କୋରାପୁଟ: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ କୋଟିଆ ଅଞ୍ଚଳରେ ଦୀର୍ଘ ଦିନରୁ ଲାଗି ରହିଥିବା ସୀମା ବିବାଦ ପୁଣି ଥରେ ମୁଣ୍ଡ ଟେକିଛି। କୋଟିଆ ପଞ୍ଚାୟତକୁ ଆନ୍ଧ୍ର ପ୍ରଶାସନ ନିଜର ବୋଲି ଦାବି କରି ପଞ୍ଚାୟତ ନିର୍ବାଚନ (ଏମ୍ପିଟିସି ଓ ଜେଡ୍ପିଟିସି) ପାଇଁ ପ୍ରକ୍ରିୟା ଜୋରଦାର କରିଛି। ଏପରିକି ଆନ୍ଧ୍ରପ୍ରଦେଶ ପକ୍ଷରୁ ନଭେମ୍ବର ୩ ତାରିଖରେ ମତଦାନ କରାଇବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୋଟିଆ ଅଞ୍ଚଳରୁ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେପଟେ ଓଡିଶା ଏହାର ତୀବ୍ର ବିରୋଧ କରିଛି।

ରିପୋର୍ଟ ଅନୁସାରେ, ଗଞ୍ଜେଇପଦରରୁ ୱାଇଏସ୍ଆର୍ କଂଗ୍ରେସର ମାଝୀ କାନପୁରି ଏବଂ ଟିଡିପିର ତାଡ଼ିଙ୍ଗି ଚିରଞ୍ଜିବୀ ନାମାଙ୍କନ ଭରିଥିବା ବେଳେ ଫଗୁଣସିନେରୀରୁ ଟିଡିପି ପ୍ରାର୍ଥୀ ରେଣ୍ଡୋ ହାରେକା ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Also Read: କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଜବାବ, କହିଲେ- ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଚାହୁଁନାହିଁ

କୋଟିଆରେ ଓଡ଼ିଶା ପ୍ରଶାସନ ଓ ରାଜନୈତିକ ଦଳଙ୍କ ତତ୍ପରତା

ଆନ୍ଧ୍ରର ଏହି ବେଆଇନ ନିର୍ବାଚନ ପ୍ରକ୍ରିୟାକୁ ରୋକିବା ପାଇଁ ଓଡ଼ିଶା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇପଡ଼ିଛି। ଉପଜିଲ୍ଲାପାଳ କୁମାରୀ ହାବି ରସିଦ ନିଜେ କୋଟିଆରେ ରାତ୍ରିଯାପନ କରିବା ସହ ଗାଁ ଗାଁ ବୁଲି ସ୍ଥାନୀୟ ଲୋକଙ୍କ ସହ ଚାଲିଥିବା ସ୍ଥିତି ବାବଦରେ ଆଲୋଚନା କରିଛନ୍ତି।

ଅନ୍ୟପଟେ, ଓଡ଼ିଶାର ରାଜନୈତିକ ଦଳଗୁଡ଼ିକ ମଧ୍ୟ ଆନ୍ଧ୍ରର ନିର୍ବାଚନି ପ୍ରକ୍ରିୟାକୁ କଡ଼ା ବିରୋଧ କରିଛନ୍ତି। ବିଜେଡିର ଏକ ୧୬ ଜଣିଆ ଟିମ୍ କୋଟିଆ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ସେହିପରି ବିଜେପି ନେତା ଓ କର୍ମୀମାନେ ଅଞ୍ଚଳ ଭ୍ରମଣ କରି ଗ୍ରାମବାସୀଙ୍କୁ ଆନ୍ଧ୍ର ନିର୍ବାଚନରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି। ଏହି ପ୍ରଚାର ସମୟରେ ବିଜେପି କର୍ମୀଙ୍କ ସହ ଆନ୍ଧ୍ର ପୋଲିସର ତୀବ୍ର ବଚସା ହୋଇଥିବା ଦେଖିବାକୁ ମିଳିଛି।

Also Read: କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ, କଂଗ୍ରେସ-ବିଜେଡିର ଟାର୍ଗେଟ୍

ସୀମାରେ ସୁରକ୍ଷା କଡ଼ାକଡ଼ି

ଓଡ଼ିଶା ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ପରେ ଆନ୍ଧ୍ର ପ୍ରଶାସନ ଉପର ସେମ୍ବି ଗ୍ରାମରେ ନିଜର ପୋଲିସ ମୁତୟନ କରିଛି। ସେଠାରେ ଅସ୍ଥାୟୀ ଚେକ୍ଗେଟ୍ ସ୍ଥାପନ କରି ଯାତାୟାତ କରୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି। କେବଳ ଏତିକି ନୁହେଁ, ରାସ୍ତାକଡ଼ରେ ସିସିଟିଭି କ୍ୟାମେରା ଲଗାଇ ଗତିବିଧି ଉପରେ ନଜର ରଖାଯାଉଛି।

ଆନ୍ଧ୍ରର ଏପରି ପଦକ୍ଷେପକୁ ଜବାବ ଦେଇ ଓଡ଼ିଶା ପୋଲିସ ମଧ୍ୟ କୋଟିଆ ଥାନା ସମ୍ମୁଖରେ କଡ଼ା ଚେକଗେଟ୍ ସ୍ଥାପନ କରିଛି। ଏହାସହ ଫାଟୁସିନେରୀ ଏବଂ ନେରେଇୱାଳସା ଅଞ୍ଚଳରେ ପୋଲିସ ବାହିନୀ ମୁତୟନ କରାଯାଇ ଯାନବାହନ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଉଭୟ ରାଜ୍ୟର ପୋଲିସ ଓ ପ୍ରଶାସନ ସୀମାରେ ମୁହାଁମୁହିଁ ସ୍ଥିତିରେ ଥିବାରୁ କୋଟିଆରେ ଏବେ ଅସ୍ବାଭାବିକ ଉତ୍ତେଜନା ପ୍ରକାଶ ପାଇଛି ଏବଂ ସମଗ୍ର ସ୍ଥିତି ଉପରେ ରାଜ୍ୟବାସୀଙ୍କ ନଜର ରହିଛି।