ନୂଆଦିଲ୍ଲୀ: ଦିନେ ହୀରା ବିଶ୍ୱର ସବୁଠାରୁ ମୂଲ୍ୟବାନ ଧାତୁ ଭାବେ ପରିଚିୟ ହାସଲ କରିଥିଲା। ସିନେମା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ହୀରାକୁ ଖୁବ୍ ବଢ଼େଇ ଚଢ଼େଇ ଦେଖାଯାଉଥିଲା। ତେଣୁ ଏହି ଧାତୁ ଲୋକଙ୍କର ଆଦର ବି ଖୁବ୍ ରହିଥିଲା। ହେଲେ ସମୟ ଆସିଲା, ହୀରା ଆଉ କେବଳ ପ୍ରାକୃତିକ ଧାତୁରେ ସୀମିତ ହୋଇ ରହିଲା ନାହିଁ। ଟେକ୍ନୋଲୋଜୀ ସାହାଯ୍ୟରେ ମଣିଷ ହୀରାକୁ ଲ୍ୟାବରେ ତିଆରି କଲା।

ଲ୍ୟାବ୍‌ରେ ତିଆରି ହେବା ପରେ ହୀରା ପ୍ରଡକ୍ସନ ମଣିଷର ନିୟନ୍ତ୍ରଣକୁ ଚାଲି ଆସିଲା। ଫଳରେ ବଜାରରେ ହୀରା ମୂଲ୍ୟ କମି କମି ଗଲା। ଭବିଷ୍ୟତରେ ସୁନାର ବି ପରିସ୍ଥିତି ହୀରା ଭଳି ହେବାକୁ ଯାଉଛି। କାରଣ ସୁନାର ପ୍ରଡକ୍ସନ ଏବେ ଆରମ୍ଭ ହୋଇଯାଇଛି। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଦାବି କରିଛି ଆମେରିକାର ସାନ ଫ୍ରାନ୍ସିକୋର ଷ୍ଟାର୍ଟ ଅପ୍ ମାରାଥନ ଫ୍ୟୁଜନ।

କମ୍ପାନୀ କହିଛି ଯେ ସେମାନେ ପାରଦକୁ ସୁନାରେ ପରିଣତ କରିଛନ୍ତି। ତେବେ କେତେ ପରିମାଣରେ ସୁନା ତିଆରି କରାଯାଇଛି ସେ ନେଇ କମ୍ପାନୀ କୌଣସି ଖୁଲାସା କରି ନାହିଁ। ତେବେ ସୁନା ତିଆରି କରିବା କୌଣସି ନୂଆ କଥା ନୁହେଁ। 'ଦ ଆଣ୍ଟଲାଟିକ'ର ଏକ ରିପୋର୍ଟ ଅନୁସାରେ  ପୂର୍ବରୁ ମଧ୍ୟ ସୁନା ତିଆରି କରିବାକୁ ଅନେକ ଥର ଚେଷ୍ଟା କରାଯାଇଛି।

ପାରଦକୁ ସୁନା ତିଆରି ନେଇ କମ୍ପାନୀର ଦାବି

ମାରାଥନ ଫ୍ୟୁଜନ କମ୍ପାନୀ କହିଛି ଯେ ସେମାନେ ପାରଦକୁ ସୁନାରେ ପରିଣତ କରିଛନ୍ତି। ତାଙ୍କର ଏହି ଉପଲବ୍ଧି CERNର ରେକର୍ଡ ଠାରୁ ୧୦ ଗୁଣା ଉନ୍ନତ। ପ୍ରକୃତରେ CERN ହେଉଛି ବିଶ୍ୱର ସବୁଠାରୁ ବଡ଼ ପ୍ରୟୋଗଶାଳା। ଯେଉଁଠି ବ୍ରହ୍ମାଣ୍ଡର ମୂଳକାରଣ ଓ ନିୟମଗୁଡ଼ିକ ଉପରେ ରିସର୍ଚ୍ଚ କରାଯାଇଥାଏ। CERN ମଧ୍ୟ ଏହାର ଲାର୍ଜ ହାଡ୍ରନ୍ କୋଲାଇଡରରେ ସୀସା କଣିକାର ଧକ୍କା କରି ଅଜାଣତରେ ସୁନା ଉତ୍ପାଦନ କରିଥିଲା। କିନ୍ତୁ ଏହାର ପରିମାଣ ବହୁତ କମ୍ ଥିଲା।

