ନୂଆଦିଲ୍ଲୀ: ଭାରତୀୟ ସେନାର ଡେପୁଟି ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ସେକ୍ରେଟାରିଏଟ୍ (ଏନଏସସିଏସ୍)ରେ ନୂଆ ମିଲିଟାରୀ ଆଡଭାଇଜର ନିଯୁକ୍ତ କରାଯାଇଛି। ଏହି ପଦବୀର କୌଣସି ସେବାରତ ସୈନ୍ୟ ଅଧିକାରୀଙ୍କୁ ନିଯୁକ୍ତି କରାଯିବାର ଏହା ପ୍ରଥମ ଘଟଣା। ଜାତୀୟ ସୁରକ୍ଷା ପରାମର୍ଶ ଦାତା (ଏନଏସଏ ) ଅଜିତ ଡୋଭାଲ ଏବେ ଏନଏସସିଏସର ନେତୃତ୍ୱ ନେଉଛନ୍ତି। ରାଜୀବ ଘାଇ ଅପରେସନ ସିନ୍ଦୂର କାଳରେ ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନସ୍ (ଡିଜିଏମଓ) ଥିଲେ।

ସୂତ୍ର ଅନୁସାରେ ଘାଇ ଖୁବ୍ ଶୀଘ୍ର ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କର ଚାକିରୀ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ରହିଛି। ତାଙ୍କ ନୂଆ ନିଯୁକ୍ତିକୁ ଚଳିତ ସପ୍ତାହରେ ମଞ୍ଜୁରୀ ମିଳିଛି। ରାଜୀବ ଘାଇଙ୍କ ସୈନ୍ୟ ଅଭିଜ୍ଞତା ବେଶ୍ ବ୍ୟାପକ। ସେ ପଶ୍ଚିମ ସେକ୍ଟରରେ ଇନଫେଣ୍ଟ୍ରି ବଟାଲିୟନର କମାଣ୍ଡ ସମ୍ଭାଳିଥିଲେ। ଏହା ଛଡା ସେ ସେଣ୍ଟ୍ରାଲ କମାଣ୍ଡରେ ସ୍ୱତନ୍ତ୍ର ବ୍ରିଗେଡ, ଅଋଣାଚଳ ପ୍ରଦେଶରେ ଇନଫେଣ୍ଟ୍ରି ଡିଭିଜନ ଓ ଶ୍ରୀନଗରରେ ଥିବା ୧୫ କର୍ପସର କମାଣ୍ଡ ମଧ୍ୟ ସମ୍ଭାଳିଥିଲେ।

ଘାଇଙ୍କ ପୂର୍ବରୁ ଏନଏସସିଏସ୍ ଆଡଭାଇଜର ପଦବୀରେ ଜେନେରାଲ ଏନ.ଏସ୍. ରାଜା ସୁବ୍ରମଣୀ ଥିଲେ। ଜେନେରାଲ ସୁବ୍ରମଣୀ ନିକଟରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ନିଯୁକ୍ତ ହୋଇଛନ୍ତି। ସୁବ୍ରମଣୀଙ୍କ ପୂର୍ବରୁ ଏନଏସସିଏସ ଆଡଭାଇଜର ପଦରେ ଏୟାର ମାର୍ଶଲ ସନ୍ଦୀପ ସିଂହ ଓ ଜେନେରାଲ ଅନିଲ ଚୌହାନ ପରାମର୍ଶଦାତା ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଏହି ପଦକୁ ପୁଣି ଥରେ ସକ୍ରିୟ କରାଯାଇଥିଲା। ୨୦୧୮ ମସିହାରେ ଲେଫ୍ଟନାଣ୍ଟ ଜେନେରାଲ ବିନୋଦ ଖଣ୍ଡାରେ ପ୍ରଥମ ମିଲଟାରୀ ଆଡଭାଇଜର ନିଯୁକ୍ତ ହୋଇଥିଲେ।