ନୂଆଦିଲ୍ଲୀ ୧୨।୦୮; ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ବୁଧବାରକୁ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ବର୍ଷା ପ୍ରକୋପ ବଢ଼ିବ ରାଜ୍ୟରେ । ଆସନ୍ତା ୫-୬ ଦିନ ଧରି ବର୍ଷା ଲାଗି ରହିବ ବିଭିନ୍ନ ଅଞ୍ଚଳରେ । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ହେଲା, ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୧୩ ତାରିଖ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ହେବ । କେତେକ ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଆଉ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୧୭ ତାରିଖ ଯାଏଁ ଏଭଳି ପାଗ ଓ ବର୍ଷା ସମ୍ଭାବନା ରହିଛି । ଘଡ଼ଘଡ଼ିଜନିତ ବର୍ଷା ରାଜ୍ୟରେ ଲାଗି ରହିଛି । ବଜ୍ରାଘାତରେ ଦୁଇଦିନରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ମଙ୍ଗଳବାର ସୁନ୍ଦରଗଡ଼ରେ ବଜ୍ରାଘାତରେ ୫ ଜୀବନ ଯାଇଛି । ବାଲିଶଙ୍କରା ବ୍ଲକରେ ୨ଜଣ ମହିଳା ଓ ବଣାଇରେ ୨ଜଣ ମହିଳା ବିଲରେ ତଳି କାମ କରୁଥିବାବେଳେ ବଜ୍ରପାତ ହେବାରୁ ସେମାନଙ୍କ ମୃତ୍ୟୁ ଘଟିଛି । ନୂଆଗାଁ ବ୍ଲକରେ ଗଛ ତଳେ ଆଶ୍ରୟ ନେଇଥିବାବେଳେ ଜଣେ ଯୁବକ ବଜ୍ରପାତରେ ଜୀବନ ହରାଇଛନ୍ତି । ସୋମବାର ମଧ୍ୟ ବଜ୍ରପାତ ଯୋଗୁ ୫ଜଣଙ୍କ ମୃତ୍ୟୁ ହୋଇଥିଲା । କଟକର ମାହାଙ୍ଗା ଓ ଚୌଦ୍ୱାର ଅଞ୍ଚଳରେ ୨ଜଣ, ମୟୂରଭଞ୍ଜରେ ୨ଜଣ, ଖୋର୍ଦ୍ଧା ଜିଲ୍ଲାରେ ଜଣଙ୍କ ଜୀବନ ନେଇଛି ବଜ୍ରପାତ ।