ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ବୁଧବାର ଅପରାହ୍ଣରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ମୀର ବଜାର ନିକଟସ୍ଥ ଆଖରାନ ଅଞ୍ଚଳରେ ଥିବା ସିଆରପିଫ୍ ଚେକ୍ ପୋଷ୍ଟକୁ ଟାର୍ଗେଟ୍ କରାଯାଇଛି । ଏହି ଆତଙ୍କବାଦୀ ଆକ୍ରମଣରେ ତିନିଜଣ ଯବାନ ଆହତ ହୋଇଛନ୍ତି ।

ଘଟଣାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ଏଥିରେ ଗୁଳିମାଡ଼ର ଭୟାବହତା ସ୍ପଷ୍ଟ ବାରି ହେଉଛି । ରିପୋର୍ଟ ଅନୁସାରେ, ଫାୟାରିଂର ପ୍ରଥମ ୧୫ ସେକେଣ୍ଡ ମଧ୍ୟରେ ପ୍ରାୟ ୩୦ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ଏହାପରେ ପରବର୍ତ୍ତୀ ଏକ ମିନିଟ୍ ମଧ୍ୟରେ ଆହୁରି ପ୍ରାୟ ୧୨ ରାଉଣ୍ଡ ଗୁଳି ଫୁଟିଥିବା ଜଣାପଡ଼ିଛି ।

ସିସିଟିଭି ଫୁଟେଜରେ ଦୋକାନଗୁଡ଼ିକ ସାମ୍ନାରେ ଜଣେ ସିଆରପିଏଫ୍ ଯବାନ ବସିଥିବା ନଜର ଆସୁଛନ୍ତି । ଏହି ସମୟରେ ହଠାତ୍ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳୁଛି । ଏହାପରେ ଜଣେ ଯବାନ ଦୌଡ଼ି ଯାଉଥିବା ଦେଖିବାକୁ ମିଳୁଛି । କିଛି ସମୟ ପରେ ଦୁଇଜଣ ଯବାନ ହାତରେ ଅସ୍ତ୍ର ଧରି ଗୁଳି ଆସୁଥିବା ଦିଗକୁ ଫେରୁଥିବା ନଜର ଆସୁଛନ୍ତି । ପ୍ରାୟ ଦୁଇ ମିନିଟର ଏହି ଭିଡିଓରେ ଲୋକଙ୍କ ଚିତ୍କାର ମଧ୍ୟ ଶୁଣିବାକୁ ମିଳୁଛି ।

 

ସିଆରପିଏଫ୍ ପକ୍ଷରୁ ଜାରି ବିବୃତି ଅନୁସାରେ, ବୁଧବାର ଅପରାହ୍ଣ ପ୍ରାୟ ୨ଟା ୧୫ ମିନିଟରେ ଏହି ଘଟଣା ଘଟିଥିଲା । ଆକ୍ରମଣକାରୀ ସିଆରପିଏଫ ଯବାନଙ୍କ ଉପରେ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଅନନ୍ତନାଗ ଜିଲ୍ଲାର ଏକ ହସ୍ପିଟାଲକୁ ନିଆଯାଇଥିଲା । ଘଟଣା ପରେ ସମଗ୍ର ଅଞ୍ଚଳକୁ ସୁରକ୍ଷାବଳ ଘେରାଉ କରିଛନ୍ତି । ଫେରାର ଆତଙ୍କୀଙ୍କୁ ଧରିବା ପାଇଁ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ ହୋଇଛି ।

ଏହି ଆକ୍ରମଣରେ ଆହତ ତିନିଜଣ ସିଆରପିଏଫ୍ ଯବାନଙ୍କ ପରିଚୟ ରାକେଶ ଦାସ, ସନ୍ତୋଷ ଚନ୍ଦ୍ରୁ ଏବଂ ସୋମବୀର ସିଂହ ବୋଲି ଜଣାପଡ଼ିଛି । ରାକେଶ ଦାସଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି । ସନ୍ତୋଷ ଚନ୍ଦ୍ରୁଙ୍କ ପେଟ ଓ ମେରୁଦଣ୍ଡରେ ଆଘାତ ଲାଗିଛି । ସୋମବୀର ସିଂହଙ୍କ ବାମ ହାତରେ ଆଘାତ ଲାଗିଛି । ରିପୋର୍ଟ ଅନୁସାରେ, ତିନିଜଣ ଯବାନଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଇଛି ।