ଭୁବନେଶ୍ୱର ୧୭।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ ସହ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଓଡ଼ିଆ ତାରକା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଲୋକସେବା ଭବନରେ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏସିଆନ୍ ଗେମ୍ସରେ ହକି ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେମାନଙ୍କର ଏହି ଗୌରବମୟ ସଫଳତା ସମଗ୍ର ରାଜ୍ୟ ତଥା ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଓଡ଼ିଶାର ଏହି କୃତି ଖେଳାଳିମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ତଥା ଆଗାମୀ ଅଲିମ୍ପିକ୍ସରେ ବିଜୟ ଅଭିଯାନ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଟିମ୍‌କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏସୀୟ କ୍ରୀଡ଼ା ୨୦୨୬ରେ ଦେଶ ପାଇଁ ସ୍ୱର୍ଣ୍ଣିମ ଇତିହାସ ରଚିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଉଭୟ ଦଳର ଏହି ଐତିହାସିକ ସଫଳତା ଏବଂ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ସମଗ୍ର ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିଛି । ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋଙ୍କ ଅସାଧାରଣ ପ୍ରଦର୍ଶନ ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିବା ସହ ଆଗାମୀ ପିଢ଼ିର ଯୁବ ପ୍ରତିଭାଙ୍କ ପାଇଁ ଅତୁଟ ପ୍ରେରଣା ସୃଷ୍ଟି କରିଛି ।

Also Read:- ନବୀନ ନିବାସରେ ହକି ତାରକା, ସ୍ୱର୍ଣ୍ଣ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

ଏହି ଉଲ୍ଲେଖନୀୟ ସଫଳତା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ସ୍ୱତନ୍ତ୍ର ପୁରସ୍କାର ରାଶି ଘୋଷଣା କରି ସମ୍ମାନିତ କଲି । ବିଜୟୀ ଦଳର ପ୍ରତ୍ୟେକ ଖେଳାଳି ଏବଂ ପ୍ରଶିକ୍ଷକଙ୍କ କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତିକୁ ଉଚିତ ସ୍ୱୀକୃତି ଦେବା ସହ କ୍ରୀଡ଼ାବିତ୍‌ଙ୍କ ମନୋବଳକୁ ଆହୁରି ସୁଦୃଢ଼ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଆମ ସରକାର ସର୍ବଦା କ୍ରୀଡ଼ାର ଉନ୍ନତି ଓ ଖେଳାଳିମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ପୂର୍ଣ୍ଣ ସମର୍ପଣର ସହ କାର୍ଯ୍ୟ କରିଚାଲିବ ।

Watch Video: