ନୂଆଦିଲ୍ଲୀ: ନିକଟରେ ସରିଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ ଗୋଟିଏ ଭୋଟରେ ବିଜୟୀ ହୋଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ ଟିଭିକେ ନେତା ଶ୍ରୀନିବାସ ସେତୁପତି। ତିରୁପତ୍ତୁର ନିର୍ବାଚନ ମଣ୍ଡଳୀରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଦ୍ରାବିଡ ମୁନେତ୍ରା କାଝାଗମ (ଡିଏମକେ) ପ୍ରାର୍ଥୀ କେ.ଆର. ପେରିଆକରୁପ୍ପନଙ୍କୁ ଗୋଟିଏ ଭୋଟରେ ହରାଇ ବିଜୟୀ ହୋଇଥିଲେ ଶ୍ରୀନିବାସ। ହେଲେ ଏବେ ତାଙ୍କୁ ମାଡ୍ରାସ ହାଇକୋର୍ଟରୁ ଲାଗିଛି ଝଟକା। କୋର୍ଟ ତିରୁପତ୍ତୁର ସେତୁପତିଙ୍କୁ ମଙ୍ଗଳବାର ହେବାକୁ ଥିବା ବିଧାନସଭା କାର୍ଯ୍ୟରେ ଅଂଶଗ୍ରହଣ କରିବାରୁ ବାରଣ କରିଛନ୍ତି। କେ.ଆର. ପେରିଆକରୁପ୍ପନଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକୃତରେ, ତିରୁପତ୍ତୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଶ୍ରୀନିବାସ ସେତୁପତି କଡ଼ା ଟକ୍କର ମଧ୍ୟରେ ମାତ୍ର ଗୋଟିଏ ଭୋଟରେ ଜିତିଥିଲେ। ସେ ମୋଟ ୮୩, ୩୬୫ ଭୋଟ ପାଇଥିବା ବେଳେ, ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡିଏମକେ ପ୍ରାର୍ଥୀ କେ. ଆର ପେରିଆକରୁପ୍ପନ ୮୩, ୩୬୪ ଭୋଟ ପାଇଥିଲେ। ଏହି ବ୍ୟବଧାନ ନିର୍ବାଚନ ଫଳାଫଳ ଉପରେ ବିବାଦ ସୃଷ୍ଟି କରିଥିଲା।

Also Read: ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡ୍ରେ ବିଜୟ, ଧାର୍ମିକ ସ୍ଥଳ ଓ ସ୍କୁଲ ନିକଟରେ ଥିବା ୭୧୭ଟି ମଦ ଦୋକାନ ହେବ ବନ୍ଦ

ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରିଥିଲେ ଡିଏମକେ ପ୍ରାର୍ଥୀ

ଏମିତିରେ ନିର୍ବାଚନରେ ପରାଜିତ ହୋଇଥିବା ଡିଏମକେ ନେତା କେ.ଆର ପେରିଆକରୁପ୍ପନ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିଥିଲେ। କୋର୍ଟ ଆବେଦନରେ ସେ ଅଭିଯୋଗ କରିଥିଲେ ଯେ, ପୋଷ୍ଟାଲ୍ ବାଲଟରେ ହେରଫେର କରାଯାଇଛି। ଫଳରେ ଟିଭିକେ ପ୍ରାର୍ଥୀଙ୍କ ବିଜୟ ହୋଇଛି। ସେ ଦାବି କରିଥିଲେ ଯେ, ତିରୁପତ୍ତୁର ବିଧାନସଭା ନିର୍ବାଚନମଣ୍ଡଳୀର ସଂଖ୍ୟା ୧୮୫ ପାଇଁ ପଡ଼ିଥିବା ଗୋଟିଏ ଭୋଟ ଭୁଲ ଭାବରେ ଜିଲ୍ଲାର ତିରୁପତ୍ତୁର ବିଧାନସଭା ନିର୍ବାଚନମଣ୍ଡଳୀର ସଂଖ୍ୟା ୫୦ରେ ଯୋଡ଼ିଦିଆଯାଇଛି।

