ନୂଆଦିଲ୍ଲୀ: ଭାରତରେ ଏଲପିଜି ଅର୍ଥାତ ରୋଷେଇ ଗ୍ୟାସ ଖର୍ଚ୍ଚରେ ହ୍ରାସ ଦେଖା ଦେଇଛି। ପେଟ୍ରୋଲିୟମ ମନ୍ତ୍ରାଳୟଙ୍କ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସସ୍ ସେଲ (ପିପିଏସି) ତଥ୍ୟ ଅନୁସାରେ ଏପ୍ରିଲରୁ ଅଗଷ୍ଟ ୨୦୨୬ ରେ ଦେଶର ଏଲପିଜି ଖର୍ଚ୍ଚ ବାର୍ଷିକ ଆଧାରରେ ୧୬% ହ୍ରାସ ହୋଇ ୧୧.୩ ମିଲିୟନ ଟନକୁ ପହଞ୍ଚି ଯାଇଛି। ଗତବର୍ଷ ଏହି ଅବଧିରେ ଦେଶର ଏଲପିଜି ଖର୍ଚ୍ଚ ୧୩.୪ ମିଲିୟନ ଟନ ଥିଲା। ଏଲପିଜି ଚାହିଦାରେ ଏହି ହ୍ରାସ ଏପରି ସମୟରେ ହେଉଛି ଯେତେବେଳେ ପଶ୍ଚିମ ଏସିୟାରେ ଯୁଦ୍ଧ ଓ ଉତ୍ତେଜନା କାରଣରୁ ଭାରତର ଏଲପିଜି ଯୋଗାଣ ଉପରେ ପ୍ରଭାବ ପଡିଛି।

ଏହା ଛଡା ସରକାର ଏବେ ପାଇପଲାଇନ ନାଚ୍ୟୁରାଲ ଗ୍ୟାସ୍ ଅର୍ଥାତ ପିଏନଜିକୁ ସିଫ୍ଟ କରିବାକୁ ଜୋର ଦେଉଛନ୍ତି। ପେଟ୍ରୋଲିୟମ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ନିଜନିଜ ରାଜ୍ୟରେ ଲୋକଙ୍କୁ ଏଲପିଜିରୁ ପିଏନଜିକୁ ସିଫ୍ଟ କରାଇବାରେ ପ୍ରଶାସନିକ ସହଯୋଗ କରନ୍ତୁ ବୋଲି କହିଛି। ଏଥିଲାଗି ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟର ଏବଂ ଅଏଲ ମାର୍କେଟିଂ କମ୍ପାନୀଙ୍କ ସହିତ ତାଳମେଳ ରଖିବାକୁ ନୋଡାଲ ଅଫିସର ନିଯୁକ୍ତି କରିବାକୁ ମଧ୍ୟ କହୁଛି। ପେଟ୍ରୋଲିୟମ ସଚିବ ନିରଜ ମିତ୍ତଲ ୨୧ ଅଗଷ୍ଟରେ ରାଜ୍ୟଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ପିଏନଜି ଅଧିକ ସ୍ୱଚ୍ଛ, ସୁରକ୍ଷିତ ଖାଦ୍ୟ ରୋଷେଇ ଇନ୍ଧନ। ଏହା ଦ୍ୱାରା ଭାରତର ଉର୍ଜା ପରିବର୍ତ୍ତନକୁ ଆଗକୁ ବଢେଇବା ସହିତ ଏଲପିଜି ସିଲିଣ୍ଡର ପରିବହନ ଓ ବିତରଣ ବାବଦେ ହେଉଥିବା ଖର୍ଚ୍ଚ ହ୍ରାସ କରାଯାଇ ପାରିବ।

ଅଗଷ୍ଟ ମାସରେ ଏଲପିଜି ଖର୍ଚ୍ଚ ୧୬% ହ୍ରାସ ହୋଇଛି ଓ ଏହା ମାତ୍ର ୨.୪ ମିଲିୟନ ଟନ ଖର୍ଚ୍ଚ ହୋଇଛି। ଅଗଷ୍ଟ ୨୦୨୫ରେ ଏହି ଖର୍ଚ୍ଚର ପରିମାଣ ୨.୯ ମିଲିୟନ ଟନ ଥିଲା। ତେବେ ପେଟ୍ରୋଲ ଓ ଡିଜେଲ ଚାହିଦା ଦେଶରେ ବଢିଛି। ଏପ୍ରିଲ-ଅଗଷ୍ଟ ମାସରେ ପେଟ୍ରୋଲ ଖର୍ଚ୍ଚ ୬.୪ ପ୍ରତିଶତ ବଢି ୧୮.୯ ମିଲିୟନ ଟନକୁ ପହଞ୍ଚିଛି। ଗତ ବର୍ଷ ଏହି ସମୟରେ ପେଟ୍ରୋଲ ବିକ୍ରି ୧୭.୮ ମିଲିୟନ ଟନ ଥିଲା। ସେହିପରି ଡିଜେଲ ଖର୍ଚ୍ଚ ମଧ୍ୟ ୬.୪ ପ୍ରତିଶତ ବଢିଛି।

ଇତି ମଧ୍ୟରେ ଏଲପିଜି ଆମଦାନୀ ସ୍ରୋତରେ ମଧ୍ୟ ବଡ ପରିବର୍ତ୍ତନ ଆସିଛି। ଏବେ ଆମେରିକା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଏଲପିଜି ଯୋଗାଣକାରୀ ପାଲଟିଛି। ଆମେରିକା ଅଗଷ୍ଟ ମାସରେ ଭାରତକୁ ପାଖାପାଖି ୨.୭୬ଲକ୍ଷ ଟନ ଏଲପିଜି ଯୋଗାଇ ଦେଇଛି। ଏହି ସମୟରେ ୟୁଏଇରୁ ମାତ୍ର ୬୮ ହଜାର ଟନ ଏଲପିଜି ଆସି ପାରିଛି। ଭାରତ ନିଜ ଏଲପିଜି ଆବଶ୍ୟକତାର ପାଖାପାଖି ୬୦% ବିଦେଶରୁ ଆମଦାନୀ କରିଥାଏ। ପୂର୍ବରୁ ୯୦ ପ୍ରତିଶତ ଏଲପିଜି ଗଲ୍ଫ ଦେଶରୁ ହର୍ମୁଜ ପ୍ରଣାଳୀ ଦେଇ ଆସୁଥିଲା। ତେବେ ହର୍ମୁଜ ଦେଇ ଏବେ ପରିବହନ ହେଉନଥିବାରୁ ଆମେରିକା ସମେତ ଅନ୍ୟ ଦେଶରୁ ଆମଦାନୀ ବଢାଇଛି ଭାରତ।