ଏବେ ମାରାଥାନ ଫ୍ୟୁଜନ ସୁନା ତିଆରି କରିବାରେ ଲାଗିପଡ଼ିଛି। ଯଦିଓ କମ୍ପାନୀର ମୂଳ ବ୍ୟବସାୟ ଏହା ନୁହେଁ, ତେବେ ସାଇଡ ବ୍ୟବସାୟ ଭାବରେ କମ୍ପାନୀ ଏହା କରିବାକୁ ଚାହୁଁଛି। ନ୍ୟୁକ୍ଲିୟର ଫ୍ୟୁଜନ ମାଧ୍ୟମରେ ସୁନା ତିଆରି କରାଯିବ। ଏହି ନ୍ୟୁକ୍ଲିୟର ଫ୍ୟୁଜନ ଶକ୍ତିର ଏକ ସ୍ୱଚ୍ଛ ଓ ଅସୀମିତ ଉତ୍ସ। ଯାହା ଭବିଷ୍ୟତରେ କୋଇଲା ଓ ପେଟ୍ରୋଲର ଜାଗା ନେଇପାରେ। କିନ୍ତୁ ଏହି ଟେକ୍ନୋଲୋଜୀ ଖୁବ୍ ଅଧିକ ମହଙ୍ଗା। କମ୍ପାନୀର ସହ-ସଂସ୍ଥାପକ ଏଡମ ଋତକୋଭସ୍କିଙ୍କ କହିବା ଅନୁସାରେ, ଫ୍ୟୁଜନ ସମୟରେ ପ୍ରସ୍ତୁତ ହେଉଥିବା ସୁନାରୁ ଯେଉଁ କୋଟି କୋଟି ଡଲାର ମିଳିବ ସେଥିରେ ଫ୍ୟୁଜନ ଶକ୍ତି ଉତ୍ପାଦନରେ ହେଉଥିବା ମୋଟା ଖର୍ଚ୍ଚର ଭରଣା କରାଯାଇପାରିବ। ତେଣୁ କମ୍ପାନୀ ଏ ଦିଗରେ କାମ ଜାରି ରଖିଛି।

Also Read- ହଠାତ କମିଗଲା ସୁନା ରେଟ୍ ! ଏବେ ୫୦୦୦ ଟଙ୍କା ଶସ୍ତା, ରୁପା ଦାମ୍ ବି ଖସିଲା

ବୈଜ୍ଞାନିକଙ୍କ କହିବା ଅନୁସାରେ ପ୍ରତ୍ୟୋକ ଧାତୁର ଗୋଟିଏ ସ୍ୱତନ୍ତ୍ର ମୂଲ୍ୟ ରହିଥାଏ। ଯାହା ଧାତୁର କେନ୍ଦ୍ରରେ ଥିବା ପ୍ରୋଟନ ସଂଖ୍ୟାରୁ ନିର୍ଦ୍ଧାରିତ ହୁଏ। ପାରଦ କେନ୍ଦ୍ରରେ ୮୦ ଟି ପ୍ରୋଟନ ରହିଥାଏ। ସେହିପରି ସୁନା କେନ୍ଦ୍ରରେ ରହିଥାଏ ୭୯ଟି ପ୍ରୋଟନ। ତେଣୁ ଯଦି ପାରଦରୁ ଗୋଟିଏ ପ୍ରୋଟନ କମ କରିଦିଆଯାଏ, ତେବେ ଏହା ଆପେ ଆପେ ସୁନା ହୋଇଯିବ।

ପାରଦରୁ କେମିତି ତିଆରି ହୁଏ ସୁନା ?

ଷ୍ଟେପ୍ ୧- ଫ୍ୟୁଜନ ପ୍ରତିକ୍ରିୟା ସମୟରେ କମ୍ପାନୀ ପାରଦ ଉପରେ ଅତି ଦ୍ରୁତ ଗତିରେ ନ୍ୟୁଟ୍ରନ ମାଡ଼ କରିଥାଏ। ଫଳରେ ନ୍ୟୁଟ୍ରନ୍ ପାରଦର ପରମାଣୁ ସହିତ ଖୁବ୍ ଜୋରରେ ଧକ୍କା ଦେଇ ସେଥିରୁ ନ୍ୟୁଟ୍ରନ୍ ବାହାର କରିଦିଏ। ଏଥିରେ ପାରଦ ପରିବର୍ତ୍ତନ ହୋଇ ମରକ୍ୟୁରି-୧୯୭ ନାମକ ଏକ ଅସ୍ଥାୟୀ, ରେଡିଓଆକ୍ଟିଭ୍ ରୂପରେ ପରିଣତ ହୋଇଯାଏ।

