ଛତ୍ରପତି ସମ୍ଭାଜୀନଗର: ନିକଟରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଆଇଫୋନ ପାଇଁ ଆତ୍ମହତ୍ୟା କରିଥିବା ୧୯ ବର୍ଷୀୟ କୁନାଲ ଚାନ୍ଦଗୁଡେଙ୍କ ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ମାମଲାରେ ପୁଲିସ ତଦନ୍ତ ଯେତିକି ଯେତିକି ଆଗକୁ ବଢ଼ୁଛି ସେତିକି ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଚାନ୍ଦଗୁଡ଼େଙ୍କ ଆତ୍ମହତ୍ୟା ପଛର କାରଣ କେବଳ ଯେ ଆଇଫୋନର ଜିଦ୍, ତାହା ନୁହେଁ, ବରଂ ଦୀର୍ଘଦିନ ପାରିବାରିକ କଳହ ଓ ମାନସିକ ଚାପ ବି ହୋଇପାରେ ପ୍ରମୁଖ କାରଣ। ପରିବାରରେ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଓ ସମ୍ପର୍କରେ ତିକ୍ତତା ମଧ୍ୟ କୁନାଲଙ୍କ ମାନସିକ ଅବସ୍ଥାକୁ ପ୍ରଭାବିତ କରିଥାଇପାରେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ଅଗଷ୍ଟ ୨୦ ତାରିଖ ଦିନ କୁନାଲ କୋହଡ଼ିଆ ଡୋଙ୍ଗାର ଏକ ପାହାଡ଼ ଉପରକୁ ଚଢ଼ି ଆତ୍ମହତ୍ୟାର ଧମକ ଦେଇଥିଲା। ତାଙ୍କ ବାପା ତାଙ୍କୁ ଧରି ପକାଇ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଉଭୟଙ୍କର ସନ୍ତୁଳନ ବିଗିଡ଼ିବାରୁ ଦୁଇଜଣ ୨୫୦ ଫିଟ ତଳକୁ ଖସି ପଡ଼ିଥିଲେ। ମା’ ସଂଗୀତା ବି ଖାଇକୁ ଖସିପଡ଼ି ପ୍ରାଣ ହରାଇଥିଲେ। ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ପ୍ରଥମେ ପ୍ରଥମେ ଯାହା ଖବର ଆସିଲା ସେଥିରେ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସରଙ୍କ ଠାରୁ ଆରମ୍ଭ କରି ରାଜନେତା କୁନାଲଙ୍କ ଜିଦ୍କୁ ଦାୟୀ କରିଥିଲେ। ହେଲେ ବର୍ତ୍ତମାନ ମାମଲା ଯେଉଁ ମୋଡ଼ ନେଉଛି ସେଥିରେ ଲାଗୁଛି ପାରିବାରିକ କଳି ହିଁ ୩ ଜୀବନ ନେଇଯାଇଛି।

ପୂର୍ବରୁ ବି କରିଥିଲେ ଆତ୍ମହତ୍ୟା ଉଦ୍ୟମ

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୁନାଲ ଗତବର୍ଷ ମଧ୍ୟ ସେହି ସ୍ଥାନରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେତେବେଳେ ପୁଲିସ ତାଙ୍କୁ ବୁଝାଇବାର ସମକ୍ଷ ହୋଇଥିଲା। କିନ୍ତୁ ଶୁକ୍ରବାର ଘଟଣାରେ ତାଙ୍କୁ ବଞ୍ଚାଇବା ସମ୍ଭବ ହେଲା ନାହିଁ। ପୁଲିସର କହିବା ଅନୁସାରେ, କୁନାଲ ଏକ ଆଇଫୋନ୍ କିଣିଥିଲେ। ହେଲେ ଫୋନର କିସ୍ତି ଦେବାରେ ସେ ସମସ୍ୟାରେ ପଡ଼ିଥିଲେ। ଏହାକୁ ନେଇ ବାପାଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ ପ୍ରାୟ ସକାଳ ୧୦ଟାରେ କୁନାଲ ଘରୁ ବାହାରି ଖାଇ ନିକଟକୁ ଚାଲିଆସିଥିଲେ।

Also Read- ଯୌତୁକ ନିର୍ଯାତନାରୁ ବର୍ତ୍ତିଲେନି ପ୍ରତିରକ୍ଷା ମନ୍ତ୍ରଣାଳୟର ସେକ୍ସନ ଅଫିସର ! ଆତ୍ମହତ୍ୟା କଲେ ଗର୍ଭବତୀ ନାଜିଆ

ସେଦିନ ସମସ୍ତଙ୍କ ଅନୁରୋଧ ସତ୍ତ୍ୱେ କୁନାଲ କିନ୍ତୁ ତାଙ୍କ ଜିଦରେ ଅଟଳ ଥିଲେ। ଭାଇରାଲ ଭିଡିଓରେ ସେ ମାଆଙ୍କୁ କହୁଛନ୍ତି “ମାଆ, କେହି ମୋ କଥା ଶୁଣୁନାହାନ୍ତି। ମୋର ବଞ୍ଚିବାକୁ ଆଉ ଇଚ୍ଛା ନାହିଁ। ମୋ ଜୀବନର କୌଣସି ସମାଧାନ ନାହିଁ, କିଛି ବି ଭଲ ହେବ ନାହିଁ।”

