ନୂଆଦିଲ୍ଲୀ: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ବାରମ୍ବାର ନିରାଶ ହେଉଛନ୍ତି । ଓ୍ବେଷ୍ଟ ଇଣ୍ଡିଜ୍‌ ବିପକ୍ଷ ୪ଟି ମ୍ୟାଚ୍‌ରେ ତାଙ୍କୁ ବେଞ୍ଚରେ ବସିବାକୁ ପଡ଼ିଥିଲା । ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ମଧ୍ୟ ଚୂଡ଼ାନ୍ତ ଏକାଦଶରୁ ସେ ବାଦ୍‌ ପଡ଼ିଛନ୍ତି । ପୂର୍ବ ୪ଟି ମ୍ୟାଚ୍‌ରେ ସୁଯୋଗ ନମିଳିବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ୨ଟି ଶବ୍ଦ ବିଶିଷ୍ଟ ଏକ ପୋଷ୍ଟ କରିଥିଲେ । ନିର୍ଣ୍ଣାୟକ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳିବ ବୋଲି ସେ ଆଶାବାଦୀ ଥିଲେ । ସେ ପୋଷ୍ଟରେ ଲେଖିଥିଲେ,  ‘Still Believing’ । ଏହି ପୋଷ୍ଟରୁ ସ୍ପଷ୍ଟ ଜଣାପଡ଼ିଥିଲା ଯେ, ସେ ନିରାଶ ନହୋଇ ନିଜର ସୁଯୋଗ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି।

​​​​​​​

ଅନ୍ୟପଟେ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବୈଭବଙ୍କୁ ଦଳରେ ସ୍ଥାନ ନମିଳିବା ପଛର ସ୍ପଷ୍ଟ କାରଣ ଦର୍ଶାଇଛନ୍ତି। ଗମ୍ଭୀରଙ୍କ କହିବା ଅନୁଯାୟୀ, ସଞ୍ଜୁ ସାମସନ୍ କିମ୍ବା ଅଭିଷେକ ଶର୍ମାଙ୍କ ପରି ଖେଳାଳିଙ୍କୁ ଦଳରୁ ବାହାର କରିବା ଅନ୍ୟାୟ ହେବ। ସାମସନ୍‌ ବିଶ୍ୱକପ୍‌ରେ ନିଜର ଦକ୍ଷତା ପ୍ରମାଣିତ କରି ‘ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ହୋଇସାରିଛନ୍ତି। ତେଣୁ ଯେଉଁ ଖେଳାଳିମାନେ ଦୀର୍ଘ ଦିନ ଧରି ଦଳ ପାଇଁ ଭଲ ପ୍ରଦର୍ଶନ କରିଆସିଛନ୍ତି, ସେମାନେ ପ୍ରଥମ ପସନ୍ଦ ରହିବେ।

ଗମ୍ଭୀର ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବୈଭବଙ୍କ ସହ ଏନେଇ ସ୍ପଷ୍ଟ କଥାବାର୍ତ୍ତା ହୋଇସାରିଛି। ବୈଭବଙ୍କ ଭିତରେ କଣ ପ୍ରତିଭା ରହିଛି ସେ ବିଷୟରେ ଦଳ ପ୍ରବନ୍ଧକ ଭଲଭାବେ ଜାଣିଛନ୍ତି । କିନ୍ତୁ ନିଜ ସୁଯୋଗ ପାଇଁ ତାଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଯେତେବେଳେ ବି ତାଙ୍କୁ ସୁଯୋଗ ମିଳିବ, ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜକୁ ପ୍ରମାଣିତ କରିବାକୁ ସୁଯୋଗ ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ, ଯେତେବେଳେ ଗୌତମ ଗମ୍ଭୀରଙ୍କ ଅନୁପସ୍ଥିତିରେ ଭିଭିଏସ୍ ଲକ୍ଷ୍ମଣ କୋଚିଂ ଦାୟିତ୍ୱ ସମ୍ଭାଳିଛନ୍ତି ବୈଭବଙ୍କୁ ଅପେକ୍ଷାକୃତ ଅଧିକ ସୁଯୋଗ ମିଳିଛି । ତେଣୁ ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି।  କିନ୍ତୁ ଏଥି​‌ରେ ବିବାଦ ହେବାର କୌଣସି କାରଣ ନାହିଁ ବୋଲି ଗୌତମ ଗମ୍ଭୀର ବିଶ୍ବାସ କରୁଛନ୍ତି । ସେ ଯାହା ହେଉ, ବୈଭବ ସୂର୍ଯ୍ୟବଂଶୀଙ୍କୁ ହୁଏତ ଆହୁରି ଅପେକ୍ଷା କରିବାକୁ ପଡ଼ିବ ।