ଷ୍ଟେପ୍ ୨- ମରକ୍ୟୁରି-୧୯୭ ଏଭଳି ରୂପରେ ବେଶି ସମୟ ରହିପାରେ ନାହିଁ। ପାଖାପାଖି ୬୪ ଘଣ୍ଟା ପରେ ଏହା ନିଜକୁ ଶାନ୍ତ କରିବା ପାଇଁ ଗୋଟିଏ ଇଲେକ୍ଟ୍ରୋନ ଶୋଷି ନିଏ। ଇଲେକ୍ଟ୍ରୋନ ଶୋଷି ନେବା ପରେ ପାରଦ ଭିତରେ ଥିବା ଗୋଟିଏ ପ୍ରୋଟନ ବଦଳି ଯାଇ ନ୍ୟୁଟ୍ରନ ହୋଇଯାଏ। ଏଥିରେ ପ୍ରୋଟନ ସଂଖ୍ୟା ୮୦ରୁ ୭୯ ହୋଇଯାଏ।

ନ୍ୟୁକ୍ଲିୟର ଫ୍ୟୁଜନ ଟେକ୍ନୋଲୋଜୀ କଣ ଓ ଏହା କେମିତି କାମ କରିଥାଏ ?

ଯେଉଁ ପ୍ରକ୍ରିୟାରେ ସୂର୍ଯ୍ୟ ଲଗାତର ଶକ୍ତି ଉତ୍ପନ କରନ୍ତି ତାକୁ ହିଁ ନ୍ୟୁକ୍ଲିୟର ଫ୍ୟୁଜନ ପ୍ରକ୍ରିୟା କୁହାଯାଏ। ଏଥିରେ ହାଇଡ୍ରୋଜେନ ଆଇସୋଟୋପ ଭଳି ଦୁଇଟି ପରମାଣୁକୁ ବହୁତ ଉଚ୍ଚ ତାପମାତ୍ରା ଏବଂ ଚାପରେ ପରସ୍ପର ସହିତ ଯୋଡ଼ାଯାଏ। ଏହି ଯୋଡ଼ି ହେବା ପ୍ରକ୍ରିୟା ବା ଫ୍ୟୁଜନରେ ପ୍ରଚୁର ପରିମାଣରେ ସ୍ୱଚ୍ଛ ଶକ୍ତି ଉତ୍ପନ୍ନ ହୋଇଥାଏ।

ପୂର୍ବରୁ ବି ଲ୍ୟାବ୍‌ରେ ତିଆରି ହୋଇଛି ସୁନା

ଏହା ପୂର୍ବରୁ ୧୯୮୦ ମସିହାରେ ଏଭଳି ପ୍ରଚେଷ୍ଟା କରାଯାଇଥିଲା। ନୋବେଲ ପୁରସ୍କାର ବିଜେତା ଗ୍ଲେନ୍ ସିବୋର୍ଗ ପାର୍ଟିକଲ ଏକ୍ସିଲେଟର ସାହାଯ୍ୟରେ ବିସ୍ମଥ ଧାତୁର କିଛି ହଜାର ଆଟମ୍ସକୁ ସୁନାରେ ରୂପାନ୍ତରିତ କରିଥିଲେ। ହେଲେ ଏହି ପ୍ରକ୍ରିୟା ବ୍ୟୟବହୁଳ ଥିଲା। ଏହି କୌଶଳରେ ମାତ୍ର ୧ ଆଉନ୍ସ (୨୮ ଗ୍ରାମ) ସୁନା ଉତ୍ପାଦନ କରିବାକୁ ହେଲେ ସେତେବେଳେ ୧ କ୍ୱାଡ୍ରିଲିୟନ ଡଲାର(ପାଖାପାଖି ୯.୪୯୫ ଲକ୍ଷ ଟଙ୍କା) ଖର୍ଚ୍ଚ ହେବ ବୋଲି ସିବୋର୍ଗ ଆକଳନ କରିଥିଲେ।