ଘଣ୍ଟା ଘଣ୍ଟା ଧରି ବୁଝାଇବା ପରେ ମଧ୍ୟ କୁନାଲ ନଶୁଣିବାରୁ ତାଙ୍କ ବାପା ମୁରଲୀଧର ପୁଅର ହାତ ଧରି ତାଙ୍କୁ ସୁରକ୍ଷିତ ସ୍ଥାନକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଉଭୟଙ୍କର ସନ୍ତୁଳନ ବିଗିଡ଼ିଯିବାରୁ ସେମାନେ ଖାଇ ଭିତରକୁ ଖସିପଡ଼ିଥିଲେ। ପୁଅ ଓ ସ୍ୱାମୀଙ୍କୁ ଆଖି ସାମ୍ନାରେ ହରାଇବାର ଦୁଃଖ ସଙ୍ଗୀତା ସହିପାରିନଥିଲେ। କିଛି ସମୟ ପରେ ସେ ମଧ୍ୟ ଖାଇକୁ ଡେଇଁ ଜୀବନ ହାରିଥିଲେ।

ସମସ୍ତେ ଭାବିଲେ ଆଇଫୋନ୍ ଜିଦ୍ ପାଇଁ ଏମିତି ହୋଇଛି। କିନ୍ତୁ ଘଟଣାର ଅସଲି କାରଣ ୬ ବର୍ଷର ତଳେ ଘଟିଥିବା ବଡ଼ପୁଅର ମୃତ୍ୟୁ ଘଟଣା ସହ ଯୋଡ଼ି ଦେଖାଯାଉଛି। ପୁଲିସ ସୂତ୍ର ଅନୁସାରେ ପ୍ରାୟ ୬ ବର୍ଷ ପୂର୍ବେ ଏକ ରୋଗରେ ପୀଡ଼ିତ ହୋଇ ଘରର ବଡ଼ ପୁଅର ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ପରିବାରରେ ଦୀର୍ଘଦିନ ଧରି ଅଶାନ୍ତି ଲାଗି ରହିଥିଲା। ଦମ୍ପତିଙ୍କ ମଧ୍ୟରେ ପରିବାରକୁ ନେଇ ମତଭେଦ ବଢ଼ିଥିବା କୁହାଯାଉଛି।

କୁନାଲଙ୍କ ବାପା ମୁରଲୀଧର ପେସାରେ ଡ୍ରାଇଭର ଥିଲେ। କାମରେ ଏତେ ବ୍ୟସ୍ତ ରହୁଥିଲେ ଯେ, ଅନେକ ସମୟରେ ସେ ମାସ ମାସ ଧରି ଘରକୁ ଫେରୁନଥିଲେ। ଘଟଣାର ଦୁଇ ଦିନ ପୂର୍ବରୁ ସେ ଘରକୁ ଫେରିଥିଲେ। ଏହାପରେ ପରିବାରରେ ପୁଣି ଝଗଡ଼ା ଆରମ୍ଭ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

Also Read- ବାଂଲାଦେଶରେ ଅବସରପ୍ରାପ୍ତ ହିନ୍ଦୁ ଶିକ୍ଷକଙ୍କ ପରିବାରକୁ ମାରିଦେଲେ ! ଛାତ ଉପରେ, ଖଟ ତଳେ ଓ ଶିଡି ଉପରେ ପଡିଥିଲା ମୃତଦେହ

ମାଆଙ୍କ ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ଥିଲା ପାରିବାରିକ ବିବାଦର ଇଙ୍ଗିତ

ସଙ୍ଗୀତା ଚାନ୍ଦଗୁଡେଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ମଧ୍ୟ ପରିବାରରେ ଥିବା ତିକ୍ତତାର ଇଙ୍ଗିତ ମିଳିଛି। ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୨୯ ହଜାରରୁ ଅଧିକ ସବ୍ସକ୍ରାଇବର ରହିଛନ୍ତି। ନିକଟରେ ୟୁଟ୍ୟୁବରେ ସେ ଏକ ଭିଡିଓ ଅପଲୋଡ କରିଥିଲେ। ଏଥିରେ ସେ ଜଣେ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଅଭିଯୋଗ କରି କହୁଛନ୍ତି “ ତୁମେ ସମ୍ପତ୍ତି ଉପରେ ମୋର ଓ ମୋ ପୁଅର ଅଧିକାର ଛଡ଼ାଇ ନେଇଛ। ଭାଇ ଓ ବାପାମାଙ୍କୁ ଏକାଠି ହେବାକୁ ଦେଉନ। ତୁମେ ମୋ ଖୁସୀର ପରିବାରକୁ ନଷ୍ଟ କରିଦେଇଛ।ମୋ ପରିବାରକୁ ବିଷ ଦେଇଛ। ମୋ ପୁଅକୁ ତୁମେ ତା’ ବାପାମା ଠାରୁ ଅଲଗା କରିଦେଇଛ। ଏହା ପାପ। ତୁମର ଆଗାମୀ ୭ ପିଢ଼ି ଭୋଗିବେ। ଏହା ମୋ ଅଭିଶାପ।”

ତେବେ ଏହି ଭିଡିଓରେ ପ୍ରକୃତରେ କାହାକୁ ଇଙ୍ଗିତ କରି କହୁଛନ୍ତି, ତାଙ୍କ ପରିବାରରେ କଣ ବିବାଦ ରହିଥିଲା ? ତାକୁ ନେଇ ପୁଲିସ ବର୍ତ୍ତମାନ ଖୋଳତାଡ଼ କରୁଛି। ଘଟଣାଟି କେବଳ ଏକ ଆଇଫୋନ୍ କିଣିବା ନେଇ ହୋଇଥିବା ବିବାଦର ପରିଣାମ ଥିଲା କି, ଏହା ପଛରେ ଦୀର୍ଘଦିନର ପାରିବାରିକ ଓ ମାନସିକ ଚାପ ମଧ୍ୟ ରହିଥିଲା ଏହା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।