ଉଦଳା ୦୫।୧୧ : ଇଡି ରେଡ୍ ବେଳେ ବଡ଼ ଟ୍ୱିଷ୍ଟ । ୧୨୨ କୋଟି ଠକେଇ ମାମଲାରେ ED ଛାନଭିନ୍ କରୁଥିବା ବେଳେ ଘରୁ ମିଳିଲା ହାତୀ ଦାନ୍ତ ଓ ହରିଣ ଶିଙ୍ଗ । ମୟୂରଭଞ୍ଜ କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗାଁର ଈଶ୍ୱର ବିନ୍ଧାଣୀଙ୍କୁ ଗିରଫ କରିଛି ବନବିଭାଗ ।

ଖବର ଅନୁଯାୟୀ, 'କଳ୍ପନା ଫାଇନାନ୍ସ ସର୍ଭିସେସ' ନାମକ ଏକ ସଂସ୍ଥା ମାଧ୍ୟମରେ ପ୍ରାୟ ୧୨୨ କୋଟି ଟଙ୍କାର ବ୍ୟାପକ ଠକେଇ ହୋଇଥିବା ଅଭିଯୋଗରେ ଇଡି ତଦନ୍ତ ଚଳାଇଥିଲା। ପ୍ରାୟ ୧୭ ଘଣ୍ଟା ଧରି ଘର ଭିତରେ କାଗଜପତ୍ର, ବ୍ୟାଙ୍କ ପାସବୁ ଏବଂ ଅଳଙ୍କାର ଯାଞ୍ଚ କରିବା ସମୟରେ ଏକ ନୂଆ ମୋଡ଼ ଆସିଥିଲା। ତଦନ୍ତରେ ବନ ବିଭାଗ ସାମିଲ ହୋଇଥିଲା। ଘର ଭିତରେ ଖୋଳତାଡ଼ କରୁଥିବା ବେଳେ ଈଶ୍ୱରଙ୍କ ନିକଟରୁ ବେଆଇନ ଭାବେ ଲୁଚାଇ ରଖାଯାଇଥିବା ହରିଣ ଶିଙ୍ଗ ଏବଂ ହାତୀ ଦାନ୍ତ ଜବତ କରାଯାଇଥିଲା। ଆର୍ଥିକ ଠକେଇ ମାମଲା ଚାଲିଥିବା ବେଳେ ବନ୍ୟଜନ୍ତୁଙ୍କ ଅବଶେଷ ରଖିଥିବା ଅପରାଧରେ ଫସି ଯାଇଛନ୍ତି ।

Also Read:-ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି : ଆଜି ସୁନା ପାଇଁ ଲଢିବେ ଭାରତ-ଜାପାନ

ବନ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଈଶ୍ୱର ବିନ୍ଧାଣୀଙ୍କୁ ଗିରଫ କରିବା ସହ ବନ୍ୟଜନ୍ତୁଙ୍କ ସାମଗ୍ରୀଗୁଡ଼ିକ ଜବତ କରିଛି। ଅନ୍ୟପଟେ ଇଡି ଜମିପଟ୍ଟା, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ବ୍ୟାଙ୍କ ପାସବୁ ଜବତ କରା ଯାଇଛି। ମିଳିତ ତଦନ୍ତରୁ ଠକେଇର ସମସ୍ତ କଳା ଚିଠା ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି।