ବେଙ୍ଗାଲୁରୁ: ପ୍ରକାଶ ରାଜ ଦେଶର ସବୁଠୁ ସ୍ପଷ୍ଚବାଦୀ ଅଭିନେତା ଭାବେ ବେଶ୍ ଜଣାଶୁଣା। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ତାଙ୍କର ‘ଜଷ୍ଟ ଆସ୍କିଂ’ ପୋଷ୍ଟଗୁଡିକ ପ୍ରାୟତଃ ଶିରୋନାମା ପାଲଟିଥାଏ। ବିଶେଷ କରି ଯେତେବେଳେ ସେ ସରକାରଙ୍କୁ ଟାର୍ଗେଟ୍ କରନ୍ତି ଅଥବା କୌଣସି ରାଜନୈତିକ ଓ ସାମାଜିକ ସଙ୍ଗଠନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାନ୍ତି। ନିକଟରେ ଅଭିନେତା ନିଟ୍-ୟୁଜି ପେପର ଲିକ୍ କୁ ନେଇ ଛାତ୍ରଙ୍କ ବିରୋଧ ପ୍ରଦର୍ଶନରେ ଯୋଗ ଦେଇଥିଲେ। ସେଠାରେ ସେ ଖୋଲାଖୋଲି ସରକାରଙ୍କୁ ସମାଲୋଚନା କରିଥିଲେ। ତେବେ ତାଙ୍କର ଏପରି ନିର୍ଭିକ ଆଭିମୁଖ୍ୟ ତାଙ୍କ ପରିବାର ପାଇଁ ଅସହଜ ହେଉଥିବା ପତ୍ନୀ ପୋନୀ ବର୍ମା ଗଣମାଧ୍ୟମକୁ ପ୍ରଥମ ଥର କହିଛନ୍ତି।

ପ୍ରକାଶ ରାଜ ଯେତେବେଳେ ସରକାର ବିରୋଧୀ ବୟାନବାଜୀ କରନ୍ତି ସେତେବେଳେ ପୋନୀ କେତେ ଅସୁରକ୍ଷା ଅନୁଭବ କରନ୍ତି ତାହା କହିଛନ୍ତି। ତାଙ୍କର ଏହି ଡର ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ପରେ ଆହୁରି ବଢି ଯାଇଥିବା ସେ କହିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତାରେ ପୋନୀ କହିଛନ୍ତି ଯେ ପ୍ରକାଶଙ୍କ ସ୍ପଷ୍ଟବାଦୀ ସ୍ୱଭାବ ଯୋଗୁ ସେ କିପରି ଭୟଭୀତ ଅଛନ୍ତି। ସେ କହିଛନ୍ତି ଯେ ପ୍ରଥମେ ଯେତେବେଳେ ସାମ୍ବାଦିକ ଗୌରୀ ଲଂକେଶଙ୍କ ହତ୍ୟା ଖବର ପାଇଲୁ ସେଥିରେ ପ୍ରକାଶ ଭାଙ୍ଗି ପଡିଥିବା ମୁଁ ଦେଖିଛି। ଲଂକେଶ ଗୌରୀ ମଧ୍ୟ ତାଙ୍କ ସ୍ପଷ୍ଟବାଦୀ ସ୍ୱଭାବ ଯୋଗୁ ହତ୍ୟାର ଶିକାର ହୋଇଥିଲେ। ତେବେ ଲଂକେଶ ଜଣେ ମହିଳା ହୋଇ ମଧ୍ୟ ଛିଡା ହୋଇ କଥା ହୋଇ ପାରୁଥିଲେ ଏଣୁ ମୁଁ ମଧ୍ୟ ଡରିକି ରହି ପାରିବିନି ବୋଲି ପ୍ରକାଶ କହନ୍ତି ବୋଲି ପୋନୀ କହିଛନ୍ତି।

ପୋନୀ କହିଛନ୍ତି ଯେ ଆମେ ସମସ୍ତେ ଜାଣେ ଯେ ପ୍ରକାଶ ଜଣେ ନିର୍ଭିକ ବ୍ୟକ୍ତି। ହେଲେ ଏଥି ପାଇଁ ତାଙ୍କୁ ତେଲଗୁ ସିନେମାରେ ଅନେକବାର ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିଛି। ହେଲେ ବି ପ୍ରକାଶ ନିଜ କଥାରେ ସର୍ବଦା ଅଟଳ ଅଛନ୍ତି। ତାଙ୍କ ସ୍ପଷ୍ଟବାଦୀ ସ୍ୱଭାବ ଚଳଚିତ୍ର ଉଦ୍ୟୋଗ ସହିତ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଛି। ତେବେ ସ୍ୱାମୀଙ୍କ ସାହାସ ପାଇଁ ପୋନୀ ତାଙ୍କୁ ସମର୍ଥନ ମଧ୍ୟ କରନ୍ତି। ପୋନୀ କହିଛନ୍ତି ଯେ ଲୋକେ କେବଳ ତାଙ୍କ ଅଭିନୟକୁ ପ୍ରଶଂସା କରିବାକୁ ନୁହେଁ ତାଙ୍କ ଅଟଳ ବାକ୍ୟ ପାଇଁ ମଧ୍ୟ ପ୍ରଶଂସା କରନ୍ତି।

ପୋନୀ ପ୍ରକାଶଙ୍କଠାରୁ ୧୨ ବର୍ଷ ସାନ, ତେବେ ଧର୍ମ ଓ ଆଧ୍ୟାତ୍ମିକତାର କଥା ଉଠିଲେ ପ୍ରକାଶ ଜଣେ ନାସ୍ତିକ ହୋଇଥିବା ବେଳେ ପୋନୀ ମନ୍ଦିର ଯାଇ ପୂଜାର୍ଚନା କରନ୍ତି। ତେବେ ପ୍ରକାଶ ଏଥି ପାଇଁ ତାଙ୍କୁ କେବେ ବାଧା ଦେଇ ନାହାନ୍ତି ବରଂ ତାଙ୍କର ଧାର୍ମିକ ଆସ୍ଥାକୁ ସମର୍ଥନ କରନ୍ତି। ଏଣୁ ମନ୍ଦିରରେ ପୋନୀ କିପରି ଭଲରେ ଦର୍ଶନ କରିପାରିବେ ଓ ପୂଜାର୍ଚନା କରିବେ ସେଥିରେ ସହାୟତା କରନ୍ତି। ପୋନୀ କହିଛନ୍ତି ଯେ ପ୍ରକାଶଙ୍କ ରାଜନୈତିକ ଚିନ୍ତାଧାରା ପାଇଁ ତାଙ୍କ ଉପରେ ପ୍ରାୟତଃ ଆଣ୍ଟି ନ୍ୟାସନାଲ ଓ ଆଣ୍ଟି ହିନ୍ଦୁ ଆରୋପ ଲାଗିଥାଏ। ହେଲେ ପ୍ରକାଶ କହନ୍ତି ଧର୍ମ ଏକ ବ୍ୟକ୍ତିଗତ ଚଏସ୍ ଏହାକୁ କାହା ଉପରେ ଥୋପା ଯାଇ ପାରିବନି।