟ୍ରକରେ ପକାଇ ହସ୍ପିଟାଲ ନିଆଯାଇଥିଲା । ପ୍ରକୃତରେ ସୌମ୍ୟଙ୍କ ମୃତ୍ୟୁ କେଉଁଠି ହୋଇଥିଲା ଆମେ ଜାଣିବାକୁ ଚାହୁଁଛୁ ବୋଲି କହିଥିଲେ ସୌମ୍ୟଙ୍କ ବାପା । ଘଟଣାସ୍ଥଳରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା ନା’ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା ନା’ ହସ୍ପିଟାଲରେ ପହଞ୍ଚିବା ପରେ ପୁଅର ମୃତ୍ୟୁ ହୋଇଥିଲା ତା’ର ଉତ୍ତର ଆମକୁ ଦରକାର । ଯଦି ପୋଲିସ ହେପାଜତରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା ତାହେଲେ କାହିଁକ ସେହି ସମୟରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇନି ବୋଲି ସୌମ୍ୟଙ୍କ ପରିବାର ପ୍ରଶ୍ନ କରିଥିଲେ ।

Also Read:- ପେଟ୍ରୋଲ-ଡିଜେଲ ବ୍ୟବହାର ନେଇ ଆସିପାରେ ବଡ଼ ନିଷ୍ପତ୍ତି, ମୁଖ୍ୟ ଶାସନ ସଚିବ ଦେଲେ ସଙ୍କେତ

ଏସବୁ ଭିତରେ ପୋଲିସ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି DGP । ରେସପନ୍ସ, ରେସକ୍ୟୁ ଏବଂ ରିଆକ୍ସନ ଉପରେ ଗୁରୁତ୍ବ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ବାଲିଅନ୍ତାରେ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ବାନ୍ଧି ସାରିଛି ପୋଲିସ ।