ପାଟନା: ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍ ଏବଂ ଜ୍ଞାନ ବିନ୍ଦୁ କୋଚିଂର ନିର୍ଦ୍ଦେଶକ ରୋଶନ ଆନନ୍ଦଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜ୍ଞାନ ବିନ୍ଦୁ କୋଚିଂର ନିର୍ଦ୍ଦେଶକ ରୋଶନ ଆନନ୍ଦଙ୍କ ସମ୍ପର୍କୀୟ ଭାଇ ପ୍ରିନ୍ସଙ୍କ ନେପାଳରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି । ଖାନ୍ ସାରଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ଏବଂ ଭଙ୍ଗାରୁଜା ମାମଲାରେ ପ୍ରିନ୍ସ ଜଣେ ଅଭିଯୁକ୍ତ ଥିଲେ । ପୋଲିସ ଗିରଫଦାରୀ ଭୟରେ ସେ ନେପାଳରେ ଲୁଚି ରହିଥିଲେ ।

ସୂଚନା ଅନୁସାରେ, ପାଟନା ପୋଲିସ ଦ୍ୱାରା ରୋଶନ ଆନନ୍ଦଙ୍କୁ ଗିରଫ କରାଯିବା ପରେ ପ୍ରିନ୍ସ ନିଜର କିଛି ସାଙ୍ଗମାନଙ୍କ ସହ ନେପାଳ ପଳାଇଥିଲେ । ସେଠାରେ ଏକ ଗେଷ୍ଟ ହାଉସରେ ରହୁଥିବା ସମୟରେ ବିଳମ୍ବିତ ରାତିରେ ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କିଛି ସୂତ୍ର ଅନୁସାରେ ବ୍ରେନ୍ ହାମରେଜ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି, କିନ୍ତୁ ପରିବାର ଲୋକେ ଏହାକୁ ଏକ ଷଡ଼ଯନ୍ତ୍ର ଏବଂ ହତ୍ୟା ବୋଲି ସନ୍ଦେହ କରୁଛନ୍ତି । ନେପାଳ ପୋଲିସ ଏହି ମୃତ୍ୟୁ ମାମଲାର ଯାଞ୍ଚ କରୁଛି।

ଜେଲରେ ଅଛନ୍ତି ରୋଶନ ଆନନ୍ଦ, ଖାନ୍ ସାରଙ୍କୁ ମିଳିଛି ଜାମିନ

ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ତଳେ ପାଟନାରେ ଥିବା ଖାନ୍ ସାରଙ୍କ କୋଚିଂ ସେଣ୍ଟର ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହ ପଥରମାଡ଼ ଓ ଗୁଳିମାଡ଼ କରିଥିଲେ । ଏହି ମାମଲାରେ ଖାନ୍ ସାରଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ 'ଜ୍ଞାନ ବିନ୍ଦୁ'ର ମାଲିକ ରୋଶନ ଆନନ୍ଦଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ଅନ୍ୟପଟେ, ରୋଶନ ଆନନ୍ଦଙ୍କ ପକ୍ଷରୁ ମଧ୍ୟ ଖାନ୍ ସାର୍‌ଙ୍କ ବିରୋଧରେ ଓଲଟା ମାମଲା ଦାୟର କରାଯାଇଥିଲା । କିନ୍ତୁ ପାଟନା କୋର୍ଟରୁ ଖାନ୍ ସାରଙ୍କୁ ଅଗ୍ରୀମ ଜାମିନ ମିଳିଥିଲା ।