ଏହାପରେ ୨୦୧୫-୨୦୧୮ ମଧ୍ୟରେ CERN ପ୍ରାକୃତିକ ଉପାୟରେ ସୁନା ତିଆରି କରିଥିଲା। ଲାର୍ଜ ହାଡ୍ରନ୍ କୋଲାଇଡରରେ, ସୀମାର ନ୍ୟୁକ୍ଲିୟସକୁ ଧକ୍କା ଦେଇ ପାଖାପାଖି ୮୬ ବିଲିୟନ ଗୋଲ୍ଡଡ ନ୍ୟୁକ୍ଲିଅସ୍ (୨୯ ପିକୋଗ୍ରାମ, କିମ୍ବା ଏକ ଗ୍ରାମର ଏକ ଟ୍ରିଲିୟନ ଅଂଶ) ତିଆରି କରାଯାଇଥିଲା। ତଥାପି, ଏହି ପରମାଣୁଗୁଡ଼ିକ ମାତ୍ର ଗୋଟିଏ ସେକେଣ୍ଡର ଖୁବ ଛୋଟ ଛୋଟ ଅଂଶରେ ଭାଙ୍ଗି ଖେଳେଇ ଯାଇଥିଲେ।

ମାରାଥନ ଫ୍ୟୁଜନ କମ୍ପାନୀ ଯେଉଁ ଟେକ୍ନୋଲୋଜୀରେ ସୁନା ତିଆରି କରୁଛି, ଯଦି ଆଗକୁ ତାହା ସଫଳ ହୁଏ ତେବେ ଗୋଟିଏ ପ୍ଲାଣ୍ଟରେ ଟନ ଟନ ସୁନା ଉତ୍ପାଦନ ହୋଇପାରିବ। କମ୍ପାନୀର ୨୦୨୫ ରିସର୍ଚ୍ଚ ପେପର ଅନୁସାରେ, ୧ ଗିଗାୱାଟ୍ ଥର୍ମାଲ ପାୱାର ଯୁକ୍ତ କମର୍ଶିଆଲ ଫ୍ୟୁଜନ ପ୍ଲାଣ୍ଟରେ ବର୍ଷଖୁ ପାଖାପାଖି ୨ ଟନ୍ ସୁନା ତିଆରି ହୋଇପାରିବ।

ତେବେ ସମସ୍ୟା ରହିଛି କେଉଁଠି ?

ସୁନା ତିଆରି କରିବା ପାଇଁ କମ୍ପାନୀ ପାଖରେ ବର୍ତ୍ତମାନ ଦୁଇଟି ବଡ଼ ବାଧା ରହିଛି। ୨ ଟନ ସୁନା ତିଆରି କରିବା ପାଇଁ ୧ ଗିଗାୱାଟର ପ୍ଲାଣ୍ଟ ଆବଶ୍ୟକ ହୋଇଥାଏ। ହେଲେ ମାରାଥନର ବର୍ତ୍ତମାନର ଲ୍ୟାବ୍ ରିଆକ୍ଟର କ୍ଷମତା କେବଳ ମାତ୍ର ୧ କିଲୋୱାଟର ରହିଛି। ଆଉ ଏକ ବଡ଼ ସମସ୍ୟା ହେଲା ଏଭଳି ପ୍ରକ୍ରିୟାରେ ସୁନା ତିଆରି କରିବା ଦ୍ୱାରା ଭୟଙ୍କର ରେଡିଓଆକ୍ଟିଭ୍ ଆଇସୋଟୋପ୍ସ ରହିଯାଉଛି। ଏଭଳି ସୁନାକୁ ବିକ୍ରି କରିବା କିମ୍ବା ବଜାରକୁ ଆଣିବା ପୂର୍ବରୁ ୧୫ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ କୋଲ୍ଡ ଷ୍ଟୋରେଜ୍‌ରେ ରଖିବାକୁ ପଡ଼ିବ।

