ବେଙ୍ଗାଲୁରୁ: କର୍ଣ୍ଣାଟକ ରାମନଗର ଜିଲ୍ଲାରେ ଶନିବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। କେରଳ ସଡ଼କ ପରିବହନ ନିଗମ (କେଏସଆରଟିସି)ର ଏକ ଯାତ୍ରୀବାହୀ ବସ୍ ବେଙ୍ଗାଲୁରୁ-ମୈସୁର ଜାତୀୟ ରାଜମାର୍ଗ ନମ୍ବର ୨୭୫ର ବିଦାଦୀ ନିକଟରେ ରୋଡ ଡିଭାଇଡର ସହ ଧକ୍କା ଲାଗିଛି। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩୪ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି।ଏଥିରୁ ୨ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସର୍ଜରୀ ହେବ ବୋଲି ଡାକ୍ତର କହିଛନ୍ତି। ସେହିପରି ଅନ୍ୟ ୩ଜଣଙ୍କ ଡାହାଣ ଗୋଡ ଆଣ୍ଠୁ ତଳକୁ ଭାଙ୍ଗି ଯାଇଛି।

ମୃତାହତ ଯାତ୍ରୀଙ୍କୁ ଉଦ୍ଧାର କରି ବିଦାଦୀ ଭରତ କେମ୍ପନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭରତ କେମ୍ପନ୍ନା ହେଲଥ୍ କେୟାରର ଏମାର୍ଜେନ୍ସୀ ଫିଜିକ୍ସିୟାନ କନସଲଟାଣ୍ଟ କହିଛନ୍ତି ଯେ ସକାଳ ୬ଟା ୩୭ ମିନିଟ୍ ରେ ହସ୍ପିଟାଲକୁ ମୃତାହତଙ୍କୁ ଅଣାଯାଇଥିଲା। ଏଥିରେ ବସ୍ ଚାଳକ ଏଚ.ଭି.ଭିଜିଲେଶ ଓ କଣ୍ଡକ୍ଟର ଅଋଣ କୁମାରଙ୍କୁ ମୃତାବସ୍ଥାରେ ହସ୍ପିଟାଲ ପହଞ୍ଚିଥିଲେ। ଅଧିକାଂଶ ଯାତ୍ରୀଙ୍କ ଗୋଡ ଓ ମୁଣ୍ଡରେ ଆଘାତ ଲାଗିଛି। ସାଧାରଣ ଆହତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି।

ବସ୍ ଟି କାଲିକଟରୁ ବେଙ୍ଗାଲୁରୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବିଦାଦୀ ନିକଟସ୍ଥ ଓଭରାହଲ୍ଲୀ ନିକଟରେ ବସ୍ ଟି ନିୟନ୍ତ୍ରଣ ହରାଇ ରୋଡ ଡିଭାଇଡର ଦେହରେ ପିଟି ହୋଇ ଓଲଟି ପଡିଥିଲା। ଦ୍ରୁତବେଗରେ ଥିବା ଯୋଗୁ ବସ୍ ର ସମସ୍ତ ଯାତ୍ରୀ ଆହତ ହୋଇଥିବା ବେଳେ ଡ୍ରାଇଭର ଓ କଣ୍ଡକ୍ଟର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ମୃକଙ୍କ ଶବକୁ ବେଙ୍ଗାଲୁରୁର ରାଜରାଜେଶ୍ୱରୀ ହସ୍ପିଟାଲରେ ରଖା ଯାଇଛି। ବିଦାଦୀ ପୋଲିସ ଦୁର୍ଘଟଣା ନେଇ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି।