ଢାକା: ବାଂଲାଦେଶରେ ଏକ ହିନ୍ଦୁ ପରିବାରକୁ ଅତି ନିର୍ମମ ଭାବେ ହତ୍ୟା କରିବା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ହିନ୍ଦୁ ପରିବାରକୁ ଏମିତି ହତ୍ୟା କରାଯାଇଛି ଯେ ଖବର ଶୁଣିଲା ମାତ୍ରେ ଲୋମ ଟାଙ୍କୁରି ଉଠିବ। ଏହି ପରିବାରଟି ଏକ ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାର ଥିଲା।

ବାଂଲାଦେଶ ଗଣମାଧ୍ୟମ ଡେଲି ଷ୍ଟାର ରିପୋର୍ଟ ଅନୁସାରେ, ରଙ୍ଗପୁର ଜିଲ୍ଲା ସ୍କୁଲର ଅବସର ପ୍ରାପ୍ତ ସ୍କୁଲ ଶିକ୍ଷକ ୬୫ ବର୍ଷୀୟ ଗଣପତି ଚକ୍ରବର୍ତ୍ତୀ, ପ୍ରୀତିଲତା ଚକ୍ରବର୍ତ୍ତୀ(୫୦) ଏବଂ ୨୩ ବର୍ଷୀୟ ଝିଅ ଆଗାମୀ ଚକ୍ରବର୍ତ୍ତୀ ପ୍ରାର୍ଥୀ ଓ ୧୨ ବର୍ଷର ପୁଅ ପ୍ରିୟମ ଚକ୍ରବର୍ତ୍ତୀ, ସମସ୍ତଙ୍କୁ ଗଳା ଚିପି ବା ସ୍ୱାସ ରୁଦ୍ଧ କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଶନିବାର ରାତି ପ୍ରାୟ ୧୧ଟା ବେଳେ ପୁଲିସ ଘରର ତାଲା ଭାଙ୍ଗି ସମସ୍ତ ମୃତେଦହ ଉଦ୍ଧାର କରିଛି।ରଙ୍ଗପୁର ମେଟ୍ରୋପଲିଟନ କୋତୱାଲି ଥାନାର ଅଧିକାରୀ-ଇନ୍-ଚାର୍ଜ ନାଜମୁଲ କାଦେରଙ୍କ କହିବାନୁସାରେ, ରାତି ପ୍ରାୟ ୧୧ଟା ୩୦ରେ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଥିଲା।

ରଙ୍ଗପୁର ମେଟ୍ରୋପଲିଟନ ସିଆଇଡି ଇନ୍-ଚାର୍ଜ ସୁବୀର ଚୌଧୁରୀଙ୍କ ସୂଚନା ଅନୁସାରେ, ପ୍ରୀତିଲତା ଓ ଆଗାମୀଙ୍କ ମୃତଦେହ ଘରର ସିଡ଼ି ନିକଟରୁ ମିଳିଥିଲା। ଗଣପତିଙ୍କ ମୃତଦେହ ଛାତ ଉପରୁ ଏବଂ ପ୍ରିୟମଙ୍କ ମୃତଦେହ ଏକ ଖଟ ତଳୁ ଉଦ୍ଧାର କରାଯାଇଥିଲା।

ଚୌଧୁରୀ କହିଛନ୍ତି, “ପ୍ରାଥମିକ ଭାବେ ସେମାନଙ୍କୁ ଶ୍ୱାସରୁଦ୍ଧ କରାଯାଇଥିବା ସନ୍ଦେହ କରାଯାଉଛି।” ଗୁରୁବାର ମଧ୍ୟରାତ୍ରିରୁ ଶୁକ୍ରବାର ଭୋର ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଘଟଣାର ତଦନ୍ତ ପାଇଁ ପୁଲିସ, ସିଆଇଡି ଓ ଡିଟେକ୍ଟିଭ ବ୍ରାଞ୍ଚର ଟିମ୍ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି।

