ନୂଆଦିଲ୍ଲୀ: WWE ସୁପରଷ୍ଟାର ଜର୍ମେନ୍ ହେଲି ଓରଫ ବ୍ରନସନ୍ ରିଡଙ୍କ ପରଲୋକ ହୋଇଯାଇଛି । ମାତ୍ର ୩୮ ବର୍ଷ ବୟସରେ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି ।  ବର୍ଷର ଶେଷ ବଡ଼ ଇଭେଣ୍ଟ ‘ସର୍ଭାଇଭର୍ ସିରିଜ୍’ ଆରମ୍ଭ ହେବାର ଠିକ୍ ପୂର୍ବରୁ ଟେକ୍ସାସର ହ୍ୟୁଷ୍ଟନସ୍ଥିତ ଡାଇକିନ୍ ପାର୍କରେ ଏହି ଖବର ପହଞ୍ଚିବା ପରେ ସମଗ୍ର ରେସଲିଂ ଜଗତରେ ଶୋକର ଛାୟା ଖେଳିଯାଇଛି।

‘ଦ ଭିଜନ୍’ର ପ୍ରମୁଖ ସଦସ୍ୟ ଥିବା ରିଡଙ୍କୁ ଚଳିତ ମାସ ସାଉଦି ଆରବର ରିୟାଦଠାରେ ଅନୁଷ୍ଠିତ ‘କ୍ରାଉନ୍ ଜୁଏଲ୍’ ଇଭେଣ୍ଟରେ ଶେଷ ଥର ପାଇଁ ଟିଭି ପରଦାରେ ଦେଖିବାକୁ ମିଳିଥିଲା। ସେହି ମ୍ୟାଚ୍‌ରେ ସେ ନିଜ ସାଥୀ ଅଷ୍ଟିନ୍ ଥିଓରିଙ୍କ ସହ ରିଙ୍ଗ୍‌କୁ ଆସିଥିଲେ । ଓବା ଫେମି ତାଙ୍କୁ ଷ୍ଟେଜ୍ ଉପରୁ ତଳେ ଥିବା ଟେବୁଲ୍ ଉପରକୁ ଫିଙ୍ଗି ଦେଇଥିଲେ। ତେବେ ରିଡଙ୍କ ଅକାଳ ବିୟୋଗ ପ୍ରଶଂସକ ଏବଂ ସହକର୍ମୀଙ୍କୁ ଗଭୀର ଆଘାତ ଦେଇଛି। WWE ପକ୍ଷରୁ ଏକ ଶୋକବାର୍ତ୍ତାରେ କୁହାଯାଇଛି ଯେ, ‘ଜର୍ମେନ୍ ହେଲି ଓରଫ୍ ବ୍ରନସନ୍ ରିଡଙ୍କ ମୃତ୍ୟୁ ଖବର ଜଣାଇ ଆମେ ଅତ୍ୟନ୍ତ ମର୍ମାହତ। ସେ ରିଙ୍ଗ୍ ଭିତରେ ଜଣେ ଦମଦାର୍ ବ୍ୟକ୍ତିତ୍ୱ ଥିଲେ । ସେ ଜଣେ ଅତ୍ୟନ୍ତ ଭଲ ମଣିଷ, ଜଣେ ଦାୟିତ୍ୱବାନ ପାରିବାରିକ ବ୍ୟକ୍ତି ଏବଂ ସମସ୍ତଙ୍କର ପ୍ରିୟ ସହକର୍ମୀ ଥିଲେ। ଏହି ଦୁଃଖଦ ସମୟରେ ଆମର ସମବେଦନା ତାଙ୍କର ଗର୍ଭବତୀ ପତ୍ନୀ ପେଜ୍, ତାଙ୍କର କୁନି ଝିଅ ଏବଂ ସମସ୍ତ ପରିବାରବର୍ଗଙ୍କ ସହ ରହିଛି।’

 
 
 
 
 
 
 
 
 
 
 
 
 
 
 

A post shared by John Cena (@johncena)

‘ଦ ଟ୍ରାଇବାଲ୍ ଥିଫ୍’ ଭୂମିକାରେ ଦର୍ଶକଙ୍କ ମନ ଜିଣିଥିବା ରିଡଙ୍କ ବିୟୋଗରେ ରେସଲିଂ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ୧୭ ଥର ବିଶ୍ୱ ଚାମ୍ପିଅନ୍ ଜନ୍ ସେନା ନିଜ ଇନଷ୍ଟାଗ୍ରାମରେ ରିଡଙ୍କ ଏକ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ୧୬ ଥର ଚାମ୍ପିଅନ୍ ରିକ୍ ଫ୍ଲେୟାର ଲେଖିଛନ୍ତି ଯେ, ବ୍ରନସନ୍ ରିଡଙ୍କ ବିୟୋଗ ଖବର ଶୁଣି ମୁଁ ବହୁତ ଦୁଃଖିତ। ଆମ ଜଗତର ଆଉ ଜଣେ ଯୋଦ୍ଧା ବହୁତ ଶୀଘ୍ର ଆମକୁ ଛାଡ଼ି ଚାଲିଗଲେ। ତୁମେ WWE ରେ ନିଜର ଏକ ବଡ଼ ପରିଚୟ ସୃଷ୍ଟି କରିପାରିଥିଲ, ତୁମ ଆତ୍ମାକୁ ଶାନ୍ତି ମିଳୁ।

ଦି ଅଣ୍ଡରଟେକର ମଧ୍ୟ ଜର୍ମେନଙ୍କ ପରିବାର ପ୍ରତି ନିଜର ଗଭୀର ସମବେଦନା ଜଣାଇଛନ୍ତି। କେବଳ WWE ନୁହେଁ, ବରଂ ଏହାର ପ୍ରତିଦ୍ୱନ୍ଦ୍ୱୀ ସଂସ୍ଥା ‘ଅଲ୍ ଏଲିଟ୍ ରେସଲିଂ’ ମଧ୍ୟ ବ୍ରନସନ୍ ରିଡଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି। ଏହି ଦୁଃଖଦ ମୁହୂର୍ତ୍ତରେ ସମଗ୍ର ରେସଲିଂ ସମୁଦାୟ ଏକାଠି ହୋଇ ଏହି ମହାନ ଖେଳାଳିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।