ଭୁବନେଶ୍ୱର ୦୨।୦୫ : ମହାନଦୀ ଜଳ ବିବାଦ ମାମଲା। ମହାନଦୀ ଟ୍ରିବ୍ୟୁନାଲରେ ଆଜିର ଶୁଣାଣି ଶେଷ ହୋଇଛି । ମେ ୩୦ ତାରିଖରେ ପରବର୍ତ୍ତି ଶୁଣାଣି ହେବ । ଗତ ୨୦ ଏପ୍ରିଲ ଶୁଣାଣିରେ ଟ୍ରିବ୍ୟୁନାଲ ଦୁଇ ରାଜ୍ୟକୁ ମହାନଦୀ ଜଳ କୁ ନେଇ ସହମତି ଭିତ୍ତିକ ପ୍ରସଙ୍ଗ ଚୂଡ଼ାନ୍ତ କରିବା ପାଇଁ ଶେଷ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ, ଦୁଇ ରାଜ୍ୟ ପ୍ରସଙ୍ଗ ନିର୍ଣ୍ଣୟ କରିବାରେ ଯଦି ସକ୍ଷମ ନ ହୁଅନ୍ତି ତେବେ ଟ୍ରିବ୍ୟୁନାଲ ଯୋଗ୍ୟତା ଅନୁସାରେ ଆଗାମୀ ପ୍ରକ୍ରିୟା ଜାରି ରଖିବେ। ଜଷ୍ଟିସ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତା ରେ ଗଠିତ ୩ ଜଣିଆ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି।

ସେହିପରି ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଛତିଶଗଡ଼ର ଆଗ୍ରହ ଏବଂ ପ୍ରୟାସକୁ ଟ୍ରିବ୍ୟୁନାଲ ପ୍ରଶଂସା କରିଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଟ୍ରିବ୍ୟୁନାଲ। ମୌସୁମୀ ଓ ଅଣମୌସୁମୀ ଋତୁରେ କେତେ ଜଳ ପ୍ରବାହିତ ହେଉଛି ତାହା ଆଜି ଅବଗତ କରାଯାଇଛି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା, ଛତିଶଗଡ଼ ଅବଗତ କରିଛନ୍ତି। ଆପୋଷ ବୁଝାମଣା ନେଇ ବୈଷୟିକ ସ୍ତରରେ ଆଲୋଚନା କଥା ଜଣାଯାଇଛି। ଓଡ଼ିଶା ପକ୍ଷରୁ ଏଜି ପୀତାମ୍ଵର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି। ମେ ୩୦ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।

Also Read:-Weather Alert: ଡ଼ରାଇଲା ମେ’ ମାସ, ବଙ୍ଗୋପସାଗରରେ ସୃଷ୍ଟି ହେବ ବଡ଼ ସିଷ୍ଟମ ! ମନ୍ତ୍ରୀ କହିଲେ- ଆମେ ପ୍ରସ୍ତୁତ

ମହାନଦୀ ଜଳ ବିବାଦ ନେଇ ସମାଧାନର ରାସ୍ତା ଆଉ ପାଦେ ଆଗେଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଆଡଭୋକେଟ୍ ଜେନେରାଲ । ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ଏହି ପ୍ରସଙ୍ଗ ନେଇ ସହମତି ପ୍ରକାଶ ପାଉଛି। ଆଉ ଯେଉଁ ପ୍ରସଙ୍ଗ ରହିଛି ସେଥିରେ ସମାଧାନ ଖୁବ୍ ଶୀଘ୍ର ହେବ। ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁସାରେ ଦୁଇ ରାଜ୍ୟ ବୈଷୟିକ ଟିମର ଜଳର ଉପଲବ୍ଧତାକୁ ନେଇ ଯୁଗ୍ମ ସ୍ବାକ୍ଷରିତ ବିବରଣୀ ଦାଖଲ କରିଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଏହି ସତ୍ୟପାଠରେ ରହିଛି ବୋଲି କହିଛନ୍ତି ଓଡ଼ିଶା ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।

ଏହି ଉପଲବ୍ଧତା ପ୍ରସଙ୍ଗ ଜଳ ବଣ୍ଟନର ଆଧାର ହେବ। ୧୯୮୩ ମସିହାରୁ ଏବେ ପର୍ଯ୍ୟନ୍ତ ମହାନଦୀର ଜଳର ଉପଲବ୍ଧତାକୁ ନେଇ କୌଣସି ସମାଧାନର ସୂତ୍ର ବହାରି ପାରିନଥିଲା । ସମଗ୍ର ମହାନଦୀ ବେଶିନରେ କେତେ ଜଳ ସଂଗୃହୀତ ହେଉଛି ସେ ସମ୍ପର୍କୀୟ ବିଷୟ ହେଉଛି ଏକ ଜଟିଳ ବିଷୟ ବସ୍ତୁ କିନ୍ତୁ ଆଜି ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ଟିମ୍ ଏକତ୍ରିତ ହୋଇ ଏହାର ସମାଧାନର ବାଟ ଫିଟାଇଛନ୍ତି। ଆଗାମୀ ଦିନରେ ଦୁଇ ରାଜ୍ୟର ବୈଷୟିକ ଟିମ୍ ଛତିଶଗଡ଼ର ରାଏଗଡ଼ ଏବଂ ଭୁବନେଶ୍ବରରେ ବୈଠକ କରି ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ।