ନୂଆଦିଲ୍ଲୀ: ଅଭିନେତା ବିଜୟ ରବିବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହା ସହ ସେ ହୋଇଛନ୍ତି ରାଜ୍ୟର ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ। ତାଙ୍କ ମନ୍ତ୍ରିମଣ୍ଡଳରେ ସମୁଦାୟ ୯ ମନ୍ତ୍ରୀ ଅଛନ୍ତି। ହେଲେ କ୍ୟାବିନେଟର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଜଣେ ମାତ୍ର ମହିଳା ମନ୍ତ୍ରୀ ଏସ କୀର୍ତନା। ୨୯ ବର୍ଷୀୟ ଏସ କୀର୍ତନା, ହିନ୍ଦୀ ସମେତ ୫ ଭାଷା କହିବାରେ ଦକ୍ଷ । ଶପଥ ଗ୍ରହଣ କରିବା ପରେ କୀର୍ତନା କହିଛନ୍ତି ନୂଆ ସରକାର ଶାସନ କ୍ଷେତ୍ରରେ ଏକ ଉଦାହରଣ ସ୍ଥାପନ କରିବ। ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଅବିଶ୍ବସନୀୟ କାରଣ, ଅନ୍ୟ କୌଣସି ରାଜ୍ୟରେ ଏପରି କ୍ୟାବିନେଟ ହୋଇନାହିଁ। ପୂର୍ବରୁ କେହି ଆମକୁ ଏପରି ସୁଯୋଗ ଦେଇନାହାଁନ୍ତି । ଏବେ ଆମେ ବିଶ୍ବକୁ ଦେଖାଇବୁ ଯେ କିପରି ସରକାର ପରିଚାଳିତ ହୁଏ।

ଏସ. କୀର୍ତନା କିଏ ?

କୀର୍ତନା ଟିଭିକେ ଟିକେଟରେ ତାମିଲନାଡୁର ଶିବକାଶୀରୁ ନବନିର୍ବାଚିତ ବିଧାୟିକା। ଶିବକାସୀ "ବାଣ ସହର" ଭାବରେ ଜଣାଶୁଣା। ସେ ଏହି ସିଟରୁ ଜିତିଥିବା ପ୍ରଥମ ମହିଳା ବିଧାୟକ। ତାଙ୍କ ବିଜୟ ଏହି ଆସ​‌ନରେ ସାତ ଦଶନ୍ଧିରୁ ଚାଲିଆସିଥିବା ପରୁଷ ପ୍ରାଧାନ୍ୟ ପରମ୍ପରାକୁ ଭାଙ୍ଗିପାରିଛି। ସେ ଏହି ନିର୍ବାଚନରେ ୧୧, ୬୯୭ ଭୋଟରେ କଂଗ୍ରେସ ପ୍ରାର୍ଥୀ ଅଶୋକନ ଜିଙ୍କୁ ପରାସ୍ତ କରିଥିଲେ।

Also Read: ମୁଖ୍ୟମନ୍ତ୍ରୀ ହେଉ ହେଉ ବିଜୟଙ୍କ ବଡ଼ ଘୋଷଣା, ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ୱସ୍ତି, ଖୁସିଲେ ନାଚିଲେ ଜେନ୍-ଜି

କୀର୍ତନାଙ୍କ ଜନ୍ମ

କୀର୍ତନାଙ୍କ ଜନ୍ମ ୧୯୯୬ ମସିହାରେ ବିରୁଧୁନଗରରେ ହୋଇଥିଲା। ସେ ତାମିଲ- ମିଡିୟମ ସରକାରୀ ସ୍କୁଲରେ ପଢିଥିଲେ। ପରେ ମଦୁରାଇ କାମରାଜ ବିଶ୍ବବିଦ୍ୟାଳୟ ସହିତ ଜଡ଼ିତ ଏକ କଲେଜରୁ ଗଣିତରେ ବି.ଏସ୍.ସି ଡିଗ୍ରୀ ହାସଲ କରିଥିଲେ। ୨୦୧୯ରେ ପୁଡୁଚେରୀ ବିଶ୍ବବିଦ୍ୟାଳୟରୁ ଷ୍ଟାଟିଷ୍ଟିକ୍ସରେ ଏମଏସସି କରିଥିଲେ।

