ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ଵକପକୁ ଆଉ ଗୋଟିଏ ବର୍ଷ ବାକି ରହିଛି। ଏବେଠୁ ବଡ଼ ବଡ଼ ଟିମ୍ ନିଜର ପ୍ର୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଟିମ୍ ଇଣ୍ଡିଆ ମଧ୍ୟରେ ଏଥିରେ ପଛରେ ପଡ଼ିନି। ସଂପ୍ରତି ଦଳ ପାଖରେ ଯେତିକି ଦିନିକିଆ ମ୍ୟାଚ୍ ରହିଛି ସେଥିରେ ସମ୍ଭାବ୍ୟ ଏକାଦଶକୁ ପଡ଼ିଆକୁ ଓହ୍ଲାଇବାକୁ ଯୋଜନା କରିଛି ଟିମ୍ ଇଣ୍ଡିଆ। ଏହି ପରିପ୍ରେକ୍ଷୀରେ ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଗତକାଲି ଦଳ ଘୋଷଣା ହୋଇଛି। ହେଲେ ଏଥିରୁ ପ୍ରଥମ ତିନୋଟି ପାଇଁ ଏବଂ ଶେଷ ଦୁଇଟି ମ୍ୟାଚ୍ ପାଇଁ ଭିନ୍ନ ଭିନ୍ନ ଦଳ ଘୋଷଣା ହୋଇଛି। ହେଲେ ସବୁଠୁ ବଡ଼ କଥା ରବୀନ୍ଦ୍ର ଜାଡ଼େଜା ଏବଂ ଯଶସ୍ଵୀ ଜୟସ୍ଵାଲଙ୍କ ଦିନିକିଆ ବିଶ୍ଵକପ୍ ଖେଳିବାର ସମ୍ଭାବନା ନେଇ ପ୍ରଶ୍ନ ଉଠିଛି।

ପ୍ଲାନରୁ ବାହାରେ ଜାଡ଼େଜା !

ରବୀନ୍ଦ୍ର ଜାଡ଼େଜା ଏବଂ ଯଶସ୍ଵୀ ଜୟସ୍ଵାଲଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିନି । ସବୁଠୁ ଚକିତକର କଥା ହେଉଛି ପ୍ରଥମ ତିନୋଟି ଦିନିକିଆ ପାଇଁ ବି ଜାଡ଼େଜାଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ । ଏହି ଅନୁଭବୀ ଅଲରାଉଣ୍ଡର ବିଗତ କିଛି ମାସ ହେବ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି। ତାଙ୍କ ସ୍ଥାନରେ ବାମହାତୀ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି । ଅକ୍ଷର ପଟେଲ୍ ଶେଷ ଦିନିକିଆ ଜୁଲାଇ ମାସରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ଏବେ ତାଙ୍କ ପାଖରେ ଦିନିକିଆ ଦଳରେ ନିୟମିତ ରହିବା ପାଇଁ ଦାବିଦାର ଉପସ୍ଥାପନ କରିବାର ସୁଯୋଗ ରହିବ। ଏମିତିରେ ଆଗାମୀ ବିଶ୍ଵକପ୍ ପାଇଁ ଜାଡ଼େଜାଙ୍କ ଦାବିଦାର ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ । କିନ୍ତୁ ଚୟନକର୍ତ୍ତା ମଧ୍ୟ ଏହା କହି ନାହାନ୍ତି ଯେ, ବିଶ୍ଵକପ୍ ଯୋଜନାରୁ ଜାଡ଼େଜା ବାହାରେ ଅଛନ୍ତି । କାରଣ ଜାଡ଼େଜା ସର୍ବଦା ବଡ଼ ମଞ୍ଚରେ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରି ଆସିଛନ୍ତି। ତାଙ୍କୁ ଅଣଦେଖା କରିବା ଚୟନକର୍ତ୍ତାଙ୍କ ପକ୍ଷେ ସହଜ ହେବନି ।

Also Read: ନ୍ୟୁଜିଲାଣ୍ଡ ବିପକ୍ଷ ODI ଓ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଶ୍ରେୟସ ଆୟର ଅଧିନାୟକ !

ଯଶସ୍ଵୀଙ୍କୁ କାହିଁକି ମିଳିଲାନି ସୁଯୋଗ ?

ଯଶସ୍ଵୀ ଜୟସ୍ଵାଲ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷିତ ଦୁଇଟି ଦଳରୁ ବାହାରେ ଅଛନ୍ତି। ଏହି ଯୁବ ବ୍ୟାଟରଙ୍କୁ ଦିନିକିଆ ଦଳରେ କାହିଁକି ସାମିଲ୍ କରାଯାଇ ନାହିଁ ଏହି ପ୍ରଶ୍ନର ଉତ୍ତର ବି ଦେଇ ନାହାନ୍ତି ଚୟନକର୍ତ୍ତା। ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ଶୁଭମନ ଗିଲ୍ ପ୍ରଥମ ତିନୋଟି ମ୍ୟାଚ୍ ପରେ ବାକି ଦୁଇଟି ମ୍ୟାଚ୍ ଖେଳିବେ ନାହିଁ। ତେଣୁ ଅବଶିଷ୍ଟ ଦୁଇଟି ଦିନିକିଆରେ ରୋହିତ ଶର୍ମାଙ୍କ ସହିତ ଜୟସ୍ଵାଲ ଓପନିଂ କରିବାର ସୁଯୋଗ ଥିଲା। ତଥାପି ଜୟସ୍ଵାଲଙ୍କୁ ଚୟନ କରାଯାଇ ନାହିଁ।

ଓ୍ଵିକେଟ୍ କିପର ଧ୍ରୁବ ଜୁରେଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନି। ତାଙ୍କ ସ୍ଥାନରେ ଓ୍ଵିକେଟ୍ କିପର ବ୍ୟାଟର ଇଶାନ କିଶନଙ୍କୁ ସ୍ଥାନ ମିଳିଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ଜୁରେଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳି ନ ଥିଲା। ତେବେ ସବୁଠୁ ବଡ଼ ପ୍ରଶ୍ନ ଜୟସ୍ଵାଲଙ୍କୁ ନେଇ ହୋଇଛି। ଜୟସ୍ଵାଲ ଖେଳିଥିବା ନିଜର ଶେଷ ତିନୋଟି ଦିନିକିଆରୁ ଦୁଇଟି ଶତକ ମାରିଥିଲେ। ତେଣୁ ତାଙ୍କର ଚୟନ ନ ହେବା ଏହି ଯୁବ କ୍ରିକେଟର ପ୍ରତି ଅବିଚାର କରାଯାଉଛି ବୋଲି କ୍ରିକେଟ୍ ସମୀକ୍ଷକ ଏବଂ ଅନେକ ପୂର୍ବତନ କ୍ରିକେଟର ମତପୋଷଣ କରିଛନ୍ତି।

Also Read: କିଏ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ? ଓଝା ନା ଜାଫର; ରୋଚକ ହେଲା ଦୌଡ଼