ନୂଆଦିଲ୍ଲୀ: ବହୁ ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ଅହଂକାରୀ ବୋଲି ସବୁବେଳେ ଚର୍ଚ୍ଚା ହୁଏ । କିନ୍ତୁ ଚର୍ଚ୍ଚାରେ ସତ୍ୟତା ରହିଛି ବୋଲି ଖୁଲାସା କରିଛନ୍ତି ଏବି ଡିଭିଲିୟର୍ସ । ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କ୍ରିକେଟ୍ କିମ୍ବଦନ୍ତୀ ଭିଲିୟର୍ସ ଏବଂ କୋହଲିଙ୍କ ମଧ୍ୟରେ ବନ୍ଧୁତା ଖୁବ ନିବିଡ଼ । ଦୁହିଁଙ୍କ ନିବିଡ଼ ବନ୍ଧୁତ୍ବ ସଂପର୍କରେ ସାରା ବିଶ୍ବ ଜାଣିଛି । ଆଇପିଏଲରେ ଆରସିବି ପାଇଁ ଉଭୟ ଖେଳିବା ପରେ ସେମାନଙ୍କ ସଂପର୍କ ଆହୁରି ଘନିଷ୍ଠ ହୋଇଥିଲା । ସେମାନଙ୍କର ଏହି ବନ୍ଧୁତା କେବଳ ପଡ଼ିଆରେ ସୀମିତ ନଥିଲା । ବ୍ୟକ୍ତିଗତ ଜୀବନରେ ମଧ୍ୟ ସେମାନେ ଖୁବ ନିକଟତର ।  

ବିରାଟଙ୍କ କ୍ରିକେଟ୍ କ୍ୟାରିୟର୍‌ ଏବଂ ବ୍ୟକ୍ତିତ୍ୱକୁ ଡିଭିଲିୟର୍ସ ସର୍ବଦା ପ୍ରଶଂସା କରିଆସିଛନ୍ତି । କିନ୍ତୁ ପ୍ରଥମ ସାକ୍ଷାତରେ ସେ ବିରାଟଙ୍କୁ ଅହଂକାରୀ ଏବଂ ଜିଦିଆ ସ୍ବଭାବର ମଣିଷ ଭାବୁଥିଲେ ବୋଲି ନିଜେ ସ୍ୱୀକାର କରିଛନ୍ତି। ପ୍ରଖର ଗୁପ୍ତାଙ୍କ ସହ ଏକ ପଡକାଷ୍ଟରେ ଡିଭିଲିୟର୍ସଙ୍କୁ ବିରାଟଙ୍କ ପ୍ରଥମ ସାକ୍ଷାତ ବିଷୟରେ ପଚରାଯାଇଥିଲା। ପ୍ରଶ୍ନର ଉତ୍ତର ଦେଇ ସେ ହସି ହସି କହିଛନ୍ତି ଯେ, ‘ହଁ, ମୁଁ ପ୍ରଥମେ ସେପରି ହିଁ ଭାବିଥିଲି ଏବଂ ମୋର ବିଶ୍ୱାସ ଯେ, ବିରାଟ ନିଜେ ମଧ୍ୟ ଏହି କଥାରେ ସହମତ ହେବେ।’

ଡିଭିଲିୟର୍ସ ସ୍ପଷ୍ଟ କରିଛନ୍ତି ଯେ, ବିରାଟ ଅହଂକାରୀ ହେବାର  ମୁଖ୍ୟ କାରଣ ଥିଲା ତାଙ୍କର ଅତ୍ୟଧିକ ଆତ୍ମବିଶ୍ୱାସ । । ୧୯, ୨୦ କିମ୍ବା ୨୧ ବର୍ଷ ବୟସରେ ବିରାଟ ଯେତେବେଳେ ଜଣେ ଯୁବ ଖେଳାଳି ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରୁଥିଲେ, ସେତେବେଳେ ତାଙ୍କ ଭିତରେ ନିଜ ଦକ୍ଷତାକୁ ନେଇ ପ୍ରଚଣ୍ଡ ବିଶ୍ୱାସ ରହିଥିଲା। କ୍ରିକେଟ୍ ପରି ଏକ ସଫଳ ଖେଳରେ ବଡ଼ ସଫଳତା ହାସଲ କରିବା ପାଇଁ ସେହିଭଳି ଦୃଢ଼ ଆତ୍ମବିଶ୍ୱାସ ଅତ୍ୟନ୍ତ ଜରୁରୀ । କିନ୍ତୁ ବେଳେବେଳେ ଲୋକମାନେ ଏହାକୁ ଭୁଲ୍ ବୁଝି ଅହଂକାର ବୋଲି ଭାବିନିଅନ୍ତି।

ବିରାଟଙ୍କ ବ୍ୟକ୍ତିତ୍ୱରେ କିଭଳି ପରିବର୍ତ୍ତନ ଆସିଥିଲା ସେ ବିଷୟରେ ମଧ୍ୟ ଡିଭିଲିୟର୍ସ କହିଛନ୍ତି। ସେ କହିଛନ୍ତି ଯେ, ବିରାଟ ବୟସ ବଢ଼ିବା ସହ ଯେତିକି ଅଭିଜ୍ଞ ହେଲେ ତାଙ୍କର ଅହଂକାର ଧୀରେ ଧୀରେ ମିଳେଇ ଗଲା । କ୍ୟାରିୟର୍‌ର ପ୍ରାରମ୍ଭିକ ଦିନଗୁଡ଼ିକରେ ନିଜକୁ ପ୍ରମାଣିତ କରିବାର ଯେଉଁ ଚାପ ଥିଲା, ତାହା ସମୟ ସହ କମିଗଲା। ଫଳରେ ସାଧାରଣ ଲୋକଙ୍କ ସାମ୍ନାରେ ଜବରଦସ୍ତ ଆତ୍ମବିଶ୍ୱାସ ଦେଖାଇବାର ଆବଶ୍ୟକତା ମଧ୍ୟ ଶେଷ ହୋଇଗଲା । ବିରାଟ ଜଣେ ନମ୍ର ଓ ପରିପକ୍ୱ ବ୍ୟକ୍ତିତ୍ୱରେ ପରିଣତ ହେଲେ ବୋଲି କହିଛନ୍ତି କିମ୍ବଦନ୍ତୀ କ୍ରିକେଟର ଏବି ଡିଭିଲିୟର୍ସ ।