ଫୋନ୍ ବନ୍ଦ ହେବା ପରେ ସମ୍ପର୍କୀୟଙ୍କ ସନ୍ଦେହ

ପରିବାରର ସମ୍ପର୍କୀୟଙ୍କ କହିବାନୁସାରେ, ଗୁରୁବାର ରାତିଠାରୁ ପରିବାରର ସମସ୍ତ ସଦସ୍ୟଙ୍କ ମୋବାଇଲ୍ ଫୋନ୍ ବନ୍ଦ ଥିଲା। ପ୍ରୀତିଲତାଙ୍କ ସାନ ଭଉଣୀ ପୂଜା ଚକ୍ରବର୍ତ୍ତୀ କହିଛନ୍ତି, ଗୁରୁବାର ଅପରାହ୍ଣରେ ସେ ଶେଷଥର ପାଇଁ ଭଉଣୀଙ୍କ ସହ କଥା ହୋଇଥିଲେ।

Also Read- ପୋଲିସକୁ ଭୟଙ୍କର ମାଡ; ଆଖିରେ ଲଙ୍କା ଗୁଣ୍ଡ ପକାଇଦେଲେ ଆନ୍ଦୋଳନକାରୀ

ଦୀର୍ଘ ସମୟ ଧରି ଫୋନ୍ରେ ଯୋଗାଯୋଗ ହୋଇନପାରିବାରୁ ଶନିବାର ରାତିରେ ସମ୍ପର୍କୀୟମାନେ ଘରକୁ ଯାଇଥିଲେ। ସେଠାରେ ଘରର ମୁଖ୍ୟ ଫାଟକରେ ତାଲା ପଡ଼ିଥିବା ସହ ଘର ଭିତରର ସମସ୍ତ ଆଲୋକ ବନ୍ଦ ଥିବା ଦେଖିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା।

ନିକଟରେ ନିର୍ମାଣ କରିଥିଲେ ନୂଆ ଘର

ଗଣପତି ଚକ୍ରବର୍ତ୍ତୀ ଗତବର୍ଷ ଡିସେମ୍ବର ୩୧ରେ ରଙ୍ଗପୁର ଜିଲ୍ଲା ସ୍କୁଲରୁ ଅବସର ନେଇଥିଲେ। ଅବସର ପରେ ସେ ହୋମିଓପାଥି ଚିକିତ୍ସା କରୁଥିଲେ। ତାଙ୍କ ଝିଅ ଆଗାମୀ ଚଳିତ ବର୍ଷ ରଙ୍ଗପୁର କାରମାଇକେଲ କଲେଜରୁ ଇଂରାଜୀରେ ମାଷ୍ଟର୍ସ ଡିଗ୍ରୀ ଶେଷ କରିଥିଲେ। ପୁଅ ପ୍ରିୟମ ରଙ୍ଗପୁର ଜିଲ୍ଲା ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ।

ଗଣପତିଙ୍କ ଭାଣିଜୀ ସୋମା ଚକ୍ରବର୍ତ୍ତୀଙ୍କ କହିବାନୁସାରେ, ତାଙ୍କର କୌଣସି ଜଣାଶୁଣା ଶତ୍ରୁ ନଥିଲେ। ପରିବାରଟି ପ୍ରାୟ ଚାରି ବର୍ଷ ଧରି ଏହି ଅଞ୍ଚଳରେ ରହୁଥିଲେ। ଗଣପତି ତିନି ମହଲାର ଘରଟି ନିର୍ମାଣ କରିଥିଲେ, ଯଦିଓ ନିର୍ମାଣ କାମ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିଲା। ପରିବାରର କାହା ସହ କୌଣସି ବିବାଦ ଥିବା ବିଷୟରେ ସେ ଜାଣିନଥିବା ପ୍ରୀତିଲତାଙ୍କ ଭଉଣୀ ପୂଜା କହିଛନ୍ତି।

ତଦନ୍ତକୁ ସର୍ବାଧିକ ଗୁରୁତ୍ୱ

ରଙ୍ଗପୁର ମେଟ୍ରୋପଲିଟନ ପୁଲିସ କମିଶନର ମହମ୍ମଦ ଅବଦୁଲ ମାବୁଦ କହିଛନ୍ତି, ଘଟଣାର ତଦନ୍ତକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ଏହା ସହ ଡିଟେକ୍ଟିଭ ବ୍ରାଞ୍ଚର ଅଧିକାରୀମାନେ ଘଟଣାର ପଛରେ କ'ଣ ଘଟିଥିଲା ଏବଂ ହତ୍ୟାକାଣ୍ଡ ପାଇଁ କିଏ ଦାୟୀ, ତାହା ଜାଣିବାକୁ ତଦନ୍ତ ଚଳାଇଛନ୍ତି।