ରାଜନୈତିକ ପରାମର୍ଶଦାତା ଅଭିଜ୍ଞତା

ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ କୀର୍ତନା ଜଣେ ରାଜନୈତିକ ପରାମର୍ଶଦାତା ଏବଂ ଡିଜିଟାଲ୍ ପ୍ରଚାରର ରଣନୀତିଜ୍ଞ ଭାବରେ କାର୍ଯ୍ୟ କରିଥିଲେ। ସେ ‘ଶୋ'ଟାଇମ୍ ପରାମର୍ଶଦାତା’ ଏବଂ ‘IPAC’ ପାଇଁ କାମ କରିଛନ୍ତି। ପରେ ତାଙ୍କୁ ତେଲୁଗୁ ଦେଶମ ପାର୍ଟି, ଟିଏମସି ଏବଂ ଡିଏମକେ ପାଇଁ ମଧ୍ୟ ନିର୍ବାଚନ କ୍ୟାମ୍ପେନରେ ସାମିଲ ହୋଇଥିଲେ। ଗତ ଗତ କିଛି ବର୍ଷ ଧରି, କୀର୍ତନା ପୂର୍ବତନ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍, ମମତା ବାନାର୍ଜୀ ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମଧ୍ୟ କାମ କରିଛନ୍ତି।

ବହୁ ଭାଷାରେ ଦକ୍ଷ

ବଡ଼ କଥା ହେଲା କିର୍ତନାଙ୍କର ହିନ୍ଦୀ ଭାଷା ଉପରେ ଖୁବ୍ ଦକ୍ଷତା ରହିଛି। ଏମିତିରେ ଏହା ତାମିଲନାଡୁ ଭଳି ଏକ ଅଣ-ହିନ୍ଦୀ ଭାଷାଭାଷୀ ରାଜ୍ୟରେ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ସେ ତାମିଲ, ତେଲୁଗୁ ଏବଂ ଇଂରାଜୀରେ ସମାନ ଭାବରେ ଦକ୍ଷ। କୀର୍ତନା କହିଛନ୍ତି ବିଭିନ୍ନ ଭାଷା ଉପରେ ତାଙ୍କର ନିୟନ୍ତ୍ରଣ ତାଙ୍କୁ ବିଭିନ୍ନ ରାଜ୍ୟରେ କାମ କରିବା ଏବଂ ସେଠାକାର ଲୋକଙ୍କ ସହ ଯୋଡ଼ି ହେବା ସହଜ କରିଥିଲା। ସେ କହିଥିଲେ ଯେ, ଭାଷା ଜ୍ଞାନ ତାଙ୍କ ପାଇଁ ବିଭିନ୍ନ ରାଜ୍ୟରେ କାମ କରିବା ସହଜ କରିଥିଲା। କୀର୍ତନା କହିଛନ୍ତି ଯେ ସେ ହିନ୍ଦୀ କହିବାକୁ ବାଛିଥିଲେ ଯାହା ଦ୍ବାରା ସେ ସମଗ୍ର ଭାରତବାସୀଙ୍କ ନିକଟରେ ଟିଭିକେ ମୁଖ୍ୟ ବିଜୟଙ୍କ ବାର୍ତ୍ତା ପହଞ୍ଚାଇପାରିବେ।

Also Read: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ

ଅଭିଯାନରେ କ'ଣ ଗୁରୁତ୍ବ ଦିଆଯାଇଥିଲା?

ନିର୍ବାଚନ କ୍ୟାମ୍ପେନ ସମୟରେ ଏସ କୀର୍ତନା ଶିବକାଶୀର ତୃଣମୂଳ ସ୍ତରର ସମସ୍ୟା ଉପରେ ଧ୍ୟାନ ଦେଇଥିଲେ। ସେ କହିଥିଲେ ଶିବକାସୀ ଏକ ଉଚ୍ଚ ବିପଦପୂର୍ଣ୍ଣ ଶିଳ୍ପ କେନ୍ଦ୍ର ହେବା ସତ୍ତ୍ୱେ ବି ଏହି ଅଞ୍ଚଳରେ କେବଳ ଗୋଟିଏ ଅଗ୍ନିଶମ ସେବା କେନ୍ଦ୍ର ଅଛି। ଯାହା ଜରୁରୀକାଳୀନ ପରିସ୍ଥିତି ପାଇଁ ଯଥେଷ୍ଟ ନୁହେଁ। ସେ ଏହି ଅଞ୍ଚଳରେ ସୁରକ୍ଷା ଏବଂ ସ୍ବାସ୍ଥ୍ୟ ସେବାରେ ଥିବା ତ୍ରୁଟିଗୁଡ଼ିକ ପ୍ରତି ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟରେ, ଲୋକମାନଙ୍କୁ ବାଣ ଶିଳ୍ପ ପାଇଁ ଉନ୍ନତ ସୁରକ୍ଷା ବ୍ୟବସ୍ଥା, ବୀମା କଭରେଜ୍, ମହିଳାମାନଙ୍କ ପାଇଁ ସମାନ ଦରମା, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ବିପଜ୍ଜନକ ରାସାୟନିକ ପଦାର୍ଥ ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ଉନ୍ନତ ଚିକିତ୍ସା ସୁବିଧା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ।