ନୂଆଦିଲ୍ଲୀ ୨୮।୧୧: ଘରକୁ ସୁନ୍ଦର, ସୁବ୍ୟବସ୍ଥିତ ଓ ସକାରାତ୍ମକ ରଖିବା ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ଓ ପରାମର୍ଶ ଦିଆଯାଇଛି । ଏହି ନିୟମଗୁଡ଼ିକ ମଧ୍ୟରୁ ଘରର କବାଟ ସହ ଜଡ଼ିତ ଏକ ସାଧାରଣ ଅଭ୍ୟାସ ହେଉଛି କବାଟ ପଛରେ ପୋଷାକ ଟାଙ୍ଗିବା । ଅନେକ ଲୋକ ସ୍ଥାନ ଅଭାବ କିମ୍ବା ସୁବିଧା ଦୃଷ୍ଟିରୁ କବାଟ ପଛରେ ବ୍ୟବହୃତ ଓ ମଇଳା ପୋଷାକ ଟାଙ୍ଗି ଦେଇଥାନ୍ତି । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ, ଏହି ଅଭ୍ୟାସକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ବାସ୍ତୁଶାସ୍ତ୍ର ଅନୁଯାୟୀ, କବାଟ ପଛରେ ପୋଷାକ ବିଶେଷକରି ମଇଳା ପୋଷାକ ଟାଙ୍ଗିବା ଦ୍ୱାରା ଘର ଭିତରେ ଥିବା ସକାରାତ୍ମକ ଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ । ତେବେ କବାଟ ପଛରେ ପୋଷାକ ଟାଙ୍ଗିବାକୁ କାହିଁକି ଅଶୁଭ କୁହାଯାଏ ? 

କବାଟ ପଛରେ ପୋଷାକ ଟାଙ୍ଗିବା କାହିଁକି ଅଶୁଭ ?

ବାସ୍ତୁଶାସ୍ତ୍ର ଅନୁସାରେ, ଘରର କବାଟକୁ ସକାରାତ୍ମକ ଶକ୍ତି ପ୍ରବେଶର ମୁଖ୍ୟ ମାଧ୍ୟମ ବୋଲି ମନେ କରାଯାଏ । ଏପରି ସ୍ଥିତିରେ କବାଟ ପଛରେ ଅନାବଶ୍ୟକ ଜିନିଷ କିମ୍ବା ପୋଷାକ ଟାଙ୍ଗି ରଖିବା ଦ୍ୱାରା ଘରର ଶକ୍ତି ସନ୍ତୁଳନ ପ୍ରଭାବିତ ହୋଇପାରେ ବୋଲି ବିଶ୍ୱାସ ରହିଛି । ଏହା ଘରର ପରିବେଶକୁ ଅଶାନ୍ତ କରିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଓ ତିକ୍ତତା ବଢ଼ାଇପାରେ ବୋଲି ବାସ୍ତୁରେ ଉଲ୍ଲେଖ ରହିଛି।

ମଇଳା ପୋଷାକ ଟାଙ୍ଗିବାରୁ ଦୂରେଇ ରୁହନ୍ତୁ 

ଅନେକ ଲୋକ ବ୍ୟବହାର କରିସାରିଥିବା କିମ୍ବା ମଇଳା ପୋଷାକକୁ କବାଟ ପଛରେ ଟାଙ୍ଗି ରଖିଥାନ୍ତି । ବାସ୍ତୁ ଅନୁସାରେ, ଏପରି ଅଭ୍ୟାସ ଏଡ଼ାଇବା ଉଚିତ । ମଇଳା ପୋଷାକରେ ଧୂଳି, ଝାଳ ଓ ଦୁର୍ଗନ୍ଧ ଜମା ହୋଇ ଘରର ପରିବେଶକୁ ଅସ୍ୱଚ୍ଛ କରିପାରେ । ଏହା କେବଳ ଘରର ସୌନ୍ଦର୍ଯ୍ୟକୁ ନଷ୍ଟ କରେ ନାହିଁ, ବରଂ ମାନସିକ ଅସ୍ୱସ୍ତିର କାରଣ ମଧ୍ୟ ହୋଇପାରେ । ଏହା ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।

କବାଟ ପଛର ସ୍ଥାନକୁ ରଖନ୍ତୁ ସଫା ଓ ଖାଲି :

ଘରର କବାଟ ପଛପଟକୁ ସବୁବେଳେ ସଫା ଓ ସୁବ୍ୟବସ୍ଥିତ ରଖିବା ଉଚିତ । ସେଠାରେ ଅନାବଶ୍ୟକ ସାମଗ୍ରୀ, ପୁରୁଣା ପୋଷାକ କିମ୍ବା ଅନ୍ୟ ଜିନିଷ ଜମା କରି ରଖନ୍ତୁ ନାହିଁ । ଏହାଦ୍ୱାରା କବାଟ ସହଜରେ ଖୋଲିବା ଓ ବନ୍ଦ ହେବା ସହ ଘର ମଧ୍ୟ ସୁନ୍ଦର ଦେଖାଯିବ । ବାସ୍ତୁ ମତ ଅନୁସାରେ, କବାଟ ପଛରେ ଅଧିକ ଜିନିଷ ଟାଙ୍ଗି ରଖିବା ଦ୍ୱାରା ଘରର ସକାରାତ୍ମକ ପରିବେଶ ବାଧାପ୍ରାପ୍ତ ହୋଇପାରେ ।

ପୋଷାକ ଟାଙ୍ଗିବା ପୂର୍ବରୁ ଏହି କଥା ମନେ ରଖନ୍ତୁ :

କୌଣସି କାରଣରୁ କବାଟ ପଛରେ ପୋଷାକ ଟାଙ୍ଗିବା ଆବଶ୍ୟକ ହେଲେ କିଛି କଥା ପ୍ରତି ଧ୍ୟାନ ଦିଅନ୍ତୁ । କବାଟ ପଛରେ ମଇଳା କିମ୍ବା ଓଦା ପୋଷାକ ଟାଙ୍ଗନ୍ତୁ ନାହିଁ । ବ୍ୟବହୃତ ପୋଷାକକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖନ୍ତୁ । ପୋଷାକ ରଖିବା ପାଇଁ ଆଲମାରି, ଷ୍ଟାଣ୍ଡ୍ କିମ୍ବା ହ୍ୟାଙ୍ଗର୍ ବ୍ୟବହାର କରନ୍ତୁ । କବାଟ ପଛରେ ଧୂଳି ଓ ମାକୁଡ଼ି ଜାଲ ଜମିବାକୁ ଦିଅନ୍ତୁ ନାହିଁ । ଏହି ସ୍ଥାନକୁ ନିୟମିତ ସଫା କରନ୍ତୁ ଏବଂ କବାଟ ଯେପରି ସହଜରେ ଖୋଲିବା ଓ ବନ୍ଦ ହେବାରେ ବାଧା ନ ଉପୁଜେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।