ମୁମ୍ବାଇ: ଲାଟୁର ପ୍ରଶାସନ ଜିଲ୍ଲାକୁ ବର୍ଷକ ଲାଗି ଜଳ ସଂକଟ କ୍ଷେତ୍ର ଘୋଷଣା କରିଛି। ଏହି ଅନୁସାରେ ମହାରାଷ୍ଟ୍ର ଭୂଜଳ ଅଧିନିୟମ ୨୦୦୯ ଅନୁସାରେ ଭୂତଳ ଜଳର ଉପଯୋଗ ଓ ନୂଆ ବୋରୱେଲ ଖନନ ଲାଗି କଟକଣା ଲଗାଇ ଦିଆଯାଇଛି। ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତ ମୌସୁମୀ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାର ଭୂତଳ ଜଳସ୍ତର ହ୍ରାସର କାରଣ ପାଲଟିଛି। ଭୂତଳ ଜଳସ୍ତର ପାଖାପାଖି ୪.୫୮ ମିଟର ତଳକୁ ଚାଲି ଯାଇଛି। ଏଣୁ ପ୍ରଶାସନ ଦ୍ୱାରା ଜାରି ନିର୍ଦ୍ଦେଶରେ କୃଷି ଅଥବା ଉଦ୍ୟୋଗ ଉପଯୋଗ ପାଇଁ ୬୦ ମିଟରରୁ ଅଧିକ ଗଭୀର କୂଅ ଅଥବା ବୋରୱେଲ ଖୋଳିବା ଉପରେ ରୋକ ଲଗାଇ ଦିଆଯାଇଛି।

ସେହିପରି ପିଇବା ଯୋଗ୍ୟ ପାଣିର ସାର୍ବଜନିକ ଜଳସ୍ରୋତର ୫୦୦ ମିଟର ପରିସରରେ କୌଣସି ପ୍ରକାରର ନୂଆ ବୋରୱେଲ ଖୋଳାଯାଇ ପାରିବନି। ଆଦେଶ ଉଲ୍ଲଂଘନ ହେଲେ ବୋରୱେଲକୁ ତୁରନ୍ତ ସିଲ୍ କରିଦିଆଯିବ। ସେହିପରି ସାର୍ବଜନିକ ପେୟ ଜଳ ସ୍ରୋତର ୧ କିଲୋମିଟର ପରିସରରେ କୂଅ ଅଥବା ବୋରୱେଲରୁ ବ୍ୟବସାୟୀକ ଅଥବା ଜଳ ସେଚନ ଲାଗି ଅବାଧରେ ପାଣି ଉଠା ଉପରେ ରୋକ ଲଗାଇ ଦିଆଯାଇଛି। ଏହା ଛଡା ସକ୍ଷମ ଅଧିକାରୀଙ୍କ ପୂର୍ବ ଅନୁମତି ବିନା ଟ୍ୟାଙ୍କର ମାଧ୍ୟମରେ ଭୂତଳ ଜଳର ବ୍ୟବସାୟୀକ ବିକ୍ରି ଓ ପରିବହନ ଉପରେ କଟକଣା ଜାରି ହୋଇଛି।

ଏହା ଛଡା ଜିଲ୍ଲାରେ ସଞ୍ଚାଳିତ ହେଉଥିବା ସବୁ ବୋରୱେଲ ଡ୍ରିଲିଂ ମେସିନ ମାଲିକମାନଙ୍କୁ ୩୦ ଦିନ ମଧ୍ୟରେ ସମ୍ବଦ୍ଧିତ ଉପବିଭାଗୀୟ ମାଜିଷ୍ଟ୍ରେଟ୍ ଅଥବା ତହସିଲଦାରଙ୍କ ନିକଟରେ ନିଜ ମେସିନାରୀକୁ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନା ଅନୁମତିରେ ବୋରୱେଲ ଖୋଳୁଥିବା ମେସିନକୁ ପ୍ରଶାସନ ଜବତ କରିନେବ ବୋଲି ଚେତାବନୀ ଦିଆଯାଇଛି। ଜିଲ୍ଲାରେ ନିୟମ କଡ଼ାକଡି ଲାଗୁ କରିବା ପାଇଁ ଏସଡିଏମ, ତହସିଲଦାର, ବିଡିଓ ଏବଂ ପୋଲିସ ଅଧିକାରୀଙ୍କୁ ନିରୀକ୍ଷଣ କରିବା, ଅବୈଧ ଉପକରଣ ଜବତ କରିବା ଓ ବିଦ୍ୟୁତ ସଂଯୋଗ କାଟିବାକୁ ଅଧିକାର ଦିଆଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ଜରିମନା ଓ ଜେଲ୍ ଉଭୟ ପ୍ରାବଧାନ ରହିଛି।