ମୁମ୍ଵାଇ ୨୯।୧୧; ବର୍ତ୍ତମାନ ସମୟରେ ସାଇ ପଲ୍ଲବୀ ନିଜ ଫିଲ୍ମ ‘ରାମାୟଣ’ର ସଫଳତାକୁ ଖୁବ୍ ଉପଭୋଗ କରୁଛନ୍ତି । ‘ରାମାୟଣ’ରେ ସାଇ ପଲ୍ଲବୀ ସୀତାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ସାଇ ନିକଟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ୧୦ ବର୍ଷ ପୂରଣ କରିଥିବା ବେଳେ ସାଇଙ୍କ ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ ସେ ପ୍ରାୟତଃ ‘ନୋ-ମେକଅପ୍ ଲୁକ୍’ରେ ନଜର ଆସିଥାନ୍ତି । ଏପରିକି ସେ ଫିଲ୍ମରେ ମଧ୍ୟ ବିନା ମେକଅପରେ ଶୁଟିଂ କରନ୍ତି । କେବଳ ସେତିକି ନୁହେଁ, ବିଭିନ୍ନ ଇଭେଣ୍ଟ କିମ୍ବା ସାକ୍ଷାତକାରରେ ମଧ୍ୟ ସେ ବିନା ମେକଅପରେ ଆସନ୍ତି ।

ସାଇ ନିଜ ଡେବ୍ୟୁ ଫିଲ୍ମ ‘ପ୍ରେମମ୍’ରେ ମଧ୍ୟ ଯଥାସମ୍ଭବ ମେକଅପ୍ ଠାରୁ ଦୂରେଇ ରହି ଥିଲେ । ଏବେ ସାଇଙ୍କୁ ପଚରା ଯାଇଥିଲା ଯେ , ଜଣେ ପବ୍ଲିକ୍ ଫିଗର ହୋଇ ମଧ୍ୟ ସେ ବିନା ମେକଅପରେ ରହିବାର ନିଷ୍ପତ୍ତି କିପରି ନେଲେ ଏବଂ ତାଙ୍କର ଏହି ନୋ-ମେକଅପ୍ ଲୁକ୍ ଉପରେ ନିର୍ଦ୍ଦେଶକମାନଙ୍କର ପ୍ରତିକ୍ରିୟା କିପରି ରହୁଥିଲା । ସାଇ କହିଛନ୍ତି, ଏହା ଏପରି ଏକ ବିଷୟ, ଯାହା ଉପରେ ଗତ ୧୦ ବର୍ଷ ଧରି ସମସ୍ତେ କଥା ହୋଇଛନ୍ତି । ସତ କହିବାକୁ ଗଲେ, ଆରମ୍ଭରେ ମୁଁ ଖୁବ୍ ଇନସିକ୍ୟୁର ଥିଲି, କିନ୍ତୁ ସମୟ ସହ ମୁଁ ଅନୁଭବ କଲି ଯେ ଏପରି ଅନେକ ଫିଲ୍ମ ରହିଛି ଯାହା ପ୍ରକୃତ ଦର୍ଶକ ଏବଂ ଅଭିନୟ କରୁଥିବା ଲୋକଙ୍କ ମଧ୍ୟରେ ଏକ ସମ୍ପର୍କ ତିଆରି କରେ । ତେଣୁ ଆପଣ ଚାହିଁବେ ନାହିଁ ଯେ ଆପଣ ଏକଦମ୍ ‘ଏୟାରବ୍ରଶ୍’ ଦେଖା ଯାଆନ୍ତୁ, ଯାହାଦ୍ୱାରା ଲୋକେ ସେହି ଚରିତ୍ର ସହିତ ଯୋଡ଼ି ହୋଇ ପାରିବେ ନାହିଁ । ମୁଁ ସବୁବେଳେ ଚରିତ୍ରଗୁଡ଼ିକ ପ୍ରତି ସଚ୍ଚୋଟ ରହିଛି ଏବଂ ନିର୍ଦ୍ଦେଶକମାନଙ୍କୁ ଏଥିରେ କିଛି ଭୁଲ୍ ଲାଗି ନାହିଁ ।

ସାଇ ଆହୁରି କହିଛନ୍ତି, ସମୟ ସହ ମୁଁ ନିଜ ଭଳି ରହିବା ଶିଖିଗଲି । ବର୍ତ୍ତମାନ ମୋ ପାଖରେ କିଛି ଲିପ୍ ଗ୍ଲସ୍, ଆଇ ଲାଇନର୍ ଏବଂ କିଛି ମଶ୍ଚରାଇଜର୍ ଅଛି । ଏହା କେବଳ ଦେଖାଇବା ପାଇଁ ନୁହେଁ, କିନ୍ତୁ ଯଦି ମୋ ମୁହଁରେ ଫାଉଣ୍ଡେସନ୍ ବା କନସିଲରର ଗୋଟିଏ ବି ଲେୟାର୍ ରହେ, ତେବେ ମୋତେ ନିଜେ ଏକ ଅଲଗା ମଣିଷ ଭଳି ଲାଗେ ଏବଂ ଏହା ମୋ ଉପରେ କାମ କରେ ନାହିଁ । କଥାଟି କେବଳ ଏତିକି ଏବଂ ଯଦି ଆପଣଙ୍କୁ ମେକଅପ୍ ଭଲ ଲାଗେ, ତେବେ ତାହା ଆପଣଙ୍କ ଇଚ୍ଛା । ସାଇଙ୍କର ଏହି ସ୍ୱଭାବ ପ୍ରଶଂସକମାନଙ୍କୁ ଖୁବ୍ ଭଲ ଲାଗେ ।

ସାଇଙ୍କ ଫିଲ୍ମ ‘ରାମାୟଣ’ କଥା ଯଦି କହିବା ଏହି ଫିଲ୍ମ ଭାରତରେ ଏବେ ୧୦୦୦ କୋଟି ଆୟର ନିକଟତର ହୋଇଛି । ଅନ୍ୟପଟେ ବିଶ୍ୱବ୍ୟାପୀ ଫିଲ୍ମଟି ୧୭୦୦ କୋଟି ଟଙ୍କା ଆୟ କରି ସାରିଛି । ଶୁକ୍ରବାର ସୁଦ୍ଧା ‘ରାମାୟଣ’ ଭାରତରେ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ ଏବଂ ଏପର୍ଯ୍ୟନ୍ତ ଚତୁର୍ଥ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ହୋଇ ପାରିଛି ।