୨୦୦୦ ବର୍ଷ ହେବ ସୁନା ତିଆରି କରିବାର ସ୍ୱପ୍ନ ଦେଖି ଆସୁଛି ମଣିଷ

ଯେକୌଣସି ଧାତୁକୁ ସୁନାରେ ପରିଣତ କରିବା ପାଇଁ ମଣିଷ କାହିଁ କେତେ କାଳରୁ ସ୍ୱପ୍ନ ଦେଖି ଆସୁଛି। ଆଇ ମା’ କାହାଣୀରେ ଆପଣ ପରଶମଣି (ପର୍ଶମଣି) କଥା ନିଶ୍ଚେ ଶୁଣିଥିବେ। ଲୋକ କଥା ଅନୁସାରେ ଏହା ଏମିତି ଏକ ମୂଲ୍ୟବାନ ପଥର ଯାହ ଯେଉଁ ଧାତୁକୁ ଛୁଇଁବ, ତାହା ସୁନା ହୋଇଯିବ। ଲୁହାକୁ ବି ଛୁଇଁଲେ ତାହା ସୁନା ହୋଇଯିବ। ଖାଲି ଭାରତୀୟ କାହାଣୀରେ ନୁହେଁ ୟୁରୋପୀୟ କାହାଣୀରେ ବି ଏଇ ପରଶମଣିର ଉଲ୍ଲେଖ କିଛି ଏମିତି ରହିଛି।

୧୭୮୨ ମସିହାରେ ବ୍ରିଟିସ ରସାୟନବିଦ ଜେମ୍ସ ପ୍ରାଇସ୍ ମ୍ୟାଜିକ ପାଉଡରରୁ ସୁନା ତିଆରି କରିବାର ଦାବି କରିଥିଲେ। ଯେବେ ବୈଜ୍ଞାନିକଙ୍କ ସାମ୍ନାରେ ଏହାର ଡେମୋ ଦେଖାଇବାକୁ କୁହାଗଲା, ସେତେବେଳେ ସେ ବିଷ ପିଇ ଜୀବନ ହାରିଦେଲେ।ସେହିଭଳି ବିଂଶ ଶତାବ୍ଦୀରେ ରୁଡୋଲ୍ଫ ହଣ୍ଟର ବି ସୁର୍ଯ୍ୟଙ୍କ ନିୟମରୁ ଦୈନିକ ହଜାର ହଜାର ଡଲାର ମୂଲ୍ୟର ସୁନା ଉତ୍ପାଦନ କରୁଥିବାର ଦାବି କରିଥିଲେ। ହେଲେ ଏହାକୁ ପ୍ରମାଣିତ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।

ଆଉ ଏବେ ମାରାଥନ ପ୍ୟୁଜନ ସୁନା ତିଆରି କରିବାର ଯେଉଁ ଦାବି କରୁଛି, ତାକୁ ବିଭିନ୍ନ ଏକ୍ସପର୍ଟ ତାରିଫ କରୁଛନ୍ତି। ତଥାପି ଏହାର ପୂରା ପ୍ରକ୍ରିୟା ତଥ୍ୟ ପ୍ରମାଣ ସହ ରଖିବାକୁ ଦାବି ଜୋର୍ ଧରିଛି।

ଲ୍ୟାବ୍ ତିଆରି ସୁନା ମାର୍କେଟ୍କୁ ଆସିଲେ ଖସିଯିବ କି ଦର ?

କୃତିମ ହୀରା ଉତ୍ପାଦନ ଭଳି ସୁନା ତିଆରି କିନ୍ତୁ ସେତେଟା ଶସ୍ତା ଓ ସହଜ ନୁହେଁ। ୨୦୨୫ରେ ସାରା ବିଶ୍ୱର ବିଭିନ୍ନ ଖଣିରୁ ୩,୬୭୨ ଟନ ସୁନା ଉତ୍ପାଦନ କରାଯାଇଥିଲା। ସାରା ବିଶ୍ୱର ଖଣିରେ ମୋଟ ୨, ୨୨,୬୦୦ ଟନ ସୁନା ଗଚ୍ଛିତ ରହିଛି। ମାରାଥାନ ବର୍ଷକୁ ୨ ଟନ ସୁନା ଉତ୍ପାଦନର ଯେଉଁ ଆକଳନ କରୁଛି, ସେଥିରେ ସୁନା ଦର ହ୍ରାସରେ ସେତେଟା ପ୍ରଭାବ ପଡ଼ି ନପାରେ। ତେଣୁ ଦର ହ୍ରାସ ହେବା ଏବେ ସମ୍ଭବ ହୋଇ ନ ପାରେ। ତେବେ ସବୁବେଳେ ଯେ ଏହି ପରିସ୍ଥିତି ରହିବ, ତାହା କହିବେ ହେବ ନାହି। ଟେକ୍ନୋଲୋଜୀରେ ପରିବର୍ତ୍ତନ ସହିତ ଆଗକୁ ଯେ ସୁନା ଉତ୍ପାଦନର ସହଜ ଓ ଶସ୍ତା ଫର୍ମୁଲା ନ ମିଳିବ ତାହା କିଏ କହିବ ?