ମୁମ୍ବାଇ, ୧୯/୧୦:ବଲିଉଡ ଅଭିନେତା ଟାଇଗର୍ ଶ୍ରଫଙ୍କୁ ଗୁଳିମାଡ଼ ହୋଇଛି । ତାଙ୍କ କାର ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଏଥିରେ ତାଙ୍କର ଡ୍ରାଇଭର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଅଟୋ ଚାଳକ ଆହତ ହୋଇଛନ୍ତି । 

ବଡ଼ ଖୁଲାସା

ପୋଲିସ ସୂତ୍ରରୁ ଜଣାପଡ଼ିଛି, ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସିଥିଲେ। ଦୁଇଜଣ ଧଳା ରଙ୍ଗର ସାର୍ଟ ପିନ୍ଧିଥିଲେ। ଗୁଳିମାଡ଼ରେ ଡ୍ରାଇଭର ଫିରଦୋସଙ୍କ ବାମ ହାତରେ ଗୁଳି ବାଜିଛି। ସେ ବିପଦମୁକ୍ତ ଅଛନ୍ତି। ଅନ୍ୟ ଆହତ ଉମେଶ ଚୌହାନଙ୍କ ଚିକିତ୍ସା ଜାରି ରହିଛି। ମାମଲାର ତଦନ୍ତ ଲାଗି ୧୫ଟି ପୁଲିସ ଟିମ୍ ଗଠନ କରାଯାଇଛି। ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି। ଏଥିସହ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଂପୃକ୍ତି

ଏହି ଆକ୍ରମଣ ପାଇଁ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଗ୍ୟାଙ୍ଗ୍ ଏକ ପୋଷ୍ଟ ଶେୟାର କରି ଘଟଣା ପାଇଁ ନିଜେ ଦାୟୀ ବୋଲି କହିଛି। ଅଭିନେତା ସଲମାନ ଖାନଙ୍କ ସହ ଯେଉଁମାନେ ଘନିଷ୍ଠ ଅଛନ୍ତି କିମ୍ବା କାମ କରୁଛନ୍ତି ସେମାନେ ପରିଣତି ଭୋଗିବେ ବୋଲି ପୋଷ୍ଟରେ ଧମକ ଦିଆଯାଇଛି। ବିଦେଶରେ ଥିବା ଗ୍ୟାଙ୍ଗର ଅନିଲ ପଣ୍ଡିତ ଏବଂ ହର୍ମନର ନିର୍ଦ୍ଦେଶରେ ଏହି ଗୁଳିମାଡ଼ ଘଟିଥିବା କୁହାଯାଇଛି। ଉଭୟ ଲରେନ୍ସ ଗ୍ୟାଙ୍ଗ୍ର ସଦସ୍ୟ।

Also Read :- ଟାଇଗରଙ୍କ ଦେହରେ ବାରୁଦ ଚିହ୍ନ ! ରାତିରେ ଅଭିନେତାଙ୍କ ଘରେ ପହଁଚିଲେ ଉପ ମୁଖ୍ୟମନ୍ତ୍ରୀ

ଅନିଲ ପଣ୍ଡିତ ସୋସିଆଲ ମିଡିଆରେ ଲେଖିଛି, ‘‘ଜୟ ମହାକାଳ.. ଜୟ ଶ୍ରୀରାମ.. ସବୁ ଭାଇଙ୍କୁ ରାମ୍ ରାମ୍.. ଆଜି ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ହୋଇଛି। ଏଥିପାଇଁ ଅନିଲ ପଣ୍ଡିତ ଏବଂ ହର୍ମନ ସନ୍ଧୁ ନିଜକୁ ଦାୟୀ କରୁଛନ୍ତି । ଆମେ ଟାଇଗରଙ୍କୁ ଫୋନ କରି ବୁଝାଇଥିଲୁ। କିନ୍ତୁ ସେ ବୁଝି ନ ଥିଲେ। ସେଥିପାଇଁ ଆଜି ଭଲ ଭାବେ ଆମେ ବୁଝାଇ ଦେଇଛୁ। ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେ କେହି ବି ଆମ କଥା ନ ଶୁଣିବ ଏବଂ ସଲମାନ ଖାନଙ୍କ ସହ କାମ କରିବ,ପରବର୍ତ୍ତୀ ନମ୍ବର ତା'ର ଆସିବ। ୱେଟ୍ ଆଣ୍ଡ୍ ୱାଚ୍।”

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ମୁମ୍ବାଇ ପୁଲିସ କମିଶନରଙ୍କ ସହ ଫୋନ ଯୋଗେ କଥା ହୋଇ ଘଟଣାର ବିବରଣୀ ମାଗିଛନ୍ତି। ଦୁର୍ବୃତ୍ତଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ଲାଗି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛତି,ସହରରେ ଆତଙ୍କ ଖେଳାଉଥିବା ଗ୍ୟାଙ୍ଗ ବିରୋଧରେ ମୁମ୍ବାଇ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବ। ସାଧାରଣ ନାଗରିକ ଓ ସେଲିବ୍ରିଟିଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଯଥାବିଧି ପଦକ୍ଷେପ ନିଆଯିବ। ମହାରାଷ୍ଟ୍ରରେ ଦଙ୍ଗା ଭିଆଇବାକୁ କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।