ମୁମ୍ଵାଇ ୨୨।୦୯; ବଲିଉଡର ଚାକଚକ୍ୟ, ଗ୍ଲାମର ଆଉ ଷ୍ଟାରଡମ୍। ଏହି ଦୁନିଆରେ କ୍ୟାଟ୍ରିନା କୈଫଙ୍କ ନାଁ ବେଶ୍ ପରିଚିତ। ଫିଲ୍ମ ସହ ବ୍ୟବସାୟ କ୍ଷେତ୍ରରେ ବି କ୍ୟାଟ୍ରିନା ବେଶ୍ ନାମ କମାଇଛନ୍ତି। ହେଲେ ତାଙ୍କ ମା’ ସୁଜାନଙ୍କ ଜୀବନ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ। ଲଣ୍ଡନର ଲଗୁଜୁରୀ ଲାଇଫଷ୍ଟାଇଲ୍ ଛାଡ଼ି ତାମିଲନାଡୁର ମଦୁରାଇ ନିକଟସ୍ଥ ଏକ ଗାଁକୁ ନିଜ କର୍ମଭୂମି କରିଛନ୍ତି ସୁଜାନ। ଲକ୍ଷ୍ୟ ଗୋଟିଏ ଗରିବ ଓ ଅବହେଳିତ ପରିବାରର ପିଲାଙ୍କ ଜୀବନରେ ଶିକ୍ଷାର ଆଲୋକ ଜଳାଇବା।

ସୁଜାନ ଯେଉଁଠାରେ ରହୁଛନ୍ତି ସେଠାରେ ବିଜୁଳି ସୁବିଧା ନାହିଁ କହିଲେ ଚଳିବ। କାରଣ ଅଧିକାଂଶ ସମୟରେ ସେଠାରେ ପ୍ରାୟ ୧୮ ଘଣ୍ଟା ଧରି ବିଜୁଳିକାଟ ହୋଇଥାଏ। ୨୦୦୮ରେ ତାମିଲନାଡୁ ଆସି ‘ରିଲିଫ୍ ପ୍ରୋଜେକ୍ଟସ ଇଣ୍ଡିଆ’ ମାଧ୍ୟମରେ ସୁଜାନ ଗରିବ ପିଲାମାନଙ୍କୁ ମାଗଣାରେ ପଢ଼ାଇବା ଆରମ୍ଭ କରିଥିଲେ। ଆଉ ୨୦୧୫ରେ ଆରମ୍ଭ କଲେ ‘ମାଉଣ୍ଟେନ୍ ଭିଉ’ ପ୍ରାଥମିକ ସ୍କୁଲ। ଆଜି ଏଠାରେ ୨୦୦ରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। କେବଳ ପିଲାଙ୍କ ଶିକ୍ଷା ନୁହେଁ, ସ୍ଥାନୀୟ ମହିଳାମାନଙ୍କୁ ଦକ୍ଷତା ତାଲିମ ଦେବା ସହ କ୍ୟାରିୟର ପାଇଁ ମଧ୍ୟ ମାର୍ଗଦର୍ଶନ ଦେଉଛନ୍ତି ସୁଜାନ।

ମା’ଙ୍କ ଏହି ସଂଘର୍ଷ ଓ ସେବା ଯାତ୍ରାକୁ ନେଇ କ୍ୟାଟ୍ରିନା ମଧ୍ୟ କହିଛନ୍ତି। ଇଲେକଟ୍ରିସିଟି ଅଭାବରୁ ଅନେକ ସମୟରେ ମା’ଙ୍କ ସହ ଭିଡିଓ କଲ୍ରେ କଥା ହେବା ସମ୍ଭବ ହୋଇନଥାଏ। ତଥାପି ମା’ଙ୍କ ଏହି ମହତ୍କାର୍ଯ୍ୟରେ ସାଥୀ ହୋଇଛନ୍ତି କ୍ୟାଟ୍ରିନା। ନିଜ ରୋଜଗାରର କିଛି ଅଂଶ ମା’ଙ୍କ ସମାଜସେବା କାର୍ଯ୍ୟରେ ମଧ୍ୟ ଦେଉଛନ୍ତି।

ଝିଅ ଯେଉଁଠି ପରଦାରେ ଚମକୁଛନ୍ତି, ମା’ ସେଇଠି ଅନ୍ୟମାନଙ୍କ ଜୀବନରେ ଜଳାଉଛନ୍ତି ଆଶାର ଆଲୋକ। ସୁଜାନଙ୍କ ଏହି ନିଆରା ଜୀବନ ଦର୍ଶାଉଛିବଡ଼ ହେବା ପାଇଁ କେବଳ ନେମଫେମ୍ ନୁହେଁ, ଅନ୍ୟର ଜୀବନରେ ପରିବର୍ତ୍ତନ ଆଣିବାର ଇଚ୍ଛା ହିଁ ସବୁଠାରୁ ବଡ଼ ପରିଚୟ।