ପାଟନା: ଖାନ ଗ୍ଲୋବାଲ ଷ୍ଟଡିଜ ଉପରେ ଆକ୍ରମଣ ଓ ଫାୟରିଂ ମାମଲାରେ ଫସିଥିବା ଦେଶର ପ୍ରସିଦ୍ଧ ଶିକ୍ଷକ ଖାନ ସାରଙ୍କ ଅଡ଼ୁଆ ପୁଣି ଥରେ ବଢିବାକୁ ଯାଉଛି। କୋଚିଂର ମ୍ୟାନେଜର କହ୍ନେୟା ସିଂ ସମେତ ତିନି କର୍ମଚାରୀଙ୍କୁ ପାଟନା ପୋଲିସ ନୋଟିସ୍ ଜାରି କରି ହାଜର ହେବାକୁ କହିଛି। କୋଚିଂ ସେଣ୍ଟରରେ ନୋଟିସ୍ ଲଗାଇ ତିନି ଜଣଙ୍କୁ କଦମକୁଆଁ ଥାନା ଆସିବାକୁ କୁହାଯାଇଛି। କୋଚିଂ ଉପରେ ହମଲା, ହଙ୍ଗାମା ଓ ଭଙ୍ଗାରୁଜା ମାମଲାରେ ମ୍ୟାନେଜର କହ୍ନେୟା ସିଂ ଏଫଆଇଆର ରୁଜୁ କରାଇଥିଲେ। ବାରମ୍ବାର ଡକାଇବା ପରେ ସେ ଥାନାକୁ ଯାଉ ନ ଥିଲେ। ରବିବାର କୋଚିଂରେ ନୋଟିସ୍ ଲଗାଯାଇ ଥାନାକୁ ଆସିବାକୁ ତଲବ କରାଯାଇଛି। ଖାନ ଗ୍ଲୋବାର ଷ୍ଟଡିଜରର ଅନ୍ୟ ଦୁଇ କର୍ମଚାରୀ ଅଜିତ କୁମାର ଓ ଅଙ୍କିତ କୁମାର ପାଣ୍ଡେଙ୍କୁ ମଧ୍ୟ ପୋଲିସ ତଲବ କରିଛି।

ତିନି ଜଣଙ୍କ ନାଁରେ ଜାରି ନୋଟିସରେ କୁହାଯାଇଛି ଯେ, ଆପଣମାନେ ମାମଲାର ତଦନ୍ତରେ ସହଯୋଗ କରୁ ନାହାନ୍ତି। ପଚରାଉଚୁରା ପାଇଁ ଯେତେ ଡକାଇଲେ ବି ଥାନାକୁ ଆସୁ ନାହାନ୍ତି। ତେଣୁ ଏବେ ଥାନାକୁ ଆସି ପଚରାଉଚୁରାରେ ସହଯୋଗ କରନ୍ତୁ। ନିର୍ଦ୍ଦେଶର ପାଳନ ନ କଲେ ଆପଣଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଥାନା ନ ଆସିବେ ତେବେ ଏହାର ଉଚିତ୍ କାରଣ ନ ଦର୍ଶାଇଲେ ଆପଣଙ୍କ ବିରୋଧରେ ଯାହା ବି ଆଇନସଙ୍ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ସେଥିପାଇଁ ନିଜେ ଦାୟୀ ରହିବେ। ଅପରାହ୍ନ ୪ଟାରେ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସଦ୍ୟତମ ଖବର ଅନୁଯାୟୀ, ତିନି କର୍ମଚାରୀ ଥାନା ଯାଇ ନାହାନ୍ତି।

Also Read: ଖାନ୍ ସାର୍ ମାମଲା: 'ଜ୍ଞାନ ବିନ୍ଦୁ' କୋଚିଂ ନିର୍ଦ୍ଦେଶକ ରୋଶନ ଆନନ୍ଦଙ୍କ ଭାଇଙ୍କର ନେପାଳରେ ସନ୍ଦେହଜନକ ମୃତ୍ୟୁ

ସୂଚନାଯୋଗ୍ୟ, କୋଚିଂରେ ଭଙ୍ଗାରୁଜା ମାମଲାରେ କହ୍ନେୟା ସିଂ ପାଟନା ପୋଲିସରେ ଏଫଆଇଆର ଦେଇଥିଲେ। ଏହି ଆଧାରରେ କେସ୍ ରୁଜୁ ହୋଇଥିଲା ଏବଂ ଜ୍ଞାନବିନ୍ଦୁର ସଞ୍ଚାଳକ ରୌଶନ ସାରଙ୍କୁ ଗିରଫ କରାଯାଇଥିଲା। ଏହି ସମୟରେ ଖାନ ସାରଙ୍କ ଗାର୍ଡ ଦ୍ଵାରା ଫାୟରିଂ ହୋଇଥିବା ନେଇ ଆଉ ଏକ ଏଫଆଇଆର ରୁଜୁ ହୋଇଥିଲା ଏବଂ ଦୁଇ ଜଣ ଗାର୍ଡଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି। ଏହି ମାମଲାରେ ଖାନ ସାରଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ପାଟନା ହାଇକୋର୍ଟ।