ନୂଆଦିଲ୍ଲୀ ୧୭।୦୯; ବୁଲା କୁକୁରଙ୍କ ଉପଦ୍ରବକୁ ନେଇ ଅଭିଯୋଗ କରି କରି ଥକିଗଲେ… ଶେଷରେ ପ୍ରଶାସନକୁ ଚକିତ କରିଦେଲେ ଆନ୍ଦୋଳନକାରୀ। ବ୍ୟାଗ୍ରେ ବୁଲା କୁକୁରକୁ ଭରି ନଗର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଲେ UBT ଶିବସେନାର ଯୁବ ନେତା ବିକ୍ରମ ରନ୍ଧଭେ। ଆଉ ସିଧା ମୁଖ୍ୟ ଅଧିକାରୀଙ୍କ ଟେବୁଲ୍ ଉପରେ ଛାଡ଼ିଦେଲେ କୁକୁରଟିକୁ। ଏତିକିରେ ସରିନଥିଲା ପ୍ରତିବାଦ। ଅଧିକାରୀଙ୍କୁ ନୋଟ ମାଳା ପିନ୍ଧାଇ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ଉଠାଇଲେ ପ୍ରଶ୍ନ। ଆସନ୍ତୁ ଜାଣିବା ନିଫାଡ୍ରୁ ଆସିଥିବା ଏହି ଅଜବ ପ୍ରତିବାଦର ପୂରା କାହାଣୀ।

ବୁଲା କୁକୁରଙ୍କ ଉପଦ୍ରବ ବିରୋଧରେ ମହାରାଷ୍ଟ୍ରର ନାଶିକ ଜିଲ୍ଲା ନିଫାଡରେ ଦେଖିବାକୁ ମିଳିଛି ଅଭିନବ ପ୍ରତିବାଦ। ଏହି ଘଟଣାକୁ ଦେଖି ଉପସ୍ଥିତ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନିଫାଡ୍ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ୁଥିବା ନେଇ ଅଭିଯୋଗ ହୋଇଆସୁଛି। ଶିଶୁ, ମହିଳା ଓ ବୟସ୍କମାନେ ରାସ୍ତାରେ ଯାତାୟାତ କରିବା ବେଳେ ସମସ୍ୟାରେ ପଡ଼ୁଥିବା ଅଭିଯୋଗ ହୋଇଥିବା ବେଳେ ଗାଡ଼ି ଚାଳକମାନେ ମଧ୍ୟ କୁକୁରଙ୍କ ହଠାତ୍ ଦୌଡ଼ାଦୌଡ଼ି ଯୋଗୁଁ ଅସୁବିଧାରେ ପଡ଼ୁଛନ୍ତି। ପୂର୍ବରୁ ଅନେକ ଲୋକ ବୁଲା କୁକୁରଙ୍କ ଦ୍ୱାରା କାମୁଡ଼ାର ଶିକାର ହୋଇଥିବା ନେଇ ଦାବି କରାଯାଇଛି। ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଉଛି—ଏହି ସମସ୍ୟା ନେଇ ନଗର ପଞ୍ଚାୟତକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।

ପ୍ରଶାସନର କାର୍ଯ୍ୟଶୈଳୀ ଉପରେ କଟାକ୍ଷ କରିବା ପାଇଁ ଏହି ଟଙ୍କା ନୋଟ୍ର ମାଳା ପିନ୍ଧାଯାଇଥିବା ରନ୍ଧଭେଙ୍କ ପକ୍ଷରୁ କୁହାଯାଇଛି। ତାଙ୍କ ଅଭିଯୋଗ—ନାଗରିକଙ୍କ ସମସ୍ୟାର ସମାଧାନ ଅପେକ୍ଷା ଟେଣ୍ଡର ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଗଣେଶୋତ୍ସବ ସମୟରେ ବୁଲା କୁକୁରଙ୍କ ଉପଦ୍ରବ ବଢ଼ିଥିବାରୁ ଲୋକେ ଗଣେଶ ମଣ୍ଡଳକୁ ଯିବାକୁ ଡରୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା ଯେ, କେବଳ ଅଭିଯୋଗ ପଞ୍ଜୀକରଣ କରିବା ଯଥେଷ୍ଟ ନୁହେଁ, କୁକୁରମାନଙ୍କୁ ଧରିବା ଏବଂ ସେମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବାସ୍ତବ ସ୍ତରରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।

ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ ନଗର ପଞ୍ଚାୟତ ତୁରନ୍ତ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଉ । ଯାହା ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ ଆସିବ। ରନ୍ଧଭେ ଚେତାବନୀ ଦେଇଛନ୍ତି ଯେ ଯଦି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାରେ ବିଫଳ ହୁଏ, ତେବେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ।