ନୂଆଦିଲ୍ଲୀ: ୧୨ ଫୁଟ ଲମ୍ବର ବିଶାଳ ଅଜଗରକୁ ଗିଳିଦେଲା ଅହିରାଜ ସାପ । କର୍ଣ୍ଣାଟକର ବେଲ୍‌ଥଙ୍ଗଡ଼ି ଅନ୍ତର୍ଗତ ତେଙ୍କାକାରାନ୍ଦୁର ଗାଁରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ବଗିଚାରେ ଏଭଳି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ ।

ସ୍ଥାନୀୟ ପରିବାର ବଗିଚାରେ ଏହି ଭୟଙ୍କର ଦୃଶ୍ୟ ଦେଖିବା ପରେ ସଙ୍ଗେ ସଙ୍ଗେ ସ୍ନେକ ହେଲପଲାଇନ ସଦସ୍ୟ ଅଶୋକଙ୍କୁ ଖବର ଦେଇଥିଲେ। ଅଶୋକ ଘଟଣାସ୍ଥଳରେ ପହଞ୍ଚି ଅହିରାଜକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଥିଲା। ଉଦ୍ଧାରକାରୀଙ୍କୁ ଦେଖି ଭୟରେ ଅହିରାଜ ସାପଟି ନିଜ ପେଟ ଭିତରୁ ସେହି ବଡ଼ ଅଜଗରକୁ ଓଗାଳି ଦେଇଥିଲା । ଏହାପରେ ଉଦ୍ଧାରକାରୀ ଜଣକ ଅହିରାଜକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।

ଜୀବବିଜ୍ଞାନ ଅନୁଯାୟୀ, ଅହିରାଜ ସାପ ପାଇଁ ଅନ୍ୟ ସାପକୁ ଗିଳିବା କୌଣସି ନୂଆ କଥା ନୁହେଁ। ଅହିରାଜର ବୈଜ୍ଞାନିକ ନାମ ହେଉଛି ଓଫିଓଫାଗସ (Ophiophagus) ଯାହାର ଅର୍ଥ ହେଉଛି "ସାପ ଖାଉଥିବା ଜୀବ"। ଏମାନେ ବିଷଧର ହୁଅନ୍ତୁ କି ବିଷହୀନ, ଅନ୍ୟ ସମସ୍ତ ପ୍ରକାରର ସାପ ଯେପରିକି ଚନ୍ଦନବୋଡ଼ା, ରଣା ଏବଂ ଅଜଗରକୁ ନିଜର ଆହାର ଭାବରେ ନେଇଥାନ୍ତି। ଏମାନଙ୍କ ମୁଣ୍ଡର ହାଡ଼ ମୁହଁ ଖୁବ୍ ନମନୀୟ ହୋଇଥାଏ। ଯାହାଫଳରେ ଏମାନେ ନିଜ ପାଟିଠାରୁ ବଡ଼ ଜୀବକୁ ମଧ୍ୟ ସହଜରେ ଗିଳି ପାରନ୍ତି।

Also Read: ‘ବୁଲା କୁକୁର’କୁ ଧରି ଅଫିସ୍ରେ ପହଞ୍ଚିଲେ ନେତା, ଅଧିକାରୀଙ୍କ ଟେବୁଲ୍ରେ ରଖି କଲେ ପ୍ରତିବାଦ !​​​​​​​

ଅଜଗର ମଧ୍ୟ ଏକ ଶକ୍ତିଶାଳୀ ସାପ ହୋଇଥିବାରୁ ଅହିରାଜ ପାଇଁ ତାକୁ ସହଜରେ ଶିକାର କରିବା ସମ୍ଭବ ହୋଇନଥାଏ। କିନ୍ତୁ ଅହିରାଜର ମାରାତ୍ମକ ବିଷ ଯୋଗୁଁ ଅଜଗରଟିର ମୃତ୍ୟୁ ହୋଇଯାଇଥିଲା। ତେବେ ସାପମାନଙ୍କର ହଜମ ପ୍ରକ୍ରିୟା ମନ୍ଥର ହୋଇଥିବାରୁ ଏଭଳି ବଡ଼ ଶିକାର ଗିଳିବା ପରେ ସେମାନେ ଅନେକ ଦିନ ପର୍ଯ୍ୟନ୍ତ ବିନା ଖାଦ୍ୟରେ ରହିପାରନ୍ତି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଅନୁସାରେ, ଖାଦ୍ୟ ଗ୍ରହଣ କରୁଥିବା ବେଳେ ବା ବିପଦ ଅନୁଭବ କଲେ ସାପମାନେ ନିଜକୁ ହାଲୁକା କରି ଶୀଘ୍ର ଖସିଯିବା ପାଇଁ ପେଟରେ ଥିବା ଶିକାରକୁ ଓଗାଳି ଦେଇଥାନ୍ତି।