କୋରାପୁଟ: ସାମାଜିକ ବାସନ୍ଦରୁ ମୁକ୍ତି ଦେବା ପାଇଁ ଚାଲିଥିଲା କଙ୍ଗାରୁ କୋର୍ଟ । ଏହି କୁସଂସ୍କାର ଉପରେ ପଡ଼ିଲା ପୋଲିସର ଚଡ଼କ। ସବୁ କରିଦେଲା ଭଣ୍ଡୁର। ଏଭଳି ଦୃଶ୍ୟ ଆଜି କୋରାପୁଟ ବ୍ଲକ ଲଙ୍କାପୁଟ ପଞ୍ଚାୟତର କୋଲାବ ଗାଁରେ ଦେଖିବାକୁ ମିଳିଛି। ଗାଁର ଜଣେ ଯୁବକ ଭଗତରାମ ମାଳି ଅନ୍ୟ ଜାତିରେ ଦ୍ୱିତୀୟ ବିବାହ କରିଥିବାରୁ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା। ଆଜି ତାଙ୍କୁ ପୁନଶ୍ଚ ଜାତିରେ ମିଶାଇବା ପାଇଁ ଗାଁ ଦାଣ୍ଡରେ ଏକ ବୈଠକ ବସିଥିଲା।

ଏହି ବୈଠକରେ ସମାଜର ନାୟକ, ମୁଖିଆ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ସହ ପ୍ରଥମ ସ୍ତ୍ରୀ ଉପସ୍ଥିତ ଥିଲେ। ସମାଜର ପୁରୁଣା ପ୍ରଥା ଅନୁସାରେ, ଯୁବକ ଜଣକ ମୋଟା ଅଙ୍କର ଟଙ୍କା ଦେବା ସହ ଭୋଜିଭାତର ବ୍ୟବସ୍ଥା କରିଥାନ୍ତେ ଏବଂ ଶେଷରେ ତାଙ୍କୁ ସର୍ବସମ୍ମୁଖରେ "ଲଣ୍ଡା" କରାଯିବାର ନିଷ୍ପତ୍ତି ହୋଇଥିଲା। ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ ସଦଳବଳେ କୋରାପୁଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଏଭଳି ପ୍ରଥା ସମ୍ପୂର୍ଣ୍ଣ ଆଇନ ବିରୋଧୀ ବୋଲି ପୋଲିସ ଗ୍ରାମବାସୀଙ୍କୁ ବୁଝାଇଥିଲା। ଯୁବକଙ୍କୁ ଥାନାକୁ ନେଇ କଡ଼ା ଚେତାବନୀ ଦେବା ସହ ସଚେତନ କରାଯିବ ବୋଲି ସଦର ଥାନା ଆଇଆଇସି ରୁନୁ ମାଝୀ ସୂଚନା ଦେଇଛନ୍ତି। କିଛି ମାସ ପୂର୍ବେ କୋରାପୁଟ ସଦର ଥାନା ଅଞ୍ଚଳରେ ଏହିଭଳି ଏକ ଘଟଣାରେ ଜଣେ ଯୁବକ ଲଣ୍ଡା ହୋଇଥିବା ଖବର ମଧ୍ୟ ଚର୍ଚ୍ଚାକୁ ଆସିଥିଲା।