କୋରାପୁଟ: କୋଟିଆରେ ପୁଣି ଜୋର୍ ଧରିଛି ଆନ୍ଧ୍ର-ଓଡ଼ିଶା ଟଣାଓଟରା । ଓଡ଼ିଶା ସରକାର ଯୋଗାଇଥିବା ପକ୍କା ଘରେ ଆନ୍ଧ୍ର ପକ୍ଷରୁ ସୋଲାର ଲଗାଯାଉଛି । ଘର ପିଛା ୨ କିଲୋୱାଟ୍ କ୍ଷମତାର ପ୍ରକଳ୍ପ ସ୍ଥାପନ କରାଯାଇଛି । ମାଗଣା ବିଦ୍ୟୁତ୍ ସୁବିଧା ସୀମାନ୍ତବାସୀଙ୍କୁ ଆକୃଷ୍ଟ କରୁଛି । ନିର୍ବାଚନ ପୂର୍ବରୁ ଏହା ପଛରେ ଆନ୍ଧ୍ରର ରଣନୀତି ଥିବା ଅଭିଯୋଗ ହୋଇଛି । ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ଏହାକୁ ନେଇ ପ୍ରଶ୍ନ ଉଠାଇବା ପରେ କୋଟିଆରେ ୨ ରାଜ୍ୟର ବିକାଶ ପ୍ରତିଯୋଗିତା ପୁଣି ଚର୍ଚ୍ଚାକୁ ଆସିଛି ।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଳକ୍ କୋଟିଆ ପଞ୍ଚାୟତର ସୀମାନ୍ତ ଗାଁ ହରମାଣ୍ଡିଙ୍ଗୀରେ ପ୍ରାୟ ୭୦ଟି ପରିବାର ରହୁଛନ୍ତି । ଓଡ଼ିଶା ସରକାର ଏଠାରେ ପରିବାରଗୁଡ଼ିକୁ ପକ୍କା ଘର ଯୋଗାଇ ଦେଇଛନ୍ତି । ବର୍ତ୍ତମାନ ସେହି ଘରଗୁଡ଼ିକରେ ଆନ୍ଧ୍ର ପକ୍ଷରୁ ସୋଲାର ପ୍ରକଳ୍ପ ଲଗାଯାଉଛି । ଗ୍ରାମବାସୀ କହିଛନ୍ତି, ଆଧାରକାର୍ଡ ଆଧାରରେ ପ୍ରାୟ ଦେଢ଼ଲକ୍ଷ ଟଙ୍କାର ସୋଲାର ବ୍ୟବସ୍ଥା ସେମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । କୋଟିଆ ପଞ୍ଚାୟତର ଅନ୍ୟ ଗାଁଗୁଡ଼ିକରେ ମଧ୍ୟ ଏଭଳି ପ୍ରକଳ୍ପ ଲଗାଯଉଛି । କେବଳ ସୋଲାର ପ୍ରକଳ୍ପ ନୁହଁ, ଆନ୍ଧ୍ରର ଅଧିକାରୀମାନେ ଗାଁକୁ ଗାଁ ବୁଲି ଲୋକଙ୍କ ସମସ୍ୟା ଶୁଣିବା ସହ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ଅନ୍ୟପଟେ ଓଡ଼ିଶା ପକ୍ଷରୁ ଆବାସ, ରାସ୍ତା ଓ ପାନୀୟ ଜଳ ଭଳି ସୁବିଧା ଯୋଗାଇ ଦିଆଯାଉଛି। । ଏହି ପରିସ୍ଥିତିରେ ୨ ରାଜ୍ୟ ନିଜ ନିଜ ଯୋଜନା ମାଧ୍ୟମରେ ସୀମାନ୍ତ ଅଞ୍ଚଳରେ ପ୍ରଭାବ ବଢ଼ାଇବାକୁ ଉଦ୍ୟମ କରୁଛନ୍ତି ।

ହରମାଣ୍ଡିଙ୍ଗୀର କାମିୟା ହିମେରିକା କହିଛନ୍ତି, ଆନ୍ଧ୍ର ପକ୍ଷରୁ ମାଗଣା ବିଦ୍ୟୁତ୍ ଓ ସୋଲାର ସୁବିଧା ମିଳୁଛି । ଓଡ଼ିଶାରୁ ମଧ୍ୟ ସେମାନେ ବିଭିନ୍ନ ସୁବିଧା ପାଉଛନ୍ତି । ସେମାନଙ୍କ ପାଇଁ ଉଭୟ ସରକାର ସମାନ । ଏହି ମନ୍ତବ୍ୟରୁ ସ୍ପଷ୍ଟ ହେଉଛି, ସୀମାନ୍ତବାସୀଙ୍କ ପାଇଁ ମୌଳିକ ସୁବିଧା ଓ ସମସ୍ୟାର ସମାଧାନ ହିଁ ଗୁରୁତ୍ୱପୂର୍ଣ୍ଣ । ତେବେ ଆନ୍ଧ୍ରର ଏଭଳି ପଦକ୍ଷେପକୁ ନେଇ ରାଜନୈତିକ ବିବାଦ ମଧ୍ୟ ଦେଖାଦେଇଛି । ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ଅଭିଯୁଗ କରିଛନ୍ତି, ନିର୍ବାଚନ ପୂର୍ବରୁ କୋଟିଆବାସୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଆନ୍ଧ୍ର ଯୋଜନାବଦ୍ଧ ଭାବେ ଏଭଳି ପଦକ୍ଷେପ ନେଉଛି । କୋଟିଆ ବିବାଦର ସ୍ଥାୟୀ ସମାଧାନ ସହ ସୀମାନ୍ତ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାର ଠୋସ୍ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ, କୋଟିଆ ଉପରେ ଜିଲ୍ଲା ପ୍ରଶାସନର ନଜର ରହିଥିବା ଏବଂ ଆନ୍ଧ୍ରର ପଦକ୍ଷେପ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା କୁହାଯାଇଛି । ଆବଶ୍ୟକ ସ୍ଥଳେ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସୀମାନ୍ତବାସୀଙ୍କ ଆସ୍ଥା ଜିତିବାକୁ କେବଳ ଯୋଜନା ଘୋଷଣା ନୁହଁ, ନିରନ୍ତର ମୌଳିକ ସୁବିଧା ଯୋଗାଣ ଓ ସ୍ଥାନୀୟ ସମସ୍ୟାର ସ୍ଥାୟୀ ସମାଧାନ ହିଁ ଉଭୟ ରାଜ୍ୟ ପାଇଁ ବଡ଼ ଆହ୍ଵାନ ବୋଲି ବୁଦ୍ଧିଜୀବୀ କହିଛନ୍ତି ।