ହାଇକୋର୍ଟ ଦେଲେ ସ୍ଥଗିତାଦେଶ

ତେବେ ମାମଲାରେ ଶୁଣାଣି କରି ବିଚାରପତି ଭିକ୍ଟୋରିଆ ଗୌରୀ ଏବଂ ବିଚାରପତି ସେନ୍ଥିଲକୁମାରଙ୍କ ଖଣ୍ଡପୀଠ କହିଛନ୍ତି ଯେ, ପ୍ରଥମ ଥର ମାମଲା କୋର୍ଟକୁ ଆସିଛି ଏମିତିରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେତୁପତିଙ୍କୁ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବାରୁ ବାରଣ କରାଯାଇଛି। ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଶ୍ରୀନିବାସ ସେତୁପତି ବର୍ତ୍ତମାନ ପାଇଁ ବିଧାନସଭାର କୌଣସି କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ।

Also Read: ବିଜୟଙ୍କ ମନ୍ତ୍ରିମଣ୍ଡଳର ଏହି ମହିଳା ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା, ଦକ୍ଷତାରେ ଖୁବ୍ ଆଗରେ

କ’ଣ କହିଲେ ନିର୍ବାଚନ କମିଶନ ?

ନିର୍ବାଚନ କମିଶନ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କେବଳ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ନିର୍ବାଚନ ଆବେଦନ ଦାଖଲ କରାଯାଇପାରିବ। କମିଶନ ଏହା ମଧ୍ୟ କହିଛନ୍ତି ଯେ, ଗୋଟିଏ ବି ପୋଷ୍ଟାଲ୍ ବାଲଟ୍ ଅନ୍ୟ ନିର୍ବାଚନମଣ୍ଡଳୀକୁ ସ୍ଥାନାନ୍ତରିତ ହୋଇନାହିଁ। ଅବଶ୍ୟ, କୋର୍ଟରେ ପେରିଆକରୁପ୍ପନଙ୍କ ଦ୍ୱାରା ଦାଖଲ ଅଭିଯୋଗର ପର୍ଯ୍ୟାପ୍ତ ପ୍ରମାଣ ଥିବାରୁ କୋର୍ଟ ଶ୍ରୀନିବାସ ସେତୁପତିଙ୍କୁ ବିଧାୟକ ଭାବରେ ବିଧାନସଭା ବିଶ୍ୱାସ ଭୋଟରେ ଅଂଶଗ୍ରହଣ କରିବାରୁ ବାରଣ କରିଥିଲେ।

ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ

ହାଇକୋର୍ଟ କମିଶନଙ୍କୁ ଏକ ସତ୍ୟପାଠ ଦାଖଲ କରି ଏହି ପ୍ରସଙ୍ଗରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ତିରୁପତ୍ତୁର ବିଧାନସଭା ନିର୍ବାଚନମଣ୍ଡଳୀ ନମ୍ବର ୧୮୫ ସହ ଜଡ଼ିତ ଯେକୌଣସି ପୋଷ୍ଟାଲ୍ ବାଲଟ୍, ଯାହା ତିରୁପତ୍ତୁର ବିଧାନସଭା ନିର୍ବାଚନମଣ୍ଡଳୀ ନମ୍ବର ୫୦ରେ ପ୍ରାପ୍ତ ହୋଇଛି, ତାହାକୁ ସିଲ୍, ସୁରକ୍ଷିତ ଏବଂ ସଂରକ୍ଷିତ ରଖାଯିବ। କୋର୍ଟ ଗଣନା, ପୋଷ୍ଟାଲ୍ ବାଲଟ୍ ଯାଞ୍ଚ, ପୋଷ୍ଟାଲ୍ ବାଲଟ୍ ପ୍ରତ୍ୟାଖ୍ୟାନ ଏବଂ ପୁନର୍ବାର ଯାଞ୍ଚ ସହିତ ସେମାନଙ୍କର ମୂଳ ଇଲେକ୍ଟ୍ରୋନିକ୍ ଫର୍ମରେ ସଂରକ୍ଷଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।