ନୂଆଦିଲ୍ଲୀ: ୱେବ୍ ସିରିଜ୍ ‘ପଞ୍ଚାୟତ’ ପଞ୍ଚମ ସିଜନ୍ ରିଲିଜ୍‌ ହେବାକୁ ଯାଉଛି । ଏହା ପୂର୍ବରୁ ଚର୍ଚ୍ଚିତ ପଞ୍ଚାୟତ ‘ଫୁଲେରା’ରେ ପହଞ୍ଚିଛନ୍ତି ଇଂଲଣ୍ଡର ପୂର୍ବତନ ଷ୍ଟାର କ୍ରିକେଟର କେଭିନ ପିଟରସନ । ମୁଣ୍ଡରେ ଗାମୁଛା ବାନ୍ଧି ଦେଶୀ ଷ୍ଟାଇଲ୍‌ରେ ଡାଇଲଗ୍‌ କହି ଦର୍ଶକଙ୍କୁ ଚମକାଇ ଦେଇଛନ୍ତି ପିଟରସନ୍‌ । ପ୍ରାଇମ୍ ଭିଡିଓ ପକ୍ଷରୁ ରିଲିଜ୍ କରାଯାଇଥିବା ଏକ ସ୍ୱତନ୍ତ୍ର ପ୍ରମୋସନାଲ ଭିଡିଓରେ ପିଟରସନଙ୍କୁ ସମ୍ପୂର୍ଣ୍ଣ ଦେଶୀ ଅନ୍ଦାଜରେ ଦେଖିବାକୁ ମିଳିଛି ।  ଏହି ମଜାଦାର ଭିଡିଓରେ କେଭିନ୍ ପିଟରସନ୍ ପାରମ୍ପରିକ କୁର୍ତ୍ତା-ପାଇଜାମା ଏବଂ କାନ୍ଧରେ ଗାମୁଛା ପକାଇ ଜଣେ ଅସଲି ଗାଁ ଲୋକଙ୍କ ଭଳି ନଜର ଆସିଛନ୍ତି। 

ସେ କେବଳ ପୋଷାକ ନୁହେଁ, ବରଂ ଗାଁର ଦୈନନ୍ଦିନ ଜୀବନଶୈଳୀକୁ ମଧ୍ୟ ଆପଣାଇ ନେଇଥିବା ଦେଖିବାକୁ ମିଳିଛି। ସକାଳୁ ଦାନ୍ତକାଠିରେ ଦାନ୍ତ ଘଷିବାଠାରୁ ଆରମ୍ଭ କରି ଭୁଟକୁନ୍ ଦୋକାନର ଚା’ର ମଜା ନେବା ପର୍ଯ୍ୟନ୍ତ, ପିଟରସନ୍ ଫୁଲେରାର ରଙ୍ଗରେ ପୂରା ରଙ୍ଗେଇ ହୋଇଯାଇଛନ୍ତି।

ଭିଡିଓରେ ପିଟରସନ୍ ଫୁଲେରା ଗାଁର ସବୁଠାରୁ ଲୋକପ୍ରିୟ ସ୍ଥାନ ଅର୍ଥାତ୍ ସେହି ପ୍ରସିଦ୍ଧ ‘ପାଣି ଟାଙ୍କି’ ବୁଲି ଦେଖୁଛନ୍ତି। ଗାଁ ଲୋକଙ୍କ ସହ ନିଜର ପରିଚୟ ଦେଇ ସେ କହୁଛନ୍ତି ଯେ, ‘ମୁଁ କେଭିନ୍ ପିଟରସନ୍, ଇଂଲଣ୍ଡର ପୂର୍ବତନ କ୍ରିକେଟର। ମୁଁ ଲଣ୍ଡନରୁ ସିଡନୀ ପର୍ଯ୍ୟନ୍ତ ସବୁଆଡ଼େ ବୁଲିଛି, କିନ୍ତୁ ଦୁନିଆରେ ଫୁଲେରା ଭଳି ଜାଗା ଆଉ କେଉଁଠି ନାହିଁ।’ ଏହା ସହିତ ସେ ସିରିଜର ବହୁଚର୍ଚ୍ଚିତ ଡାଏଲଗ୍ ‘ଗଜବ୍ ବେଜ୍ଜତି ହୈ ୟାର୍’ କହି ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଛନ୍ତି।

ପ୍ରାଇମ୍ ଭିଡିଓ ଇଣ୍ଡିଆ ପକ୍ଷରୁ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି ଯେ, ‘କ୍ରିକେଟ୍ ଦୁନିଆରୁ ସିଧା ବନରାକସର ପାଗଳ ସର୍କସକୁ ! କେଭିନ୍ ପିଟରସନଙ୍କୁ ଏକ ନୂଆ ପିଚ୍ ମିଳିଛି, ଯାହାର ନାଁ ହେଉଛି ଫୁଲେରା। ଆସନ୍ତା ଡିସେମ୍ବର ୩ ତାରିଖରେ ପ୍ରାଇମ୍ ଭିଡିଓରେ ଆସୁଛି ପଞ୍ଚାୟତ ସିଜନ୍ ୫।’

ସୂଚନାଯୋଗ୍ୟ ଯେ, ଆଗାମୀ ସିଜନରେ ଫୁଲେରା ଗାଁର ବଦଳୁଥିବା ରାଜନୈତିକ ସମୀକରଣ ଦେଖିବାକୁ ମିଳିବ। ପଞ୍ଚାୟତ ନିର୍ବାଚନ ପରେ ମଞ୍ଜୁ ଦେବୀ (ନୀନା ଗୁପ୍ତା) ଙ୍କ ସ୍ଥାନରେ କ୍ରାନ୍ତି ଦେବୀ (ସୁନୀତା ରାଜୱାର) ଗାଁର ନୂଆ ପ୍ରଧାନ ହୋଇଛନ୍ତି। ଆଉ ତାଙ୍କର ସ୍ୱାମୀ ବନରାକସ୍ (ଦୁର୍ଗେଶ କୁମାର) ଏବେ ନୂଆ ‘ପ୍ରଧାନ’ ଭାବରେ ଗାଁର ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି।