ପଟାଙ୍ଗି ୨୨।୧୧: ଥମିବାର ନାଁ ନେଉନି କୋଟିଆ ବିବାଦ । ଆସନ୍ତା ୨ ତାରିଖରେ ସରପଞ୍ଚ ଏବଂ ୱାର୍ଡ ସଭ୍ୟ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପ ଆହୁରି ଜୋରଦାର ହୋଇଛି । ବିଶେଷ କରି ଗଞ୍ଜେଇପଦର ପଞ୍ଚାୟତକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଏହି ପଞ୍ଚାୟତରୁ ଦୁଇ ଜଣ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି । ଧୁଳିପଦର ଗ୍ରାମର ସୋଡ଼ିପିଲି ବେର୍ଶୋ ଏବଂ ତଳ ଗଞ୍ଜେଇପଦର ଗ୍ରାମର କୋରା ସୁନ୍ଦରୀ ନାମାଙ୍କନ ଦାଖଲ କରିଛନ୍ତି । ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟା ଅନୁସାରେ ଏହି ନାମାଙ୍କନ ଦାଖଲ ହୋଇଥିବା କୁହାଯାଉଛି ।

ଏପଟେ କୋଟିଆରେ ଆନ୍ଧ୍ର ପକ୍ଷର ନିର୍ବାଚନୀ ଗତିବିଧି ଉପରେ ଓଡ଼ିଶା ପୋଲିସ ଓ ପ୍ରଶାସନର ନଜର ରହିଛି । ନିର୍ବାଚନକୁ ନେଇ ଅଞ୍ଚଳରେ ଗତିବିଧି ବଢ଼ୁଥିବା ବେଳେ ଦୁଇ ଜଣ ଆନ୍ଧ୍ର ଏଜେଣ୍ଟଙ୍କୁ ପୋଲିସ ଉଠାଇ ନେଇଥିଲା । ତେବେ ଏହି ଘଟଣା ପରେ ମଧ୍ୟ ଆନ୍ଧ୍ର ପକ୍ଷରୁ ନିର୍ବାଚନୀ ପ୍ରକ୍ରିୟା ବନ୍ଦ ହୋଇନଥିବା ଦେଖିବାକୁ ମିଳିଛି । ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଏହାର ଏକ ଉଦାହରଣ ବୋଲି ଚର୍ଚ୍ଚା ହେଉଛି ।

Also Read:- ଗଞ୍ଜାମରେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା, ଜଳସେଚନ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ବ

ଆସନ୍ତା ୨ ତାରିଖରେ ନିର୍ବାଚନ ହେବାକୁ ଥିବାରୁ ଆଗାମୀ ଦିନରେ କୋଟିଆର ପରିସ୍ଥିତି କେଉଁ ମୋଡ଼ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।