ମୁମ୍ୱାଇ: ମହାରାଷ୍ଟ୍ରର ଖାଦ୍ୟ ଓ ଔଷଧ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି । ମହାରାଷ୍ଟ୍ରରେ ଏବେ ଖୋଲାରେ ବିକ୍ରି ହେଉଥିବା ଖାଇବା ତେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଫଡିଏ କମିଶନର ତୁକାରାମ ମୁଣ୍ଡେ ନିୟମ ଅନୁପାଳନ କରୁ ନଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ଅନୁଯାୟୀ, ବ୍ୟବସାୟୀ ଏବଂ ଖାଦ୍ୟ କାରବାର ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ଖାଦ୍ୟ ସୁରକ୍ଷା ଏବଂ ଲେବଲିଂ ସମ୍ବନ୍ଧୀୟ ନିୟମ ପାଳନ କରିବାକୁ ପଡ଼ିବ । ଗ୍ରାହକମାନେ କିଣୁଥିବା ଖାଇବା ତେଲର ଉତ୍ସ, ଗୁଣବତ୍ତା ଏବଂ ଏକ୍ସପାୟରୀ ଡେଟ୍  ବିଷୟରେ ଯେପରି ସଠିକ୍ ସୂଚନା ପାଇପାରିବେ, ତାହା ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ଆଦେଶ ସମସ୍ତ ପ୍ରକାରର ଖାଦ୍ୟ ତେଲ ଏବଂ ଫ୍ୟାଟ୍ ଉପରେ ଲାଗୁ ହେବ । ଏଥିରେ ଚିନାବାଦାମ ତେଲ, ସୋରିଷ ତେଲ, ସୋୟାବିନ୍ ତେଲ, ସୂର୍ଯ୍ୟମୁଖୀ ତେଲ, ରାଇସ୍ ବ୍ରାନ୍ ଅଏଲ୍, ପାମ୍ ଏବଂ ପାମୋଲିନ୍ ତେଲ, ନଡ଼ିଆ ତେଲ, ରାଶି ତେଲ, ମକା ତେଲ, ମଲ୍ଟି-ସୋର୍ସଡ୍ ଏଡିବଲ୍ ଭେଜିଟେବଲ୍ ଅଏଲ୍ ଏବଂ ବନସ୍ପତି ଅନ୍ତର୍ଭୁକ୍ତ । ତେଲ ବ୍ୟବସାୟର ଟର୍ନଓଭର୍ ଯାହା ବି ହୋଇଥାଉ ନା କାହିଁକି, ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ ହେବ ।

ଖୋଲା ତେଲ ବିକ୍ରି ହୋଇପାରିବ ନାହିଁ

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଦୋକାନୀମାନେ ଏବେ ଖାଇବା ତେଲକୁ ଖୋଲା ଆକାରରେ ବିକ୍ରି କରିପାରିବେ ନାହିଁ । ଖାଦ୍ୟ ତେଲକୁ ଉପଯୁକ୍ତ ଫୁଡ୍-ଗ୍ରେଡ୍ ପ୍ୟାକେଜିଂରେ ହିଁ ବିକ୍ରି କରିବାକୁ ପଡ଼ିବ । ପ୍ୟାକେଟ୍ ଉପରେ ଆବଶ୍ୟକ ସୂଚନା ଦେବା ବାଧ୍ୟତାମୂଳକ । ବ୍ୟବସାୟୀମାନଙ୍କୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଦ୍ୱାରା ନିର୍ଦ୍ଧାରିତ ଲେବଲିଂ ନିୟମ ମଧ୍ୟ ପାଳନ କରିବାକୁ ପଡ଼ିବ । ଏଫଡିଏ ଖାଦ୍ୟ ତେଲର ପ୍ୟାକିଂ ପାଇଁ ଫୁଡ୍-ଗ୍ରେଡ୍ ପ୍ୟାକେଜିଂ ବ୍ୟବହାର ଉପରେ ଜୋର୍ ଦେଇଛି ।

ଖାଦ୍ୟ ତେଲ ଯାଞ୍ଚ ସମୟରେ ପଦାକୁ ଆସିଥିବା ଅନିୟମିତତା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାଞ୍ଚ ସମୟରେ ଖାଦ୍ୟ ତେଲର ୭୭ଟି ସାମ୍ପୁଲ୍ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ମିଳି ନଥିବା ବେଳେ ୧୩ଟି ସାମ୍ପୁଲ୍ ସ୍ୱାସ୍ଥ୍ୟ ପାଇଁ ଅସୁରକ୍ଷିତ ବୋଲି ଜଣାପଡ଼ିଥିଲା । ଯାଞ୍ଚରେ ୧୫ଟି ବ୍ରାଣ୍ଡ୍ କିମ୍ବା ଉତ୍ପାଦରେ ନିୟମ ଉଲ୍ଲଂଘନ ହୋଇଥିବା ମଧ୍ୟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଗୁଡ଼ିକ ପରେ ବଜାରରେ ବିକ୍ରି ହେଉଥିବା ଖାଦ୍ୟ ତେଲର ଗୁଣବତ୍ତା ଏବଂ ସୁରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ପାଇଛି ।